ଅନୁଗୁଳ: ପୁରୁଣାକୋଟ ଥାନା ଅନ୍ତୁଳିଆ ଛକରେ ରବିବାର ରାତି ୮ଟା ୧୫ରେ ଓ୍ଵାର୍ଡ ସଭ୍ୟ ଜଗବନ୍ଧୁ ବେହେରା (୫୫)ଙ୍କୁ ହତ୍ୟା କରାଯାଇଛି। ଅନ୍ତୁଳିଆ ପଂଚାୟତର ୭ ନମ୍ବର ଓ୍ଵାର୍ଡର ସଭ୍ୟ ଜଗବନ୍ଧୁ କୌଣସି କାମରେ ଗାଁ ଛକକୁ ଯାଇଥିଲେ। ସେଠାରେ ତାଙ୍କ ଗାଁର ସଦାନନ୍ଦ ଗଡ଼ନାୟକ (୪୨) ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଜଗବନ୍ଧୁଙ୍କ ପେଟରେ ୨/୩ ଥର ଭୁଜାଲି ଭୁସି ଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଉଛି। ଭୁଜାଲି ମାଡ଼ରେ ଘଟଣାସ୍ଥଳରେ ଜଗବନ୍ଧୁଙ୍କ ପ୍ରାଣବାୟୁ ଉଡିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

Advertisment

ଜଗବନ୍ଧୁ ଓ ସଦାନନ୍ଦଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ରହିଥିଲା। ପୂର୍ବ ଶତ୍ରୁତାକୁ ନେଇ ସଦାନନ୍ଦ ଆଜି ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଜଗବନ୍ଧୁ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଛକରେ ଥିବା ଜାଣି ସେଠାରେ ପହଂଚି ଥିଲା। ବିଜୁଳି ଆଳୁଅ ନ ଥିବାରୁ ସଦାନନ୍ଦଙ୍କୁ ଜଗବନ୍ଧୁ ଦେଖିପାରି ନ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଖବର ଲେଖାଯିବା ବେଳକୁ ରାତି ୧୦ଟା ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଂଚି ନାହିଁ।