ଖୋର୍ଦ୍ଧା: ପ୍ରାୟ ୧ ମାସ ପୂର୍ବେ ୫-ଟି ସଚିବ ଶିଳ୍ପାଞ୍ଚଳରେ ପହଞ୍ଚି ଶିଳ୍ପାଞ୍ଚଳରେ ଘଟୁଥିବା ଅପରାଧ ପ୍ରତି ଶୂନ ସହନଶୀଳ ହେବା ପାଇଁ ଜିଲ୍ଲା ପୁଲିସ ଓ ପ୍ରଶାସନକୁ ତାଗିଦ କରିଥିଲେ। ଆଜି ଶିଳ୍ପାଞ୍ଚଳ ମଧ୍ୟରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ରାଇଟର ଜଣେ କର୍ମଚାରୀଙ୍କ ଅର୍ଦ୍ଧଦଗ୍ଧ ଶବକୁ କଲେଜର ପାଚେରୀ ନିକଟରୁ ପୁଲିସ ଜବତ କରିଛି। ଘଟଣା ସମ୍ପର୍କରେ ମୃତ କର୍ମଚାରୀଙ୍କ ବାପା ବିରୁପାକ୍ଷ ପାଢ଼ୀଙ୍କ କହିବାନୁସାରେ, ତାଙ୍କ ଘର ନୟାଗଡ଼ ଇଟାମାଟି ଥାନା ଅଧୀନ ଶ୍ୟାମଘନପୁର। ୨ ବର୍ଷ ପୂର୍ବେ ତାଙ୍କ ପୁଅ ରାମକୃଷ୍ଣ ପାଢ଼ୀ (୩୧) ରାଇଟ ଇଂଜିନିୟରିଂ କଲେଜରେ ଚାଳକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ସେହି ମହାବିଦ୍ୟାଳୟରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ବାଦଲ ସ୍ୱାଇଁ ତାଙ୍କ ଠାରୁ ୧ଲକ୍ଷ ଟଙ୍କା ଧାର ନେଇଥିଲେ। ନିର୍ଦ୍ଧାରିତ ଦିନ ପରେ ତାଙ୍କ ପୁଅ ରାମକୃଷ୍ଣ ଏହି ଟଙ୍କା ଫେରାଇବାକୁ ବାଦଲକୁ କହିଥିଲା। ତେବେ ବାଦଲ ଟଙ୍କା ଫେରାଇବାରେ ଟାଲଟୁଳ କରିଆସୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ବାଦଲ ମଧ୍ୟ ତାଙ୍କ ପୁଅକୁ ଧମକଚମକ ଦେଉଥିଲା। ୧୨ ତାରିଖ ଠାରୁ ରାମକୃଷ୍ଣର ମୋବାଇଲ ବନ୍ଦ ରହିଥିଲା।

Advertisment

ଆଜି ଏନେଇ ମହାବିଦ୍ୟାଳୟ ଆସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଦୁଇଦିନ ଧରି ନିଖୋଜ ଥିବା ଓ ମହାବିଦ୍ୟାଳୟକୁ ଆସିନଥିବା କହିଥିଲେ। ଏହି ସମୟରେ ମହାବିଦ୍ୟାଳୟର ପାଚେରୀ ନିକଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ପୁଲିସ ଠାରୁ ସୂଚନା ପାଇ ସେଠାକୁ ଯାଇଥିଲେ ଓ ମୃତଶରୀରଟି ତାଙ୍କର ପୁଅର ବୋଲି ଚିହ୍ନଟ କରିଛନ୍ତି। ପୁଅର ମୃତ୍ୟୁ ପାଇଁ ବିରୁପାକ୍ଷ ବାଦଲକୁ ଦାୟୀ କରି ଶିଳ୍ପାଂଚଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଅଭିଯୋଗ ଭିତ୍ତିରେ ୫୦୮/୨୦୨୨ରେ ଏକ ମାମଲା ରୁଜୁ ହୋଇଛି। ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ତେବେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।