ରାଉରକେଲା: ହକି ବିଶ୍ବକପ୍‌ ସମୟରେ ରାଉରକେଲା ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଦିନ କେଇଟା ନଜାଉଣୁ ତରବରିଆ ଓ ନିମ୍ନମାନର କାମ ଯୋଗୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାମର ମାନ ପଦାକୁ ଆସୁଛି। ରାଉରକେଲା ବିମାନ ବନ୍ଦର ପାର୍ଶ୍ବ ହକି ଷ୍ଟାଚ୍ୟୁ ଭାଙ୍ଗିପଡ଼ିବା ଖବର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବିଶ୍ବସ୍ତରୀୟ ଅତ୍ୟାଧୁନିକ ହକି ଷ୍ଟାଡିୟମ ଓ ପାନପୋଷସ୍ଥ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡ଼ିୟମରୁ ପାଣି ଗଳୁଛି। ଏବେ ସେହି ସମାନ ସ୍ଥିତି ଉପୁଜିଛି ସେକ୍ଟର-୫ସ୍ଥ ପାନ୍ଥନିବାସରେ। ହକି ବିଶ୍ବକପ୍‌ ପାଇଁ ଓଟିଡ଼ିସି ଦ୍ବାରା ପରିଚାଳିତ ରାଉରକେଲା ପାନ୍ଥନିବାସର ପୁନୁରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମରେ ପାଖାପାଖି ୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Advertisment

ପାନ୍ଥନିବାସରେ ଗଳୁଛି ପାଣି, ସେପାଖକୁ ତାଲାମାରି ରଖା ଯାଇଛି
ଗତ ୫ ଜାନୁଆରିରେ ଉଦ୍‌ଘାଟିତ ହୋଇଥିଲା

ତେବେ ଠିକାସଂସ୍ଥାର ନିମ୍ନମାନର କାମ କାରଣରୁ ଉଦ୍‌ଘାଟନର ୧୭ ସପ୍ତାହ ନ ପୁରୁଣୁ ସେଠାରେ ବର୍ଷାପାଣି ଗଳିଲାଣି। କୋଠାର ଯେଉଁ ପାର୍ଶ୍ବରେ ବର୍ଷା ପାଣି ଗଳୁଛି, ସେହି ପାର୍ଶ୍ବକୁ ତାଲାମାରି ରଖା ଯାଇଛି। ପୁନଃ ମରାମତି ପରେ ତା’କୁ ଖୋଲାଯିବ ବୋଲି ପାନ୍ଥନିବାସ ପକ୍ଷରୁ କୁହାଯାଉଛି। ସାମାନ୍ୟ ବର୍ଷାରେ ଯଦି ଏଭଳି ସ୍ଥିତି ଉପୁଜିଛି, ଲଗାଣ ବର୍ଷାରେ ସମସ୍ୟା ଆହୁରି ଜଟିଳ ହେବ। ଯେମିତି କାମ ହୋଇଛି ଅନ୍ୟ ପାର୍ଶ୍ବ ଛାତରୁ ମଧ୍ୟ ବର୍ଷା ପାଣି ଗଳିବାର ଆଶଙ୍କା ରହିଛି। ତାଲା ଝୁଲୁଥିବାରୁ ପାନ୍ଥନିବାସକୁ ଆସୁଥିବା ଲୋକେ ଏବେ ମୁହଁ ଫେରାଇ ଚାଲିଯାଉଛନ୍ତି। ଗୋଟିଏ ସଂଯୋଗ ହେଉଛି, ପାନ୍ଥନିବାସର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାମ କରିଥିବା ଠିକାସଂସ୍ଥା ରାଉରକେଲା ବିମାନବନ୍ଦର ପାର୍ଶ୍ବ ହକି ଷ୍ଟାଚ୍ୟୁର ନିର୍ମାଣ ବି କରିଥିଲା। ଏ ଦୁଇଟି ଯାକର ମାନ ନିମ୍ନବୋଲି ପ୍ରମାଣିତ ହୋଇ ଯାଇଥିବାରୁ ସେଥିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ ସେ ଚଳିତ ବର୍ଷ ଜାନୁଆରି ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ୍‌ ସହ ପାନ୍ଥନିବାସକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ୫ଟି ସଚିବ ଭି.କେ. ପାଣ୍ଡିୟାନ, ଓଟିଡ଼ିସିର ଅଧ୍ୟକ୍ଷ ଲେନିନ୍‌ ମହାନ୍ତି, ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୧ ତାରିଖରେ ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ ଭାଙ୍ଗିଯାଇଥିଲା। ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି। ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଥିଲା।

publive-image

ପାନପୋଷ ହକି ଛକରେ ୧୧ କୋଟି ୬୦ ଲକ୍ଷରେ ନିର୍ମିତ ବିଜୁ ପଟ୍ଟନାୟକ ଇନ୍‌ଡ଼ୋର ଷ୍ଟାଡ଼ିୟମରୁ ମଧ୍ୟ ଅସରାଏ ବର୍ଷା ହେଲେ ପାଣି ଗଳୁଛି। ଭିତରର ଏସି ଓ ଆଲୋକ ବ୍ୟବସ୍ଥା ଠିକ୍‌ ରୂପେ କାମ କରୁନାହିଁ। ରାଉରକେଲାସ୍ଥ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ଷ୍ଟାଡିୟମ ସ୍ଥିତି ଆହୁରି ସଙ୍ଗିନ୍‌। ପ୍ରାୟ ୨୬୧ କୋଟି ବା ତା’ଠାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଏହି ବିଶ୍ବସ୍ତରୀୟ ଷ୍ଟାଡିୟମରେ ଯେଉଁସବୁ ଅତ୍ୟାଧୁନିକ ବ୍ୟବସ୍ଥା ଅଛି ବୋଲି ପ୍ରଚାର କରା ଯାଇଥିଲା, ତାହା ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏବେ କିନ୍ତୁ ଷ୍ଟାଡିୟମରେ ପାଣି ଗଳିବା ଆରମ୍ଭ ହୋଇଗଲାଣି। ଗୋଟିଏ ବର୍ଷାରେ ଷ୍ଟାଡିୟମ ଛାତରୁ ପାଣି ଗଳିବା, ଗ୍ୟାଲେରିରେ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ଭିଭିଆଇପିମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ଗେଟ୍‌ପାଖରେ ସାମାନ୍ୟ ବର୍ଷାରେ ଅହରହ ପାଣି ଗଳୁଛି। ସେହିଭଳି ଉକ୍ତ ଗେଟ୍‌ଦେଇ ପଡ଼ିଆ ଭିତରକୁ ଯିବା ରାସ୍ତା‌ର ଗୋଟିଏ ସ୍ଥାନରେ ପାଣି ଗଳୁଛି। ପଶ୍ଚିମ ଷ୍ଟାଣ୍ଡ୍‌ର ଗ୍ୟାଲେରିରେ ସର୍ବଦା ପାଣି ଜମି ରହୁଛି। ଅପର୍‌ଗ୍ରାଉଣ୍ଡ୍‌ରେ ଜମି ପାଣି କୁତ୍ରିମ ପୋଖରିର ଭ୍ରମ ସୃଷ୍ଟି କରୁଛି। କୋଟି କୋଟି ଟଙ୍କା ବ୍ୟୟରେ ବିଛା ଯାଇଥିବା ଟର୍ଫ‌ ଉପରେ ମଧ୍ୟ ବହୁମାତ୍ରାରେ ପାଣି ଜମି ରହୁଥିବା ପରିଲକ୍ଷିତ ହେଉଛି।