ଖୋର୍ଦ୍ଧା: ପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ଖୋର୍ଦ୍ଧା ବନଖଣ୍ଡ ଅଧୀନ ବାଙ୍କୀ-ଖୋର୍ଦ୍ଧା ସୀମାନ୍ତର ବୈଦ୍ୟେଶ୍ୱର ସଂରକ୍ଷିତ ଜଙ୍ଗଲରୁ ୧୫ ଖଣ୍ଡ ଫାସି କାଠ ପଠାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ଅନୁସାରେ ବନ ବିଭାଗ ଗତ ୧ ସପ୍ତାହ ଧରି ନିର୍ଦ୍ଧାରିତ ମୋଟେଇର ଫାସୀ ଗଛ ଚିହ୍ନଟ କରିବା ପରେ ଶୁକ୍ରବାର ଏହାକୁ କଟାଯାଇଥିଲା। ଶନିବାର ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟରଙ୍କ ଉପସ୍ଥିତିରେ କାଠ ଗୁଡ଼ିକୁ ଟ୍ରକରେ ବୋଝେଇ କରାଯାଇଥିଲା। ବୈଦ୍ୟେଶ୍ୱର ଗାଁର ଲୋକ ମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

Advertisment

ଗାଁ ଲୋକ ମାନେ କାଠ ଗୁଡ଼ିକୁ ପୂଜାର୍ଚ୍ଚନା କରିବା ସହ ସଂକୀର୍ତନ ମାଧ୍ୟମରେ କାଠ ବୋଝେଇ ଟ୍ରକକୁ କିଛି ଦୂର ନେଇ ଛାଡ଼ିଥିଲେ। ଏନେଇ ବନାଞ୍ଚଳ ଅଧିକାରୀ କହିଛନ୍ତି କଟକ ଜିଲ୍ଲାର ବାଙ୍କୀ ଜଙ୍ଗଲରୁ ୫ଟି ଓ ବୈଦ୍ୟେଶ୍ୱର ଜଙ୍ଗଲରୁ ୧୦ଟି କାଠ ପଠାଯାଇଛି। ବୈଦ୍ୟେଶ୍ୱର ଜଙ୍ଗଲରୁ ଯାଇଥିବା କାଠ ମଧ୍ୟରୁ ୬ଟି କାଠର ଲମ୍ବ ୩୧୦ ସେମି ଓ ମୋଟେଇ ୨୦୦ରୁ ୨୫୦ ସେମି ମଧ୍ୟରେ ରହିଛି। ବରାଦ ଅନୁସାରେ ମୋଟ ୧୨.୩୧୬ ଘନ ମିଟରର ୧୫ଟି କାଠ ଖଣ୍ଡ ଟ୍ରକ ଯୋଗେ ପୁରୀ ପଠାଯାଇଛି।