ଜୟପୁର: ଆଳୁ ଖୋଳୁ ‌ଖୋଳୁ ମହାଦେବ ବାହାରିବା ଭଳି କାଠ ବୋଝେଇ ଅଟୋକୁ ପିଛା କରି ବନବିଭାଗର ଜୟପୁର ବନାଞ୍ଚଳ ଫୁଲବାଡ଼ ଅଞ୍ଚଳରେ ୨ଟି ବେଆଇନ କାଠ କଳକୁ ଚିହ୍ନଟ କରିଛି। ଏଠାରୁ ଲକ୍ଷାଧିକ ଟଙ୍କାର କାଠ, କାଠ କାଟିବା ବିଦ୍ୟୁତ ଚାଳିତ ଓ ହାତ‌ରେ ବ୍ୟବହାର କରୁଥିବା ବିଭିନ୍ନ ଯନ୍ତ୍ରାଂଶ ସହ ଗୋଟିଏ କାଠ ବୋଝେଇ ଅଟୋକୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ବନାଞ୍ଚଳର ରେଞ୍ଜର ସବ୍ୟସାଚ୍ଚୀ ପରିଡ଼ା ଓ ଫରେଷ୍ଟର ରଞ୍ଜିତା ନାୟକ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଆଜି ସକାଳୁ ଗୋଟିଏ କାଠ ବୋଝେଇ ଅଟୋର ପିଛା ଫୁଲବାଡ଼ ଗାଁରେ କରିଥିଲେ। ଅଟୋର ଚାଳକ ଜଣକ ଫରେଷ୍ଟରଙ୍କୁ ଦେଖି ଅଟୋକୁ ଦ୍ରୁତ ଗତିରେ ଚଳାଇ ଫୁଲବାଡ଼ ଗାଁ ମଧ୍ୟରେ କରାଯାଇଥିବା ୨ଟି ଅସ୍ଥାୟୀ ଟିଣ ଛପର କାଠ କଳ ନିକଟକୁ ଯାଇ ସେଠାରେ ଅଟୋ ରଖି ଚମ୍ପଟ ମାରିଥିଲା।

Advertisment

ଏହି ଅଟୋକୁ ଯାଞ୍ଚ କରିବାକୁ ଯାଇ ବନବିଭାଗକୁ ମିଳିଥିଲା ବଡ଼ ସଫଳତା। ଜୟପୁର ବନାଞ୍ଚଳର ରେଞ୍ଜର ଶ୍ରୀ ପରିଡ଼ା ଓ ଫରେଷ୍ଟର ଶ୍ରୀମତି ନାୟକ ସଦଳବଳକୁ ଡାକି ଏହି ବେନିୟମ ୨ଟି କାଠ କଳ ଉପରେ ତୁରନ୍ତ ଚଢ଼ଉ କରିଥିଲେ। ଏହି ଦୁଇଟି ବେନିୟମ କାଠ କଳକୁ ଦେଖି ବନବିଭାଗର ଅଧିକାରୀ ମାନେ ଆଶ୍ଚାର୍ଯ୍ୟନ୍ବିତ ହୋଇଥିଲେ। ଏହା ପରିସରରେ ବଡ଼ ବଡ କାଠ କାଟିବା କରତ ସହ ମୋଟର ଚାଳିତ ବିଭିନ୍ନ କାଠ କାଟିବା ଯନ୍ତ୍ରାଂଶ ଗୁଡିକ ମହଜୁଦ ରହିଥିଲା। ଏଠାରେ ବିଭିନ୍ନ ଘରକରଣା କାଠ ସାମଗ୍ରୀ ଠାରୁ ଆରମ୍ଭ କରି କବାଟ, ଝରକା ଓ ଦୁଆର ବନ୍ଦ ଆଦି ନିର୍ମାଣ କରାଯାଉଥିବା ବନବିଭାଗ କର୍ମଚାରୀ ମାନେ ଦେଖିଥିଲେ।

publive-image Sambad

ଚଢ଼ଉ ହେବା ଦେଖି ଏହି ୨ ବେନିୟମ କାଠକଳର ମାଲିକ ଓ କାମ କରୁଥିବା ବଢ଼େଇ ଓ ସହଯୋଗୀ ଆଦି ଚମ୍ପଟ ମାରିଥିଲେ। ଏଠାରୁ ବନବିଭାଗ ବିଭିନ୍ନ ଆକାରର ସାଇଜ କାଠ ୫ ଟ୍ରାକ୍ଟର ଜବତ କରି ନେଇଛନ୍ତି। ଏଥିରେ ଶାଳ, ଟିକ୍, ବିଜା, ଚାଖୁଣ୍ଡା, ପଣସ ଆଦିର କାଠ ରହିଥିବା ସୂଚନା ମିଳିଛି। ଏହାସହ ଅତ୍ୟାଧୁନିକ ସହ ହାତରେ ବ୍ୟବହାର କରଯାଉଥିବା ବହୁ ଯନ୍ତ୍ରାଂଶ ଗୁଡିକୁ ଜବତ କରିଥିଲେ। ଏହାସହ ଏଠାକୁ ଆସି ଅଟକି ରହିଥିବା ଅ‌ଟୋରୁ ୧୮ଟି ଶାଳ ସାଇଜ କାଠ ସହ ଅଟୋକୁ ଜବତ କରିଥିଲେ। ସକାଳ ଠାରୁ ମଧ୍ୟାହ୍ନ ଯାଏଁ କାଠ ଗୁଡିକୁ ଟ୍ରାକ୍ଟର ଓ ପିକ୍‌ଅପରେ ଲଦି ଜୟପୁର ବନାଞ୍ଚଳ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ପରିଡ଼ା। ଆସନ୍ତାକାଲି ସମସ୍ତ କାଠକୁ ଗୋଟି ଗୋଟି କରି ଚିହ୍ନଟ କରାଯିବ। ଏହାସହ କିଏ ଏହି ଦୁଇଟି ବେଆଇନ କାଠ କଳ କରିଥିଲା ତାହାର ଯଦିଓ କିଛି କିଛି ସୁରାକ ମିଳିଥିଲେ ହେଁ ଅଧିକା ଯାଞ୍ଚ ଚାଲିଛି, ଏବଂ ତଦନ୍ତରେ ବାଧା ଉପୁଜିବ ବ‌ୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ପରିଡ଼ା। ଆସନ୍ତାକାଲି ସମ୍ପୂର୍ଣ୍ଣ ତଥ୍ୟ ଦେବେ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରି ଶ୍ରୀ ପରିଡା। ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରି ଶ୍ରୀ ପରିଡା, ଫରେଷ୍ଟର ରଞ୍ଜିତା ନାୟକ, ସୁଶିଲ ମହାନ୍ତି, ଅରୁଣ ଜେନା, ଫରେଷ୍ଟ ଗାର୍ଡ ଅନିଲ ଦାସ, ଗୌତମ ସ୍ୱାଇଁ, ସିଏଚ କାଲୋ, କଳ୍ପନା ନାୟକ ସହ ପାରା ଷ୍ଟାପ ଅଂଶଗ୍ରହଣ କରିଥିଲେ।