ପରିଣତ ବୟସରେ ପରିବାର ବୋଝ: ହାତୁଡ଼ି, ବଟାଳି ଆଗରେ ହାର୍ ମାନିଛି ହାଡ଼ଭଙ୍ଗା ଜାଡ଼

କାଳିଆପାଣି: ବୟସ୍କ ହୋଇ ବି କରୋନା ବେଳେ କାମ କରୁଛନ୍ତି। ପରିଣତ ବୟ‌ସରେ କରୋନାର ଭୟାବହତାକୁ ଖାତିର ନକରି ପରିବାର ପାଳୁଛନ୍ତି ବାଲିକୁଦାର ଦିବାକର ମହାରଣା(୭୩)। ପରିବାର ଚିନ୍ତାରେ ସେ ଏବେ ପୈତୃକ ଘର ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ସାଉଡ଼ିଆ ପଞ୍ଚାୟତ ବାଲିକୁଦା ମୌଜା ବଢ଼େଇସାହି ଛାଡ଼ି ଶହେ କିଲୋମିଟର ଦୂର କାଳିଆପାଣି ଆସି ମୂଲ ଲାଗୁଛନ୍ତି। ଏଠି ମାସମାସ ଧରି ରହିବା ସହ ନିୟମିତ କାମ କରୁଛନ୍ତି। ସକାଳୁସକାଳୁ ତାଙ୍କ ନିହାଣ ମୁଗୁର ପାହାର ଆଗରେ ହାଡ଼ଭଙ୍ଗା ଜାଡ଼ ବି ହାର ମାନୁଛି।

ଦିବାକରଙ୍କ ଜୀବନ ଶୈଳୀ ଓ କାମ କରିବାର ନିଷ୍ଠା, ନିଘା ଓ ନିଶାକୁ ଦେଖିଲେ ଏହି ବରିଷ୍ଠ ନାଗରିକଙ୍କ ପାଖେ ମୁଣ୍ଡ ନଇଁଯିବ। ଏବେ ବି ମୂଲ ଲାଗି ସେ ମାସକୁ ପ୍ରାୟ ୧୫ ହଜାର ଟଙ୍କା ରୋଜଗାର କରିବାର ସାମର୍ଥ୍ୟ ରଖିଥିବା କହନ୍ତି। ଏହି ସ୍ବାଭିମାନୀ ବରିଷ୍ଠ ନାଗରିକଙ୍କ ରୋଜଗାରରେ ପତ୍ନୀ, ପୁଅବୋହୂ ଓ ନାତିନାତୁଣୀଙ୍କୁ ନେଇ ତାଙ୍କ ୧୦ ଜଣିଆ ପରିବାର ଚଳୁଛି। ଇଚ୍ଛା କରିଥିଲେ ସେ ଶିକ୍ଷକ ଚାକିରି କରିଥାନ୍ତେ। କିନ୍ତୁ ଦୂର ସ୍ଥାନରେ ନିଯୁକ୍ତି, କୌଳିକ ବୃତ୍ତି ଓ ସଂକୀର୍ତ୍ତନ ନିଶା ତାଙ୍କୁ ଗାଁରୁ ବାହାରକୁ ଛାଡ଼ି ନଥିଲା। ବାର୍ଦ୍ଧକ୍ୟ ଗ୍ରାସିଥିଲେ ବି ପରିସ୍ଥିତି ଚାପରେ ସେ ଆହୁରି ଦୂରକୁ ଆସି ଖଟିବାକୁ ବାଧ୍ୟ ହୋଇଛନ୍ତି।

୧୯୬୭ ମସିହାରେ ମାଟ୍ରିକ୍‌ ପରୀକ୍ଷା ଗଣିତରେ ମାତ୍ର ୧୨ ନମ୍ବର କମ ପାଇଁ ସେ ଅକୃତ କାର୍ଯ୍ୟ ହୋଇଥିଲେ। ସେତେବେଳେ ଶିକ୍ଷକ ଚାକିରି ପାଇଁ ମାସିକ ୭୦ ରୁ ୮୦ ଟଙ୍କା ବେତନ ମିଳୁଥିଲା। ଅନ୍ୟ ପଟେ ନିଜ ଘର ପାଖରେ କୌଳିକ ବୃତ୍ତିରୁ ସେ ଦୈନିକ ୫ ଟଙ୍କା ମଜୁରିରେ ଯଥେଷ୍ଟ କାମ ପାଉଥିଲେ। ତାଙ୍କ ଡାଳି ଓ ନିଖୁଣ କାଠକାମକୁ ସଭିଏଁ ତାରିଫ କରୁଥିଲେ। ଏହାବାଦ ଗ୍ରାମାଞ୍ଚଳରେ ସଂକୀର୍ତ୍ତନ ଗୁରୁ ଭାବେ ଶ୍ରୀ ମହାରଣାଙ୍କର ଯଥେଷ୍ଟ ସୁନାମ ରହିଛି। ଏଇ ବୟସରେ ବି ସେ ବୈଠକୀ ଭଜନ ଓ ଅଷ୍ଟପ୍ରହର ନଗର କୀର୍ତ୍ତନର ମୋହ ତୁଟାଇ ପାରିନାହାନ୍ତି। ଏକାଏକା ନାମ ଧରି ସେ ରାତି ପୁହାଇଦେବେ ବୋଲି ଦୃଢ଼ୋକ୍ତି କରନ୍ତି। ଆଧ୍ୟାତ୍ମିକ ଚେତନା ପାଇଁ ପରିବାର ଝଡ଼ଝଞ୍ଜାକୁ ଆଡ଼େଇ ଝାଞ୍ଜ ଓ ଖୋଳକୁ ଆପଣାଇବାରେ ସେ କୁଣ୍ଠାବୋଧ କରନ୍ତିନି ବୋଲି ତାଙ୍କ ସହକର୍ମୀ ପୁତୁରା ଦିଲ୍ଲୀପ ମହାରଣା ମତ ଦିଅନ୍ତି।

୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିର୍ମାଣ ଶ୍ରମିକ ଭାବେ କାମ କରିଆସୁଥିଲେ ମଧ୍ୟ ଏହି ବରିଷ୍ଠ ନାଗରିକ ନିର୍ମାଣ ଶ୍ରମିକ ଭାବେ ଗଣା ହୋଇନାହାନ୍ତି। ପଞ୍ଜୀକରଣ ଅଭାବରୁ ସେ ବର୍ଷବର୍ଷ ଧରି ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। କରୋନା ପାଇଁ ଗାଁ ଗହଳିରେ କାମ କମି ଯାଇଥିବା କହନ୍ତି ଶ୍ରୀ ମହାରଣା। ମାସକୁ ୧୫ ଦିନ ବି କାମ ମିଳୁନି। ହେଲେ ମନରେ ଭୟ ଥିଲେ ବି କରୋନା ତାଙ୍କ ପାଇଁ ସୁଯୋଗ ଆଣିଛି ବୋଲି ସେ ମତ ରଖନ୍ତି। ଦୈନିକ ୮ ରୁ ୯ ଘଣ୍ଟା କାମ ଭିତରେ ବି ନିୟମିତ ପାହାନ୍ତିଆ ପ୍ରାତଃ ଭ୍ରମଣ ତାଙ୍କୁ ସୁସ୍ଥ ରଖିଛି ବୋଲି ସେ ଦୃଢ଼ୋକ୍ତି କରନ୍ତି।

ସମ୍ବନ୍ଧିତ ଖବର