ତାରପୁର: ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ ୧ ନମ୍ବର ୱାର୍ଡସଭ୍ୟା ସରସ୍ବତୀ ସେଠୀ(୫୨) ଆଜି ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସରସ୍ବତୀଙ୍କୁ ଶରୀରର ୮୦ ଭାଗ ପୋଡ଼ି ଯାଇଥିବା ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଅଗ୍ନିଶମ ବିଭାଗ ଓ ପରେ ଅଧାବାଟରୁ ଆମ୍ବୁଲାନ୍ସରେ ଜଗତସିଂହପୁର ଜିଲ୍ଲା ମୁଖ୍ୟଚକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତୁରନ୍ତ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଗ୍ନିକାଣ୍ଡରେ ୩ ବଖରା ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଆଜି ସକାଳେ ସରସ୍ବତୀ ଘରେ ଚୁଲିରେ ରୋଷେଇ କରୁଥିବା ବେଳେ ଅସାବଧନତା କାରଣରୁ ହଠାତ୍ ନିଆଁ ତାଙ୍କ ଶାଢ଼ିରେ ଲାଗି ଯାଇଥିଲା। ସେ ଭୟଭୀତ ହୋଇ ପାଖରେ ଥିବା ଏକ ଗାଧୁଆ ଘରକୁ ପଶି ଯାଇଥିଲେ। ସେଠାରେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବାରୁ ପୁଣିଥରେ ଘର ଭିତରକୁ ଚାଲି ଆସିଥିଲେ। କିନ୍ତୁ ଜଳୁଥିବା ଅବସ୍ଥାରେ ଚିତ୍କାର କଲା ବେଳେ କେହି ପଡ଼ୋଶୀ ଘର ଲୋକମାନେ ଜାଣି ପାରିନଥିଲେ ଓ ଘର ଭିତରେ ନିଆଁ ବ୍ୟାପୀ ଯାଇଥିଲା। ସେତେବେଳେ ତାଙ୍କ ସ୍ବାମୀ ସୁରେନ୍ଦ୍ର ସେଠୀ ଘରେ ନଥିଲେ।
ପଡ଼ୋଶୀମାନେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁ ଲିଭା ଗାଡ଼ି ପହଞ୍ଚିଲା ବେଳକୁ ସରସ୍ବତୀ ମୁମୂର୍ଷୁ ଅବସ୍ଥାରେ ଚଟାଣରେ ଗଡ଼ୁଥିଲେ। କ୍ଷୀଣ ସ୍ବରରେ କିଛି କହୁଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁ ଲିଭାଗାଡ଼ିରେ ତାଙ୍କୁ ନେଇ ଯାଇଥିଲେ। ସାମାନ୍ୟ ବିଳମ୍ବରେ ଆସିଥିବା ଆମ୍ବୁଲାନ୍ସ ନୂଆପଡ଼ା ଗଡ଼ା ନିକଟରେ ପହଞ୍ଚିବା ବେଳେ ତାଙ୍କୁ ଆମ୍ବୁଲାନ୍ସରେ ପକାଇ ଜଗତସିଂହପୁର ନିଆଯାଇଥିଲା। ଗତ କିଛିଦିନ ତଳେ ସେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ଘରକୁ ଫେରିଥିଲେ। ତେବେ ହଠାତ୍ ଏପରି ଅଗ୍ନିକାଣ୍ଡକୁ କେହି ସହଜେ ଗ୍ରହଣ କରିପାରୁନାହାନ୍ତି। ଅବଶ୍ୟ ପୁଲିସ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତାଙ୍କ ଦୁଇ ପୁଅ ଚେନ୍ନାଇ ଓ ମୁମ୍ବାଇରୁ ଫେରିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଏହି ଘଟଣା ବିଦ୍ୟାଧରପୁର ପଞ୍ଚାୟତରେ ଶୋକରଛାୟା ଖେଳାଇ ଦେଇଛି। ସରପଂଚ ସାହେଦା ତବସୁମ, ସମିତିସଭ୍ୟା ସାକରିକା ତରେଇ, ସମାଜସେବୀ ରହିମ ଖାଁ, ଅଜୟ କୁମାର ସାମଲଙ୍କ ସମେତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି।