ସମନ୍ବିତ କୃଷି ବିକାଶ ଯୋଜନା ବାଟବଣା: ୫୦ ଚାଷୀ ବି ସାମିଲ ହେଲେନି

କାର୍ଯ୍ୟକାରୀ ହୋଇ ପାରିନି ଅନୁମୋଦନର ୫୦%

ଜୟପୁର: କୃଷି କ୍ଷେତ୍ରରେ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ଯୋଜନା ମାଧ୍ୟମରେ ସମନ୍ବିତ କୃଷି ପ୍ରଣାଳୀ(ଆଇଏଫ୍‌ଏସ୍‌) ଓ ସ୍ବତନ୍ତ୍ର ରାଜ୍ୟ ଯୋଜନା(ଏସ୍‌ପିପିଆଇଏଫ୍‌) ଜିଲ୍ଲା‌ରେ କାର୍ଯ୍ୟକାରୀ କରାଯାଉଛି। ପ୍ରଥମରେ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଏହି ଯୋଜନାରେ ହିତାଧିକାରୀ ଚୟନ କାର୍ଯ୍ୟ ସମାପ୍ତ ହୋଇପାରୁନି। ଯେତିକି ପରିମାଣର ଚୟନ ଏବଂ ଅନୁମୋଦନ କରାଯାଉଛି ସେଥିମଧ୍ୟରୁ ୫୦ପ୍ରତିଶତ ଚାଷୀ ବି ଏହି ଯୋଜନାରେ ସାମିଲ ହୋଇ ପାରି ନଥିବା ଅଭିଯୋଗ ଉଠିଛି। କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁପାଳନ, ମୃତ୍ତିକା ସଂରକ୍ଷଣକୁ ମିଶାଇ ରାଜ୍ୟସରକାର କରିଛନ୍ତି ସମନ୍ବିତ କୃଷି ବିକାଶ ଯୋଜନା। ଯେକୌଣସି ଚାଷୀ ଏମ୍‌ଜିଏନ୍‌ଆର ଇଜିଏସ୍ ସହାୟତାରେ ନିଜ ଜମିରେ ପୋଖରୀ ଖନନ କରିବେ। ସେଠି ମାଛ ଚାଷ ସହିତ ନିକଟରେ ଧାନ, ପନିପରିବା କିମ୍ବା ଫଳ ଚାଷ ଏବଂ କୁକୁଡ଼ା, ଗୋରୁ କିମ୍ବାଛେଳି ପାଳନ କରିବେ। ମାତ୍ର ୨୦୦ ବର୍ଗ ମିଟର ଜମିରେ ମଧ୍ୟ ପୋଖରୀ ଖୋଳି କିଚେନ ଗାର୍ଡେନ କରି ଚାଷୀ ଉପାର୍ଜନ କରିପାରିବେ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।

Sambad

ଜିଲ୍ଲାରେ ୧୪ଟି ବ୍ଲକରୁ ୮୪ଜଣ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୧୪ରୁ ୨ଟି ବ୍ଲକରେ ଜମାରୁ ଚିହ୍ନଟ ହୋଇ ପାରିନଥିଲା। ବଳକା ୧୨ଟି ବ୍ଲକରୁ ୭୩ଜଣଙ୍କ ଆବେଦନ ସଂଗ୍ରହ କରିବା ପରେ ଜିଲ୍ଲା କୃଷି ବିଭାଗର ଯାଞ୍ଚ ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାର କୃଷି କମିଟି ୫୫ଟି ଚାଷୀଙ୍କ ଆବେଦନକୁ ଅନୁମୋଦନ ଦେଇଥିଲେ। ତେବେ ଏହାରି ମଧ୍ୟରେ ମାତ୍ର ୨୭ଟି ଚାଷୀଙ୍କ କାମ କରିବାକୁ ନିର୍ଦେଶନାମା ‌ଦିଆଯାଇଥିବା ବେଳେ ଆହୁରି ୨୮ଜଣ ଚାଷୀ ଅର୍ଥାତ ୫୦ପ୍ରତିଶତ ଏହି ଗୋ ଏହେଡ୍ ନିର୍ଦେଶନାମା ପାଇବା ଅପେକ୍ଷାରେ ରହିଛନ୍ତି। ଜିଲ୍ଲାରେ ଏହି ଯୋଜନାରେ ଖରିଫରେ ୨୦୫ହେକ୍ଟର ମକା, ଚିନାବାଦାମ ୧୧୭ହେକ୍ଟର, କାନ୍ଦୁଲ ଡା‌ଲି ୫୭ହେକ୍ଟର, ତୈଳଜାତୀୟ ୫୬.୫ହେକ୍ଟର, ମସଲାଜାତୀୟ ୧୬ହେକ୍ଟର ଏଭଳି ୪୫୧.୫ହେକ୍ଟର ଓ ରବିରେ ୧୬୦ହେକ୍ଟର ଚାଷ କରାଯାଇଥିଲା। ଏହି ଯୋଜନା କାର୍ଯ୍ୟକାରୀର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା, ଜଣେ ଚାଷୀଙ୍କ ପାଇଁ ସବୁ କାର୍ଯ୍ୟ ଏକାଠି କରିବା ସହଜ ହେଉ ନାହିଁ। ଦ୍ବିତୀୟତଃ ଚାଷୀଙ୍କ ନିଜ ପୋଖରୀ ଥିଲେ ମଧ୍ୟ ସେ ଏହି ଯୋଜନାର ହିତାଧିକାରୀ ହୋଇ ପାରିବେ ନାହିଁ। ଏମ୍‌ଜିଏନ୍‌ଆର ଇଜିଏସ୍‌ ଜରିଆରେ ହିଁ ତାଙ୍କୁ ପୋଖରୀ ଖୋଳିବାକୁ ପଡ଼ିବ। ଅନେକ ଚାଷୀଙ୍କ ପାଇଁ ପଶୁପାଳନ ସହଜ ହେଉନାହିଁ। ସେମାନେ ଏଥିପ୍ରତି ଆଗ୍ରହ ଦେଖାଇ ପାରୁନାହାନ୍ତି। ସର୍ବୋପରି ଯୋଜନା କାର୍ଯ୍ୟକାରୀ ପରେ ଟଙ୍କା ମିଳୁଥିବାରୁ ଆରମ୍ଭରୁ ଚାଷୀ ପାଇଁ ଟଙ୍କା ଅଭାବ ମଧ୍ୟ କାରଣ ହେଉଛି। ଏଥିଯୋଗୁଁ ଅଧିକାଂଶ ଜିଲ୍ଲା ହିତାଧିକାରୀ ଚିହ୍ନଟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ପାରୁନଥିବା କୃଷି ବିଭାଗ କହୁଛି। ଏହି ସ୍ଥିତିରେ ଏହି ଯୋଜନା କେତେ ଦୁର ସଫଳ ହେବ ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର