ଖୋର୍ଦ୍ଧା: ପ୍ରାୟ ୩୦ ବର୍ଷ ବିତିଗଲାଣି କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ସଦର ମହକୁମା ଖୋର୍ଦ୍ଧା ସହର ଜବରଦଖଲ ମୁକ୍ତ କରିବା ଅଭିଯାନ କେବେ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। କେତେବେଳେ ବଡ଼ବଡ଼ିଆଙ୍କ ଚାପ ତ କେତେବେଳେ ନ୍ୟାୟାଳୟର ରହିତାଦେଶ, ଏହା ମଧ୍ୟରେ ସାଧାରଣ ଲୋକ, ଆମ୍ବୁଲାନ୍ସରେ ଜୀବନ ବଂଚାଇବା ଆଶାରେ ଦୌଡ଼ୁଥିବା ରୋଗୀଙ୍କ ସମ୍ପର୍କୀୟ, ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ହିଁ ହଇରାଣ ହୁଅନ୍ତି। ଆଜି ପୁଣି ଖୋର୍ଦ୍ଧା ସହରର ଜବରଦଖଲ ଅଭିଯାନ ଅନୁରୂପ ଭାବେ ଉଠା ଓ ରାସ୍ତାକଡ଼ର ଦୋକାନୀଙ୍କ ବିରୋଧ ପରେ ଅଧାରୁ ଅଟକି ଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଟ୍ରାଫିକ୍ ଛକରୁ ରାସ୍ତାର ଉଭୟ ପାଶ୍ୱର୍ରେ ଜବରଦଖଲ କରିଥିବା ଦୋକାନଗୁଡ଼ିକୁ ହଟାଇବା ଅଭିଯାନ ଆରମ୍ଭ ହୋଇଥିଲା। ଏଥିପାଇଁ ତହସିଲଦାର ଇପସିତ ସାହୁ, ଆରଆଇ, ପୌର ପରିଷଦର କର୍ମଚାରୀ ଓ ପୁଲିସ ସାଥିରେ ଏକ୍ସେକାଭେଟର ଆଦି ନେଇ ପହଂଚିଥିଲେ। ଯେଉଁ ଦୋକାନ ଗୁଡ଼ିକ ରାସ୍ତା ଉପରକୁ ମାଡ଼ି ଜବରଦଖଲ କରି ରହିଥିଲେ ସେଗୁଡ଼ିକୁ ହଟାଇଥିଲେ। ତେବେ ଅଧିକାଂଶ ଜବରଦଖଲକାରୀଙ୍କ ମଧ୍ୟରେ ଛୋଟଛୋଟ ପନିପରିବା ଓ ଫଳ ଦୋକାନୀ ଥିଲେ। କେତେକ ଦୋକାନୀ ପୂର୍ବରୁ ଜବରଦଖଲ ହଟାଇବା ନେଇ କୌଣସି ସୂଚନା ନଦେଇ ଏଭଳି ଭଙ୍ଗାରୁଜା କରାଯାଇଛି। ଏଥିପାଇଁ ତହସିଲଦାର, ବିଧାୟକ ଦାୟୀ ବୋଲି ଅଭିଯୋଗ କରିଥିଲେ। ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ମଧ୍ୟ ହୋଇଥିଲା।

Advertisment

କେତେକ ପୁଲିସ କର୍ମଚାରୀ ଜବରଦଖଲକାରୀଙ୍କୁ ଗାଳିଗୁଲଜ କରିବା ମଧ୍ୟ ଦେଖାଯାଇଥିଲେ। ତେବେ ବିରୋଧ ମଧ୍ୟରେ ପ୍ରଶାସନ ଟ୍ରାଫିକ ଛକରୁ ସମବାୟ ବ୍ୟାଙ୍କ ଛକ ଯାଏଁ ରାସ୍ତାର ଉଭୟ ପାଶ୍ୱର୍ର ଥିବା ଜବରଦଖଲ ହଟାଇବାରେ ସକ୍ଷମ ହୋଇଥିଲା। ପ୍ରାୟ ସାଢ଼େ ଗୋଟାଏ ବେଳେ ଶତାଧିକ ଦୋକାନୀ ଏକତ୍ରିତ ହୋଇ ରାସ୍ତା ଉପରେ ଧାରଣା ଦେଇଥିଲେ।

publive-image Sambad

ଏହାପରେ ପ୍ରଶାସନ ଜବରଦଖଲ ହଟାଇବା ବନ୍ଦ କରି ଫେରିଯାଇଥିଲା। ଟ୍ରାଫିକ ଛକ ବ୍ୟବସାୟୀ ସଂଘ, ପଂଚସଖା ବ୍ୟବସାୟୀ ସଂଘ ଓ ପୂର୍ତ୍ତ ଡାକବଙ୍ଗଳା ବ୍ୟବସାୟୀ ସଂଘର ସଦସ୍ୟଙ୍କ ଅଭିଯୋଗ ହେଲା ୫୪୭ ଦୋକାନୀଙ୍କୁ ଉପଯୁକ୍ତ ଥଇଥାନ ନହେବା ଯାଏଁ ନହଟାଇବା ପାଇଁ ଉଚ୍ଚନ୍ୟାୟାଳୟର ନିର୍ଦେଶ ରହିଛି।

ଏହାସତ୍ୱେ ମଧ୍ୟ କୌଣସି ନୋଟିସ ଆଦି ଦିଆନଯାଇ ଜବରଦଖଲ ହଟାଯାଇଛି। ସହରରେ ଅନେକ ବଡ଼ବଡ଼ିଆ ସରକାରୀ ଜାଗା, ଶ୍ମଶାନ ଜମି, ମନ୍ଦିର ଜମି ଜବରଦଖଲ କରିଛନ୍ତି, ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନାହିଁ, କିନ୍ତୁ ଯେଉଁମାନେ ଦିନଟିଏ ପରିବା ଫଳ ବିକ୍ରି ନକଲେ ପରିବାର ଚଳାଇବା କଷ୍ଟକର ସେମାନଙ୍କ ଉପରେ ପ୍ରଶାସନ ଅତ୍ୟାଚାର କରୁଛି। ପ୍ରଥମେ ସେହି ବଡ଼ବଡ଼ିଆ ରାଜନୈତିକ ବ୍ୟକ୍ତିମାନଙ୍କୁ ହଟାନ୍ତୁ ପରେ ସେମାନଙ୍କୁ ହଟାଇବେ। ଏନେଇ ଉପଜିଲ୍ଲାପାଳ ତଥା ଖୋର୍ଦ୍ଧା ପୌର ପରିଷଦର ନିର୍ବାହୀ ଅଧିକାରୀ ଆଇ ଶିବାଜୀ ଗୌରବଙ୍କ କହିବା କଥା ହେଲା, ଗୋଡ଼ି ପୋଖରୀ ଠାରୁ ଆରମ୍ଭ କରି ନୟାଗଡ଼ ରାସ୍ତା ଓ ନୂଆ ବସଷ୍ଟାଣ୍ତ ରାସ୍ତାରେ ଅନେକ ଦୋକାନୀ ନିଜର ମୂଳ ଦୋକାନକୁ ଛାଡ଼ି ନାଳ ଉପରେ, ରାସ୍ତା ଉପରେ ଜବରଦଖଲ କରିଛନ୍ତି। ସେ ଦାୟିତ୍ୱ ନେବା ପରେ ଏଭଳି ତିନି ଥର ଜବରଦଖଲ ହଟାଯାଇଛି। ତେବେ ପୁଣି କିଛି ଦିନ ପରେ ସେହି ସ୍ଥାନରେ ଦୋକାନୀମାନେ ଅକ୍ତଆର କରିନେଉଛନ୍ତି। ନିଜ ଆଡ଼ୁ ଏଭଳି ଜବରଦଖଲ ହଟାଇବାକୁ ମାଇକ ଯୋଗେ ପ୍ରଚାର କରାଯାଇଛି। ଏଭଳି ଜବରଦଖଲ ହଟାଇବା ଅଭିଯାନ କ୍ରମାଗତ ଭାବେ ଚାଲିବ, ଯେଉଁମାନେ ପୁଣି ଦୋକାନ କରିବେ ସେମାନଙ୍କ ବିରୋଧରେ ପେଶାଦାର ଜବରଦଖଲକାରୀ ଭାବେ ଆଇନାନୁସାରେ ପଦକ୍ଷେପ ନିଆଯିବ। ଆଜି ଜବରଦଖଲ ହଟାଇବା ପରେ କାମ ବନ୍ଦ ରହିଛି, ପୁଣି ଏହା ଆରମ୍ଭ କରାଯିବ ବୋଲି ଶିବାଜୀ ଗୌରବ କହିଛନ୍ତି।