ରାଜନଗର: ନଦୀ ନାଳ ଘେରା ରାଜନଗର ବାତ୍ୟା, ବନ୍ୟା ପ୍ରବଣ ଅଂଚଳ। ପ୍ରତିବର୍ଷ ବାତ୍ୟା ଓ ବନ୍ୟା ଯୋଗୁଁ ଜନବସତିରେ ଜୁଆର ପାଣି ପଶେ। ବର୍ଷା ଦିନ ଆସିଲେ ସବୁ ସ୍ତରରେ ଲୁଣା ଘେରିବନ୍ଧ ସୁଦୃଢୀକରଣ ପାଇଁ ଗୁରୁତ୍ବାରୋପ କରାଯାଏ। ରାଜ୍ୟ ସରକାର ଲୁଣା ଘେରିବନ୍ଧର ସୁଦୃଢୀକରଣ ଓ ସୁରକ୍ଷା ପାଇଁ ଅର୍ଥ ଯୋଗାଇ ଦେଉଛନ୍ତି। ମାତ୍ର ର’ ଠ କାମ କରି ଆଖିରେ ଆଙ୍ଗୁଳି ଗେଂଜି ଏହି ଅର୍ଥକୁ ଲୁଟିବାକୁ ମସୁଧା ହୋଇଛି। ଲୁଣା ଘେରିବନ୍ଧକୁ ଆହୁରି ୨ ମିଟର ଉଚ୍ଚତା କରିବା ପାଇଁ ଅର୍ଥବ୍ୟୟ ବରାଦ କରାଯାଇଥିବା ବେଳେ କେବଳ ମାଟି ଛିଂଚି କାମ ସାରି ଦିଆଯାଇଛି। ଏହି ଦୁର୍ନୀତି ଧରା ପଡିଯିବା ପରେ କାମ ସରିନି ଓ କାମ ଠିକ୍ ହୋଇନି ବୋଲି ଯନ୍ତ୍ରୀ ସଫେଇ ଦେଇଛନ୍ତି। ବାରଗାଁ ସାଲାଇନ ବନ୍ଧକୁ ସୁଦୃଢୀକରଣ ଓ ଅଧିକ ଉଚ୍ଚ କରିବା ପାଇଁ ୨୦୨୦–୨୧ ଆର୍ଥିକ ବର୍ଷରେ ୫୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ଏହି ଘେରି ବନ୍ଧର ୩ କିମି ରୁ ୫ କିମି ଯାଏ ପୁରୁଣା ବନ୍ଧକୁ ଦୁଇ ମିଟର ଉଚ୍ଚତା କରିବା ସହ ବନ୍ଧ ଉପରେ ମୋରମ ବିଛାଇବା ପାଇଁ ଟେଣ୍ତର କରି ୧୦ ଫେବ୍ରୃଆରି ୨୦୨୧ରେ ଠିକାଦାର ନିଯୁକ୍ତି କରାଯାଇଥିଲା। ୧ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କାମ ସାରିବା ଅବଧି ଶେଷ ହେବାର ୧୫ମାସ ପରେ ଏହି ଘେରିବନ୍ଧ କାମ ସରିନି ବୋଲି ଯନ୍ତ୍ରୀ ସଫେଇ ଦେଉଛନ୍ତି। ଘେରିବନ୍ଧର ବ୍ୟୟବରାଦ ଅନୁଯାୟୀ ୩ କିମିରୁ ୫ କିମି ଯାଏ ୨ କିମି ଘେରି ବନ୍ଧକୁ ଅଧିକ ୨ ମିଟର ଉଚ୍ଚ କରାଯିବା ସହ ଘେରିବନ୍ଧକୁ ୮ ଫୁଟ ଚଉଡା କରାଯିବ। ଏଥିପାଇଁ ୨୮୯୪୨.୯୪ ସେମି ମାଟି ଏହି ଘେରିବନ୍ଧରେ ପକାଯିବ। ଅର୍ଥାତ୍ ପାଖାପାଖି ୧୫ହଜାର ଟ୍ରାକ୍ଟର ମାଟି ଏହି ଘେରିବନ୍ଧରେ ପଡି ଘେରିବନ୍ଧକୁ ଉଚ୍ଚ କରାଯିବ। ମାଟି କାମ ସରିବା ପରେ ମାଟି ଉପରେ ୫ ଇଂଚରୁ ଅଧିକ ଉଚ୍ଚତାର ମୋରମ ବିଛାଯିବ। ମାତ୍ର ଏହି ଘେରି ବନ୍ଧ କାମରେ ଆଖିବୁଜା ଦୁର୍ନୀତି ହୋଇଛି। ପୁରୁଣା ଘେରିବନ୍ଧ ଉପରେ ୨ ମିଟର ଉଚ୍ଚତା ମାଟି ପକାଇବା ପରିବର୍ତ୍ତେ କେବଳ ମାଟି ଛିଂଚି ଦେଇ କାମ ସାରି ଦିଆଯାଇଛି। ଘେରିବନ୍ଧକୁ ଦେଖିଲେ ଏହି ଦୁର୍ନୀତି ଜଳ ଜଳ ବାରି ହୋଇପଡୁଛି। ପୁରୁଣା ବନ୍ଧରେ ଥିବା ଘାସ ଉପରେ କେବଳ ମୋରମ କଡ଼ରେ ମାଟି ଛିଂଚି କାମ ସାରିଦିଆଯାଇଛି। ଘେରିବନ୍ଧ ଉପରେ ମୋରମ ବିଛାଯିବା ପରେ କଡ଼ରେ ମାଟି ଦେଇ ମାଟି କାମ ହୋଇଛି ବୋଲି ଦେଖାଇବାକୁ ଉଦ୍ୟମ କରାଯାଇଛି।
ଏହି କାମ ନିମନ୍ତେ ଠିକାଦାରଙ୍କ ସହ ଚୁକ୍ତି ହେବାର ମାସେ ଭିତରେ କାମ ସାରିବାକୁ ଚୁକ୍ତି କରାଯାଇଥିଲା। ଜାଣିଶୁଣି କାମକୁ ବିଳମ୍ବ କରାଯାଇଥିଲା। ଏବେ କେବଳ ମୋରମ ବିଛାଇ କଡ଼ରେ ମାଟି ଛିଂଚି ମାଟି ବାବଦ ଥିବା ଟଙ୍କାକୁ ଲୁଟିବାକୁ ମସୁଧା ହୋଇଛି ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ବ୍ୟୟବରାଦରେ ୨ କିମି ଘେରିବନ୍ଧକୁ ଉଚ୍ଚ କରିବା ପାଇଁ ମାଟି ନିମନ୍ତେ ୪୩ ଲକ୍ଷ ୨୯ ହଜାର ୮୬୩ ଟଙ୍କା ଏବଂ ମୋରମ ପାଇଁ ୬ ଲକ୍ଷ ୬୯ ହଜାର ୬୩୬ ଟଙ୍କା ରହିଛି। ମୋଟ ଏହି କାମ ପାଇଁ ୪୯ ଲକ୍ଷ ୯୯ ହଜାର ୪୯୯ ଟଙ୍କା ଯୋଗାଇ ଦିଆଯାଇଛି। ୫୦ ଲକ୍ଷ ଟଙ୍କାର କାମକୁ ର’ ଠ’ କରି କାମ ସାରି ଦିଆଯାଇଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ବନ୍ୟା ଆସିଲେ ବ୍ରାହ୍ମଣୀ ନଦୀରେ ଜୁଆର ଆସି ବାରଗାଁ ଅଂଚଳରେ ତାଣ୍ତବ ରଚେ। ପ୍ରତିବର୍ଷ ଏହି ଲୁଣା ଘେରିବନ୍ଧ ଡେଇଁ ଜୁଆର ପାଣି ଜନବସତିରେ ପଶେ। ଏପରି ସ୍ଥଳେ ଲୁଣା ଘେରିବନ୍ଧକୁ ସୁଦୃଢୀକରଣ କରିବା ପରିବର୍ତ୍ତେ ର’ ଠ’ କରି କାମ ସାରିଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏ ସଂପର୍କରେ ତଟବନ୍ଧ ବିଭାଗର ସହକାରୀ ଯନ୍ତ୍ରୀ ରବିନ୍ଦ୍ରନାଥ ସାମଲଙ୍କୁ ପଚାରିବାରୁ ଆପଣ ଯାହା ଦେଖିଛନ୍ତି, ଆମେ ସେଇଆ ଦେଖିଛୁ। କାମ ଠିକ୍ ହୋଇନି, ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି । କାମ ସରିନି, କାମ ବାକି ଅଛି ବୋଲି କହିଛନ୍ତି। ରାସ୍ତାରେ ମୋରମ ବିଛା ଯିବା ପରେ କିପରି ମାଟିକାମ ବାକି ରହିଲା, ତାହାକୁ ନେଇ ସନ୍ଦେହ ବଢିଛି।