ଶିଳ୍ପନଗରୀର ଶ୍ରମିକ ଅସହାୟ: ନିର୍ମାଣ ଶ୍ରମିକ ସହାୟତା ହେଉଛି ବାଟମାରଣା, ବଣ୍ଟାଯାଇଥିବା କୋଟି କୋଟି ଟଙ୍କା ସହାୟତା ଉପରେ ପ୍ରଶ୍ନବାଚୀ

ଝାରସୁଗୁଡ଼ା: ଶିଳ୍ପର ବିକାଶ ପରେ ଝାରସୁଗୁଡ଼ା ଜିଲ୍ଲାରେ ଶ୍ରମିକମାନଙ୍କ ଆବଶ୍ୟକତା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଥିଲା। ତେବେ ଜିଲ୍ଲାରେ ଶ୍ରମିକ ମାନଙ୍କୁ ଯେଭଳି ଭାବରେ ଗୁରୁତ୍ୱ ଦେବା କଥା ତାହା ଆଦୌ କରାଯାଉନଥିବା ସ୍ପଷ୍ଟ ଜଣାପଡ଼ୁଛି। ଶ୍ରମିକ ମୁଣ୍ଡଝାଳ ତୁଣ୍ଡରେ ମାରି ବଡ଼ ବଡ଼ କାରଖାନା ମାଟିରେ ଠିଆ କରି ଶିଳ୍ପପତି ଓ ସରକାରଙ୍କ ପାଇଁ ସହଯୋଗର ହାତ ବାଇବା ବେଳେ ନିଜେ ଅସହାୟ ହୋଇଛି। ଜିଲ୍ଲାରେ ଗଢ଼ି ଉଠିଥିବା ହଜାର ହଜାର କୋଟି ଟଙ୍କାର କଳ କାରଖାନାର ଉତ୍ପାଦନରେ ମୁଖ୍ୟ ସହଯୋଗ କରୁଥିବା ଏହି ଶ୍ରମିକ ଗୋଷ୍ଠୀ ଆଜିବି ତାଙ୍କର ହକ୍‌ ପାଇବା ପାଇଁ ବାରଦ୍ଵାର ଶୁଣ୍ଢିପିଣ୍ଢା ହେଉଥିବା ଦେଖାଯାଇଛି।

ନିର୍ମାଣ ଶ୍ରମିକଙ୍କ କଲ୍ୟାଣାର୍ଥେ ବିଭିନ୍ନ ଘରୋଇ ଓ ସରକାରୀ ନିର୍ମାଣ ପ୍ରକଳ୍ପରୁ ଶ୍ରମିକ କଲ୍ୟାଣ କୋଷ ପାଇଁ ସେସ୍‌ ଆଦାୟ କରାଯାଇ ଏହାର ଅର୍ଥରେ ଶ୍ରମିକଙ୍କ ନିରାପତ୍ତା ଓ ପରିବାର ସୁରକ୍ଷା ନେଇ ସରକାର ଖର୍ଚ୍ଚ କରିଥାନ୍ତି। ଏଥିପାଇଁ କଡ଼ା ନିୟମ ପ୍ରଣୟନ ହୋଇଛି। ମାତ୍ର ପ୍ରଶାସନିକ ଉଦାସିନତା ଓ ଶ୍ରମ ବିଭାଗର ଅପାରଗତା ଯୋଗୁଁ ଏବେବି ଶ୍ରମିକ ମାନେ ତାଙ୍କର ନ୍ୟାର୍ଯ୍ୟ ହକ୍‌ ପାଇପାରୁନାହାନ୍ତି। ଶ୍ରମିକଙ୍କ ଉଦ୍ଦେଶ୍ୟରେ ଆଦାୟ ହେଉଥିବା ଏହି ସେସ୍‌କୁ ଚଞ୍ଚକତା କରି ସରପଞ୍ଚ, ସମିତି ସଭ୍ୟ, କୁଜି ନେତା ଓ ସରକାରୀ ବାବୁମାନେ ନିଜେ ଚଳୁ କରୁଥିବା ଅଭିଯୋଗ ସ୍ଥଳବିଶେଷରେ ସତ୍ୟରେ ପରିଣତ ହୋଇଥିବା ଅନେକ ପ୍ରମାଣ ମିଳିଛି।

ଶ୍ରମିକ କଲ୍ୟାଣ କୋଷରୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସହାୟତା ପାଇଁ ନିର୍ମାଣ ଶ୍ରମିକମାନଙ୍କୁ ଶ୍ରମ ବିଭାଗରେ ପଞ୍ଜିକରଣ କରିବାକୁ ପଡ଼ିଥାଏ। ତେବେ ଅନେକ ନିର୍ମାଣ ଶ୍ରମିକ ଏହି ପଞ୍ଜିକରଣ ସଂପର୍କରେ ଜାଣିନଥିବା ବେଳେ ବହୁ ସରକାରୀ କର୍ମଚାରୀ, ଶିକ୍ଷକ, ବ୍ୟବସାୟୀ, ସରପଞ୍ଚ, ସମିତିସଭ୍ୟ ନିଜକୁ ନିର୍ମାଣ ଶ୍ରମିକ ବୋଲି ପଞ୍ଜିକରଣ କରାଇ ଏହି ସହାୟତା ହାତେଇ ନେଉଥିବା ଜଣାଯାଇଛି।

ଅପରପକ୍ଷେ ପଞ୍ଜିକରଣ କରିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ଶ୍ରମ ବିଭାଗର କିଛି ଅସାଧୁ କର୍ମଚାରୀ ବିଭିନ୍ନ ଆଳରେ ହଇରାଣ ହରକତ କରୁଥିବା ବେଳେ ବର୍ଷ ବର୍ଷ ଧରି ଏମାନେ ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଶେଷରେ ଚୁପ୍‌ ରହିବାକୁ ବାଧ୍ୟ ହୋଇଥାନ୍ତି। ଜିଲ୍ଲାର ଲଇକେରା ବ୍ଲକ ସାରଙ୍ଗଲୋଇ ପଞ୍ଚାୟତର ପତ୍ରାପାଲି, ଡୁମେରଡିହି, ଟାଙ୍ଗରିପଡ଼ା, ନେତିପଡ଼ାର ଶତାଧିକ ଶ୍ରମିକ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ କୋଷରେ ପଞ୍ଜୀକୃତ ହୋଇ ଶ୍ରମିକ କାର୍ଡ଼ ହାସଲ କରିଥିଲେ ମଧ ସାଇକେଲ, ସୁରକ୍ଷା କିଟ୍‌ ପ୍ରଭୃତି ୧୦୧୧-୨୦୧୨ ମସିହାରୁ ପାଇନଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଏମାନେ ଶ୍ରମ କାର୍ଯ୍ୟାଳୟରେ ଦାଖଲ କରିଥିବା ସାଇକେଲ ବିଲ୍‌, ସେଫ୍‌ଟି ବିଲ୍‌ ଡଷ୍ଟବିନରେ ପଡ଼ି ସାରିଛି। ଏହା ମଧରେ ଅନେକ ଶ୍ରମ ଅଧିକାରୀ ଏଠାକୁ ଆସି ବଦଳି ହୋଇ ଚାଲିଯାଇଥିଲେ ମଧ ଶ୍ରମିକ ମାନଙ୍କୁ କେହି ନ୍ୟାୟ ପ୍ରଦାନ କରି ପାରିନାହାନ୍ତି।

ସମ୍ବନ୍ଧିତ ଖବର