କଣ୍ଟ ପୂରିଲା, ହେଲେ ଅମ୍ଲାଭଟ୍ଟା-ଚାଟିକଣା ରାଜପଥ ସରିଲାନି କାମ

ରାୟଗଡ଼ା: ଠିକାଦାରଙ୍କ ଇଚ୍ଛାରେ ଚାଲିଛି କାମ। କାମ କରୁନି ମନ୍ତ୍ରୀ-ଯନ୍ତ୍ରୀଙ୍କ ତାଗିଦ୍। ଅଢ଼େଇ ବର୍ଷରେ ପୂରିଲାଣି ୬ଟି କଣ୍ଟ। ହେଲେ ସମୟ ସିନା ଗଡୁଛି ରାସ୍ତା କାମ ସରିପାରୁନି।

ବିଶାଖାପାଟଣା-ରାୟପୁର ରାସ୍ତାର ରାୟଗଡ଼ାରୁ ବିଷମକଟକକୁ ସଂଯୋଗ କରୁଛି ୫ ନଂ ରାଜ୍ୟ ରାଜପଥ। ରାଜପଥର ଅମ୍ଲାଭଟ୍ଟାରୁ ଚାଟିକଣା ୨୮ କିମି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହାତେଇଛି ଭବାନୀପାଟଣାର ବିନୋଦିନୀ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍। ଟେଣ୍ଡର ପ୍ରକ୍ରିୟାକୁ ଇତି ମଧ୍ୟରେ ଅଢ଼େଇ ବର୍ଷ ବିତିଲାଣି। ଦେଢ଼ ବର୍ଷ ପର୍ୟ୍ୟନ୍ତ ରାସ୍ତା କାମ ଆରମ୍ଭ ନ ହେବାରୁ ପ୍ୟାଚ୍ ପକାଇ କାମ ଚଲାଇଥିଲା ପୂର୍ତ୍ତ ବିଭାଗ। ୨୦୨୦ରେ କାମ ଆରମ୍ଭ ପରେ ଏଯାବତ୍ ସଂପର୍ଣ୍ଣ ହୋଇପାରିନି। ରାସ୍ତାର ଦୂରାବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆନ୍ଦୋଳନ ଚେତାବନୀ ପରେ ମନ୍ତ୍ରୀ-ଜିଲ୍ଲାପାଳ-ପୂର୍ତ୍ତ ବିଭାଗ ଯନ୍ତ୍ରୀ ଠିକାଦାରଙ୍କୁ କାମ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ନାନା ଆଳ ଦେଖାଇ ଠିକା ସଂସ୍ଥା କାମ ନ କରିବା ପରେ ୨୦୨୦ ମାର୍ଚ୍ଚ ମାସରେ ସଂପୃକ୍ତ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ସରକାର ଓ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହା ପରେ ଠିକା ସଂସ୍ଥା କାମ ଆରମ୍ଭ କରି ୨୦୨୦ ଡିସେମ୍ବର ସୁଦ୍ଧା ୨୮ କିମି ରାସ୍ତା ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଶ୍ରମିକ ଓ ଅନ୍ୟାନ୍ୟ ସମସ୍ୟା ଦେଖାଇ ଠିକାଦାର ଖସିଯିବା ପରେ ଏବେ ପୂର୍ତ୍ତ ବିଭାଗ ପୁଣି ୨୦୨୧ ମାର୍ଚ୍ଚ ମଧ୍ୟରେ ରାସ୍ତା କାମ ଶେଷ କରିବାକୁ ଠିକାଦାରକୁ ମହଲତ ଦେଇଛି। ଯାହା ବିଭାଗର ଠିକାଦାର ପ୍ରୀତିକୁ ପଦାରେ ପକାଇଛି।

୫ ନଂ ରାଜ୍ୟ ରାଜପଥର ଅମ୍ଲାଭଟ୍ଟା ଛକରୁ ଚାଟିକଣା ପର୍ୟ୍ୟନ୍ତ ୨୮.୬୮୦ କିମି ରାସ୍ତା ନିର୍ମାଣ ପାଇଁ ୨୦୧୯ ମସିହାରେ ପୂର୍ତ୍ତ ବିଭାଗ-୧ ଟେଣ୍ଡର ଡାକିଥିଲା। ୧୨. ୬୦ ପ୍ରତିଶତ ଲେସରେ ଭବାନୀପାଟଣାର ବିନୋଦିନୀ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହାତେଇଥିଲା। ୧୧ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରାସ୍ତା କାମ ୩ ମାସର ଅବଧି ମଧ୍ୟରେ ଶେଷ କରିବାକୁ ଠିକା ସଂସ୍ଥା ୨୦୧୯ ଜୁଲାଇ ମାସରେ ଚୁକ୍ତି କରିଥିଲା। ୨୦୧୯ ନଭେମ୍ବର ସୁଦ୍ଧା କାମ ସାରି ଡିସେମ୍ବରରେ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଚୁକ୍ତିରେ ଉଲ୍ଲେଖ ରହିଛି। ହେଲେ ୩ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇପାରିନି। ୨୮ କିମି ରାସ୍ତା ମଧ୍ୟରୁ ୨୩ କିମି ରାସ୍ତାର ପ୍ରଥମ ଲେୟାର୍ ପିଚୁ କାମ ଶେଷ ହୋଇଛି। ଆହୁରି ୫ କିମି ରାସ୍ତା ପୂର୍ବ ଭଳି ମରଣଯନ୍ତା ହୋଇ ରହିଥିବାରୁ ପ୍ୟାଚ୍ ପକାଇ କାମ ଚଳାଇ ନେଉଛି ପୂର୍ତ୍ତ ବିଭାଗ। ଦ୍ବିତୀୟ ପର୍ୟ୍ୟାୟ ପିଚୁ ଲେୟାର୍ ସ୍ଥିତି ଆହୁରି ସାଂଘାତିକ। ୨୮ କିମି ମଧ୍ୟରୁ ମାତ୍ର ୬ କିମି ରାସ୍ତାର ଦ୍ବିତୀୟ ଲେୟାର୍ ପିଚୁ ପଡିଛି। ୨୬ କିମି ରାସ୍ତା ସେମିତି ପଡି ରହିଛି। ଦ୍ବିତୀୟ ଲେୟାର୍ ପିଚୁ କାମରେ ଅହେତୁକ ବିଳମ୍ବ ହେଉଥିବାରୁ ନିର୍ମାଣ ହୋଇଥିବା କାମ ଭାରିଯାନ, ମାଲବାହୀ ଟ୍ରକ୍ ଚଳାଚଳ ଯୋଗୁ ନଷ୍ଟ ହେବାକୁ ବସିଲାଣି। ଜିଲ୍ଲାର ୩ ପଛୁଆ ବ୍ଲକ୍ ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁରକୁ ଯାତାୟାତ ପାଇଁ ଏହି ରାସ୍ତା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଅନ୍ୟପକ୍ଷରେ କଳାହାଣ୍ଡି, କନ୍ଧମାଳ ସମେତ ରାୟପୁରକୁ ଯିବା ପାଇଁ ମଧ୍ୟ ଦୈନିକ ଶହ ଶହ ଯାନବାହନ ଓ ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଦୈନିକ ମନ୍ତ୍ରୀ-ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ଏହି ରାସ୍ତାରେ ଗଡ଼ୁଛି। ତଥାପି ରାସ୍ତା ନିର୍ମାଣ କ୍ଷେତ୍ରରେ ଠିକା ସଂସ୍ଥା-ପୂର୍ତ୍ତ ବିଭାଗ ୩ ବର୍ଷ ହେଲା ଅବହେଳା କରି ଚାଲିଛନ୍ତି।

ସମ୍ବନ୍ଧିତ ଖବର