କାମ ବିନା ପ୍ରବାସୀ ଶ୍ରମିକ ପୁଣି ଦାଦନ ମୁହାଁ; କୋରାପୁଟ ଜିଲ୍ଲାକୁ ଫେରିଥିଲେ ୩ହଜାର ୭୪୩ନିର୍ମାଣ ଶ୍ରମିକ

୫୭ଶ୍ରମିକ କେରଳ ନେବା ପାଇଁ ହୋଇଛି ୨ଟି ଲାଇସେନସ୍

ଜୟପୁର: କରୋନା ସଂକ୍ରମଣର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରି ଆସିଥିଲେ। ସରକାରୀ କାମ ଧିମେଇ ଯାଇଥିବା ବେଳେ ଖରିଫ ସରିଛି ଓ ରବି ଚାଷ ବି ଆରମ୍ଭ ହୋଇନି। ଦୀର୍ଘଦିନ ହେବ ଗାଁରେ କାମଧନ୍ଦା‌ ନପାଇ ଖାଲିରେ ବସି ରହିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ପୁଣି ଏବେ ଦାଦନ ମୁହାଁ। ନିଜ ଗ୍ରାମରେ କୁଶଳୀ ଶ୍ରମିକଙ୍କ ପାଇଁ କାମଧନ୍ଦାର ଅଭାବ ଥିବାରୁ ସେମାନେ ପୁଣି ଫେରିବାକୁ ବାଧ୍ୟ ହେଉଛନ୍ତି। ଖରିଫ ଚାଷ କାମ ସରିଯାଇଛି। ରବି ଆରମ୍ଭ ହୋଇନି। ଅନ୍ୟ ପକ୍ଷରେ ସେଭଳି ଗାଁ ଗୁଡିକରେ କାମ ବି ହେଉନି। ଆଉ କେତେ ଦିନ ଏଭଳି ବସି ରହିବୁ ବୋଲି କହିଛନ୍ତି କୋଟପାଡ ବ୍ଲକର ବତାସନା ଗାଁର ବୁଦୁ ଭତରା, ରଣସପୁରର ଚୈତନ ହରିଜନ, ନବୀନ ଗଣ୍ଡା, ସର୍ଗିଗୁଡାର ଭଗବାନ ପୁଜାରୀ। ପୁଣି ଏବେ ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, କୋଟପାଡ, କୁନ୍ଦ୍ରା, ବୈପାରୀଗୁଡା ବ୍ଲକର ଶତାଧିକ ବିଭିନ୍ନ ବର୍ଗର ପୁରୁଷ ଓ ମହିଳା ବିଭିନ୍ନ ମାଧ୍ୟମରେ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। ଖାସ୍ କରି ଆନ୍ଧ୍ର ଓ ତେଲଙ୍ଗନା ଏବେ ବେଶି ପରିମାଣର ଯାଉଛନ୍ତି। ପ୍ରକାଶଯୋଗ୍ୟ, କରୋନା ସମୟରେ, ଜିଲ୍ଲାର ୧୪ଟି ଯାକ ବ୍ଲକ, ୨ଟି ପୌରାଂଚଳ, ୨ଟିଏନଏସିରେ ୧୨ହଜାର ୨୭ଜଣ ପ୍ରବାସୀ ଫେରିଥିଲେ।

Sambad

ଏଥିରେ ନିର୍ମାଣ ଶ୍ରମିକ ୩ହଜାର ୭୪୩। ସଂପ୍ରତି ପୁଣି ଗ୍ରାମାଂଚଳର ବିଭିନ୍ନ ବର୍ଗର ଲୋକେ ଦାଦନ ମୁହାଁ। ତେବେ ଏମାନେ କାହା ମାଧ୍ୟମରେ, କେଉଁଟିକି, କେଉଁ କାମ ପାଇଁ ଯାଉଛନ୍ତି ତାହାର କିଛି ଖୋଜ ଖବର ପ୍ରଶାସନ ନିକଟରେ ନାହିଁ କି ପଂଜିକରଣ ବି କରାଯାଉନି। କୋରନା ସମୟରେ ଏମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଇଁ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ବାବଦରେ ଖର୍ଚ୍ଚ ବି କରିଥିଲେ। ୨ଜଣ ଠିକାଦାର ୫୭ଜଣ ଶ୍ରମିକଙ୍କୁ ୨ଟି ବସରେ କେରଳ ନେଉଥିବା ସୂଚନା ପାଇ ଚଢ଼ାଉ କରି ଲମତାପୁଟ ଓପାଡୁଆରୁ ଉଦ୍ଧାର କରାଯାଇଥିଲା। ଲାଇସେନସ୍ କରିବା ପରେ ଏହି ୫୭ଜଣଙ୍କୁ କେରଳ ନେଇ ଠିକାଦାର ଯାଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ। ସ୍ବଇଚ୍ଛାରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କୁ ଆମେ ଅଟକାଇ ପାରିବୁ ନାହିଁ। ଠିକାଦାର କିମ୍ବା ଦଲାଲ ମାଧ୍ୟମରେ ଯାଉଥିବା ଅଭିଯୋଗ ମିଳିଲେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ।

ସମ୍ବନ୍ଧିତ ଖବର