ପାଇକସାହି: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତୁଳିଆର ଛକ ନିକଟରେ ଗତକାଲି ରାତି ୮ଟା ସମୟରେ ଓ୍ଵାର୍ଡ ସଭ୍ୟଙ୍କୁ ଭୂଜାଲୀରେ ହାଣି ହତ୍ୟା କରାଯାଇଥିଲା। ମୃତ ଓ୍ଵାର୍ଡ ସଭ୍ୟଙ୍କ ନାମ ଜଗବନ୍ଧୁ ବେହେରା ଓ ତାଙ୍କୁ ୫୫ବର୍ଷ ବୋଲି ଜଣାପଡ଼ିଛି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ହତ୍ୟାକାରୀକୁ ପୁଲିସ ଆଜି ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଅନ୍ତୁଳିଆ ଗ୍ରାମରେ ଜମିବାଡି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ସଦାନନ୍ଦ ଗଡ଼ନାୟକ (୪୨) ଓ ମୃତ ଜଗବନ୍ଧୁ ବେହେରାଙ୍କ ମଧ୍ୟରେ ଅନ୍ତୁଳିଆ ଛକ ଉପରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟେକ୍ତ ହୋଇ ସଦାନନ୍ଦ ଏକ ଭୂଜାଲୀରେ ହାଣି ଜଗବନ୍ଧୁଙ୍କୁ ହତ୍ୟା କରିଥିଲା।
ଏହି ହତ୍ୟା ଘଟଣାକୁ ନେଇ ଜଗବନ୍ଧୁଙ୍କ ପତ୍ନୀ ଗାୟତ୍ରୀ ପୁରୁଣାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୫୦/୨୦୧୯ ଦଫା ୩୦୨ ଆଇପିଏସ୍ରେ ମାମଲା ରୁଜୁ କରି ଅଭିଯୁକ୍ତ ସଦାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପଟେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦେଇଛି।