ଟିଟିଲାଗଡ଼: ଟିଟିଲାଗଡ଼ ସହର ନିକଟସ୍ଥ ଜଗୁଆ ପଞ୍ଚାୟତ ଅଧୀନରେ ଥିବା ଗ୍ରାଫାଇଟ ଇଣ୍ଡିଆ ପାଓମେକ୍ସ ଷ୍ଟିଲ୍ ଡିଭିଜନ କମ୍ପାନିରେ ଏବେ ଶ୍ରମିକ ଅଶାନ୍ତି ଦେଖାଦେଇଛି। ଶୋଷଣ କରାଯାଉଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ସୋମବାର କାର୍ଯ୍ୟରତ ଶ୍ରମିକମାନେ ସ୍ୱର ଉଠାଇଥିଲେ। ଏମାନେ କାରଖାନା ଭିତରେ ପ୍ରତୀକ ଧର୍ମଘଟ କରିବା ସହ ଧାରଣା ଦେଇଥିଲେ। କମ୍ପାନି ବିରୋଧରେ ନାରାବାଜି କରି କାରଖାନାର ଜିଏମ୍, ଏଜିଏମ୍ଙ୍କ ସହ ଅନ୍ୟ ପଦାଧିକାରୀମାନଙ୍କ ବିରୋଧରେ ଗର୍ଜିଥିଲେ। ପରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଅଭିଯୋଗ ଅନୁସାରେ, ୨୦୧୪ ମସିହାରେ ଏହି କାରଖାନା ଅଧିକାରୀମାନଙ୍କ ଦରମା ବୃଦ୍ଧି କରିଥିବା ବେଳେ ଶ୍ରମିକମାନଙ୍କୁ ଉପେକ୍ଷା କରିଥିଲା। ଯାହାକୁ ନେଇ କାରଖାନାର ଶ୍ରମିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଡିଜିଏମ୍ ରାଧେଶ୍ୟାମ ରାୟଙ୍କୁ ଜୀବନ୍ତ ଜାଳିଦେଇଥିଲେ। ସେତେବେଳେ ଶ୍ରମିକମାନଙ୍କୁ ଛଟେଇ କରାଯିବା ଧମକ ମିଳିବାରୁ ସେମାନେ କମ୍ପାନିର ଏକଛତ୍ରବାଦ ବ୍ୟବସ୍ଥା ଆଗରେ ମୁଣ୍ଡନୁଆଇ ଭାଗ୍ୟକୁ ଆଦରି ସେମିତି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ। ପୁଣି ୨୦୨୩ ମସିହାରେ ଏହି କାରଖାନା ବଡ଼ବଡ଼ିଆ ଅଧିକାରୀ ତଥା କର୍ତ୍ତୃପକ୍ଷଙ୍କ ଦରମା ବୃଦ୍ଧି କରିଥିବା ବେଳେ ଶ୍ରମିକମାନଙ୍କୁ ଅଣଦେଖା କରିଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ। ଯାହାକୁ ନେଇ କିଛି ସମୟ ଧରି କାରଖାନା ପରିସରରେ ଶ୍ରମିକମାନେ ଆନ୍ଦୋଳନ କରିବା ସହ ପ୍ରତୀକ ଧର୍ମଘଟ କରି କାରଖାନା କର୍ତ୍ତୃପକ୍ଷ ବିରୋଧରେ ଗର୍ଜିଥିଲେ।
ଏମିତି କି କାରଖାନାରେ ଶ୍ରମିକମାନଙ୍କ ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା ନଥିବା ବେଳେ ଦିନବେଳା ଖାଇବାକୁ ମାତ୍ର ୨୨ ଟଙ୍କା ଦିଆଯାଉଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅସ୍ଥାୟୀ ଶ୍ରମିକମାନଙ୍କୁ ନୋ ୱର୍କ ନୋ ପେ ଭାବେ ରଖାଯାଇଥିବା ବେଳେ ସ୍ଥାୟୀ ଶ୍ରମିକମାନଙ୍କୁ ମଧ୍ୟ ୨୨୦ ଦିନ କାମ କରିବା ପରେ ମାତ୍ର ୧୫ ଦିନର ବିଭିନ୍ନ ସମୟରେ ଛୁଟି ମିଳୁଥିବା ଅଭିଯୋଗ କରିଛନ୍ତି। ଅସ୍ଥାୟୀ ଶ୍ରମିକମାନେ ମାସିକ ୩୦ ଦିନ ବଦଳରେ ମାତ୍ର ୨୬ ଦିନର ଦରମା ପାଉଥିବା ଅଭିଯୋଗ କରିଛନ୍ତି। ପୁଣି ଠିକା ଶ୍ରମିକମାନଙ୍କୁ ଛୁଟି ମିଳୁ ନାହିଁ ଅଭିଯୋଗ କରିଛନ୍ତି। ତେଣୁ ସମାନ କାମ ପାଇଁ ସମାନ ଦରମା ଓ ଠିକା ଶ୍ରମିକମାନଙ୍କୁ ମଧ୍ୟ ଛୁଟି ଦିଆଯାଉ ବୋଲି ଦାବି କରିଥିଲେ। ଶ୍ରମିକମାନଙ୍କ ଦାବି ପ୍ରତି କାରଖାନା କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଟିଟିଲାଗଡ଼ ପିପୁଲସ୍ ଇଣ୍ଟରେଷ୍ଟ ପ୍ରୋଟେକ୍ସନ ସୋସାଇଟି ଧମକ ଦେଇଛି।