ବିଜେଡ଼ି ପର୍ଯ୍ୟବେକ୍ଷକଙ୍କ ଗସ୍ତକୁ ନେଇ ଶଙ୍କାରେ କର୍ମୀ, ପଞ୍ଚାୟତ-ପୌର ନିର୍ବାଚନ ଫଳାଫଳର ସମୀକ୍ଷା ହେବ କେବେ?

ରାୟଗଡ଼ା: ଗଜପତି ଆସୁଛନ୍ତି। ଦଳୀୟ ସ୍ଥିତି ସମୀକ୍ଷା ସହ କର୍ମୀଙ୍କ ଭଲ ମନ୍ଦ କଥା ବୁଝୁଛନ୍ତି। ଦୁଇ ନିର୍ବାଚନ ମଣ୍ଡଳୀ ମୋହନା, ପାରଳାଖେମୁଣ୍ଡି ପରିଦର୍ଶନରେ ଯାଇ ସାଧାରଣ ସଭାରେ ଯୋଗ ଦେଉଛନ୍ତି। ଅଥଚ ଗଜପତିରୁ ୨୫ କିମି ଦୂରରେ ଥିବା ରାୟଗଡ଼ା ଜିଲ୍ଲାକୁ ଆସୁନାହାନ୍ତି ପର୍ଯ୍ୟବେକ୍ଷକ। ସମୟ ନଥିବା ଦର୍ଶାଇ ଗସ୍ତ ବାତିଲ କରି ଫେରି ଯାଉଛନ୍ତି। ଥରେ କି ଦୁଇଥର ଗତ ୪ ମାସରେ ୩ ଥର ପର୍ଯ୍ୟବେକ୍ଷକଙ୍କ ଗସ୍ତ ବାତିଲ ପରେ ଶଙ୍କାରେ ଅଛନ୍ତି ରାୟଗଡ଼ା ଜିଲ୍ଲା ବିଜେଡ଼ି ନେତା ଓ କର୍ମୀ। ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଜେଡ଼ି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ ବର୍ତ୍ତମାନର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

୨୦୧୭ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ାରେ କଂଗ୍ରେସ ଏବଂ ଗଜପତିରେ ବିଜେପି ଜିଲ୍ଲା ପରିଷଦ ଦଖଲ କରିଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ ଭଲ କରିବାକୁ ଲକ୍ଷ୍ୟ ରଖି ଦଳ ସଞ୍ଜୟ ଦାଶବର୍ମାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବରୁ ହଟାଇ ଅତନୁଙ୍କ ଦାୟିତ୍ବ ଦେଇଥିଲା। ଶ୍ରୀ ନାୟକଙ୍କ ନେତୃତ୍ବରେ ବିଜେଡ଼ି ଦୁଇ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଲଢ଼ି ଜିଲ୍ଲା ପରିଷଦ ସହ ବହୁ ବ୍ଲକ ଦଖଲ କରିବାରେ ସକ୍ଷମ ହୋଇଥି‌ଲା। ଗଜପତିରେ ଦଳର ପଞ୍ଚାୟତ ନିର୍ବାଚନ ଫଳାଫଳ ଭଲ ହୋଇଥିବା ବେଳେ ରାୟଗଡ଼ାରେ ଜିଲ୍ଲା ପରିଷଦ ଦଖଲ ସତ୍ତ୍ବେ ବିଜେଡ଼ି ବେକଫୁଟରେ ରହିଥିଲା। ଗୁଣପୁର, ରାମନାଗୁଡ଼ା ବ୍ଲକ ଦଖଲରେ ବିଜେଡ଼ି ବିଫଳ ହେବା ସହ ଦୁଇ ବ୍ଲକର ୪ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩ଟି କଂଗ୍ରେସ ଖାତାକୁ ଚାଲି ଯାଇଥିଲା। ଜିଲ୍ଲାର ୨୨ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୬ଟିରେ ବିଜେଡ଼ି ଏବଂ ୬ଟି ଆସନ କଂଗ୍ରେସ ସପକ୍ଷରେ ଯାଇଥିଲା।

ଗୁଣପୁର, ରାମନାଗୁଡ଼ାରେ ଦଳର ଖରାପ ପ୍ରଦର୍ଶନର ପ୍ରଭାବ ପୌର ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଫଳସ୍ବରୂପ ପୌର ନିର୍ବାଚନରେ ଗୁଣପୁରରେ ସ୍ବାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ସୁନିତା ଗୌଡ଼ ୪ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେବା ସହ ୧୯ରୁ ୧୧ ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଥିଲେ। ବିଜେଡ଼ି ସପକ୍ଷରେ ୮ଟି ୱାର୍ଡ ଯାଇଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ଜିଲ୍ଲାର ସାଂଗଠନିକ ସ୍ଥିତି ସୁଦୃଢ଼ ପାଇଁ ପଞ୍ଚାୟତ ନିର୍ବାଚନ ଫଳାଫଳ ସମୀକ୍ଷା ଜରୁରି ହୋଇଥିଲେ ମଧ୍ୟ ନିର୍ବାଚନ ପରଠୁ ଥରେ ବି ପର୍ଯ୍ୟବେକ୍ଷକ ରାୟଗଡ଼ା ଗସ୍ତରେ ଆସି ନାହାନ୍ତି। ଇତି ମଧ୍ୟରେ ଅତନୁ ୩ ଥର ଗଜପତି ଜିଲ୍ଲା ଗସ୍ତ କରି ନିର୍ବାଚନୀ ସମୀକ୍ଷାଠୁ ଆରମ୍ଭ କରି ଦଳର ସାଂଗଠନିକ ବୈଠକ, ନୂତନ କର୍ମକର୍ତ୍ତା ଚୟନ, ଜିଲ୍ଲା କମିଟି ଗଠନ ଭଳି ଗୁରୁତ୍ବପୂର୍ଣ୍ଣ କାମ ସାରିଛନ୍ତି। ହେଲେ ରାୟଗଡ଼ା ଗସ୍ତରେ ଆସିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଆଜି ମନ୍ତ୍ରୀ ପୁଣି ଗଜପତି ଜିଲ୍ଲା ଗସ୍ତରେ ଆସି ମୋହନା ଓ ପାରଳାଖେମୁଣ୍ଡିରେ ସାଧାରଣ ସଭା ଆୟୋଜନ କରି ନେତା, କର୍ମୀଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଛନ୍ତି। ଗଜପତି ପରେ ଅତନୁ ରାୟଗଡ଼ା ଗସ୍ତରେ ଆସିବା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା।

ଦଳୀୟ ନେତା, କର୍ମୀଙ୍କୁ ଏ ନେଇ ପ୍ରାଥମିକ ସୂଚନା ଦିଆଯାଇଥିଲା। କିନ୍ତୁ ମଧ୍ୟାହ୍ନରେ ଅତନୁଙ୍କ କାର୍ଯ୍ୟକ୍ରମ ବାତିଲ ସୂଚନା ପରେ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ବର ଚାଲି ଯାଇଛନ୍ତି। ଅତନୁଙ୍କ ରାୟଗଡ଼ା ଗସ୍ତ ବିଜେଡ଼ି ମହଲରେ ବହୁ ଗୁରୁତ୍ବ ରଖୁଥିବା ବେଳେ ବ୍ଲକ, ପଞ୍ଚାୟତ, ପୌରାଞ୍ଚଳ ସ୍ତରରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ, ଅର୍ନ୍ତଦ୍ବନ୍ଦ୍ବ ଦୂର କରିବାରେ ସହାୟକ ହେବ। ଏଥିସହ ଦୁଇ ବର୍ଷ ହେଲା ରାୟଗଡ଼ା ଜିଲ୍ଲା ବିଜେଡ଼ି କମିଟି ଗଠନ ହୋଇନଥିବାରୁ ପୁରୁଣା କମିଟି ହିଁ ଅଘୋଷିତ ଭାବେ କାମ ଚଳାଉଛନ୍ତି। ବହୁ ନୂଆ ମୁହଁ ଦାୟିତ୍ବ ପାଇଁ ଆଶାୟୀ ଥିଲେ ମଧ୍ୟ କମିଟି ଗଠନକୁ ସବୁଜ ସଙ୍କେତ ମିଳୁପାରୁନି। ଯାହା ଅତନୁଙ୍କ ଗସ୍ତ ପରେ ଚୂଡ଼ାନ୍ତ ହେବାର ରହିଛି।

ସମ୍ବନ୍ଧିତ ଖବର