ଅଢ଼େଇ ବର୍ଷ ପରେ ଖୋଲିଲା ପେପରମିଲ୍, କର୍ମଚାରୀଙ୍କ ମୁହଁରେ ଫୁଟିଲା ହସ

ଜୟପୁର: ୨୦୧୯ ଏପ୍ରିଲ ମାସରେ ଯନ୍ତ୍ରାଂଶ ମରାମତି ପାଇଁ ବିଲଟ୍-ୟୁନିଟ୍-ସେବା ପେପର ମିଲ୍ ବନ୍ଦ ହୋଇ ଯାଇଥିଲା। ଅଢ଼େଇ ବର୍ଷ ପରେ ଆଜି କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ମିଲ୍ ନିକଟକୁ ଆସିବା ବେଳେ ମୁହଁରେ ହସପୁଟିବା ଦେଖିବାକୁ ମିଳିଥିଲା। ଆଜି ସମସ୍ତ ଶ୍ରମିକଙ୍କୁ ଗେଟ୍‌ରେ ଅନୁମତି ଦେବା ବେଳେ କୋଭିଡ୍ ଦ୍ଵିତୀୟ ଡୋଜ୍ ନେଇଥିବା ପ୍ରମାଣପତ୍ର ଯାଞ୍ଚ କରି ଭିତରକୁ ପ୍ରବେଶ କରିବା ସମୟରେ ମାସ୍କ୍ ପ୍ରଦାନ କରାଯାଇଥିଲା। ଦୀର୍ଘଦିନ ପରେ କାରଖାନାକୁ ପ୍ରବେଶ ଅନୁମତି ମିଳିବା ପରେ ସମସ୍ତେ ଆଶ୍ବସ୍ତି ଅନୁଭବ କରିବାସହ ଅତିଶୀଘ୍ର ଉତ୍ପାଦନ ବି ଆରମ୍ଭ ହେବ ବୋଲି ଶ୍ରମିକ ମାନେ ଆଶାବକ୍ତ କରିଛନ୍ତି।

Sambad

କର୍ମଚାରୀ ମାନଙ୍କ ଆସିବା ପାଇଁ ଏହାରି ମଧ୍ୟରେ ସମୟ ସାରିଣୀ ବି କମ୍ପାନି ଜାରୀ କରିଥିଲା। ସାଧାରଣ, ଏ, ବି ଓ ସି ସିଫ୍ଟ। ଏହି ବିଜ୍ଞପ୍ତିରେ ସମସ୍ତ କର୍ମଚାରୀ, ସ୍ଥାୟୀ କର୍ମଚାରୀ ଓ ଠିକା କର୍ମଚାରୀ ମାନେ ନିଜର କାର୍ଡ ଧରି ଆସିବାକୁ ନିର୍ଦେଶ ଦିଆଯାଇଥିଲା। ପୂର୍ବଭଳି ନିଜ ନିଜ ବିଭାଗ ନିକଟରେ ପଞ୍ଚିଂ କରି ଉପସ୍ଥାନ ପକାଇବାକୁ ୟୁନିଟ୍ ମୁଖ୍ୟ ଏସଏସ୍ ପାଲ ବିଜ୍ଞପ୍ତି ଜାରୀ କରିଥିଲେ। ଆଜି ବିଭିନ୍ନ ସିଫ୍ଟରେ ଶହଶହ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। ଗତ ଅଢ଼େଇ ବର୍ଷ ପରେ କର୍ମଚାରୀ ମାନେ ନୂଆମାଲିକାନା ନେଇଥିବା ମଦର ଆର୍ଥ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ ବିଳମ୍ବରେ ହେଲେ ମଧ୍ୟ ନେଇଥିବା ପଦକ୍ଷେପକୁ ସ୍ବାଗତ କରିବା ସହ ଜୟପୁର ବିଧାୟକଙ୍କୁ ପ୍ରଶଂସା କରିଥିଲେ। ଦୀର୍ଘ ଅଢ଼େଇବର୍ଷ ପରେ ପୁଣି କର୍ମଚାରୀ ମାନେ କାମରେ ଆସୁଥିବା ବେଳେ ବହୁ କର୍ମଚାରୀ ବିନା ୟୁନିଫର୍ମରେ ବି ଆସିଥିଲେ। ପୁଣିଥରେ ମିଲ ସମ୍ମୁଖରେ ହୋଟେଲ, ପାନଦୋକାନ ଓ ଅନ୍ୟାନ୍ୟ ଦୋକାନ ଆଦି ବି ଖୋଲି ଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର