କୁଡୁମୁଲୁଗୁମ୍ମା ଫାଣ୍ଡିର ସମସ୍ତ କର୍ମଚାରୀ ନିଳମ୍ବିତ ଘଟଣା: ଗଂଜେଇ ମୂଲଚାଲ ନା କାର୍ଯ୍ୟରେ ଅବହେଳା?

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ ଗଞ୍ଜେଇ ଚାଷ ପ୍ରଚୁର ପରିମାଣରେ ହୁଏ। ଏହା ପୁଲିସ ପ୍ରଶାସନ, ଅବକାରୀ ବିଭାଗ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ ରହିଛି। ତେବେ ଏହି ଗଞ୍ଜେଇ ଚାଷକୁ ରୋକ ଲଗାଇବା ପାଇଁ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପୁଲିସ ଏବଂ ଅବକାରୀ ବିଭାଗ ନିଜର ଉଦ୍ୟମ ଜାରି ରଖିଛନ୍ତି। ଗୋଟିଏ ଦିଗରେ ପୁଲିସ ଗଞ୍ଜେଇ ଧରିବାକୁ ଯାଇ ଅପଦସ୍ତ ହୋଇଥିବା ବେଳେ ଅନ୍ୟ ଦିଗରେ ଗଞ୍ଜେଇ ଚାଲାଣରେ ମୂଲଚାଲ କରି ପୁଲିସ ବଦନାମ ମଧ୍ୟ ହୋଇଛି। ଏଭଳି ପରିସ୍ଥିତି ଆଜି ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି।

ଗତ ଦୁଇମାସରୁ ଊର୍ଦ୍ଧ୍ବ ସମୟ ହେଲା ଲଗାତାର ଗଞ୍ଜେଇ ଚାଲାଣରେ ରୋକ ଲଗାଇବା ପାଇଁ ଜଣେ ପୁଲିସ ବିଭାଗର ଉଚ୍ଚ ପଦାଧିକାରୀ ଅପଦସ୍ତ ହେବା ସହ ତାଂକ ନାମରେ କେଶ ମଧ୍ୟ ରୁଜୁ ହେଲା। ଯାହାକି ଏବେ ତଦନ୍ତ ମଧ୍ୟରେ ରହିଛି। ଏନେଇ ସାରା ଜିଲ୍ଲା ତଥା ରାଜ୍ୟରେ ଚହଳ ପକାଇଥିଲା। ଏବେ ପୁଣି ଜଣେ ପୁଲିସ ଅଧିକରୀ ସମେତ ସମ୍ପୂର୍ଣ୍ଣ ଚାରି ଜଣ କନେଷ୍ଟବଲ କାର୍ଯ୍ୟରୁ ନିଳମ୍ବିତ ହେବା ଘଟଣାକୁ ସାରା ଜିଲ୍ଲାରେ ସନ୍ଦେହ ନଜରରେ ଦେଖାଯାଉଛି। ଏଭଳି କଣ ପରିସ୍ଥିତି ସୃଷ୍ଟି ହେଲା ଯେ କୁଡୁମୁଲୁଗୁମ୍ମା ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ନିଳମ୍ବିତ କରିବାକୁ ଏସପି ବାଧ୍ୟ ହେଲେ। ଏନେଇ ଏସପି କାର୍ଯ୍ୟରେ ଅନିୟମିତତାକୁ ଦର୍ଶାଉଥିବା ବେଳେ କିନ୍ତୁ ଏହାରି ଭିତରେ କିଛି ଗୁରୁତ୍ବ କଥା ଲୁଚି ରହିଥିବା ଆଲୋଚନାକୁ ଭିତିରି ଖୋରାକ ଯୋଗାଇଛି। ଜଣେ ବ୍ୟବସାୟୀଙ୍କୁ ଆହେତୁକ ଅନୁକମ୍ପା ଦେଖାଉଥିବା ନେଇ ପୁଲିସ ଉଚ୍ଚ ପଦାଧିକାରୀ ଜାଣିବା ପରେ ଏଭଲି ପଦକ୍ଷେପ ନିଆଯାଇଥିବା ଆଲୋଚନ ଜୋର ଧରିଛି। ତେବେ ସେହି ବ୍ୟବସାୟୀ ଏଭଳି କଣ ନେଉଥିଲେ ଯେ ତାଙ୍କୁ କୁଡୁମୁଲୁଗୁମ୍ମା ଫାଣ୍ଡିର ସମସ୍ତ କର୍ମଚାରୀ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ। ମାଲକାନଗିରି ପୁଲିସ ଗତ କିଛି ମାସ ହେଲା ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି। ଗଞ୍ଜେଇ ଚାଲାଣରେ ଏକ ପ୍ରକାର ରୋକ ଲଗାଇ ଦେଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିସହ ଅବକାରୀ ବିଭାଗ ମଧ୍ୟ ପଛରେ ନାହିଁ।

Sambad

ଏହି ଦୁଇ ବିଭାଗ ଲଗାତାର ଗଞ୍ଜେଇ ବେପାରକୁ ସମୂଳେ ଧ୍ବଂସ କରିବା ପାଇଁ ଚେଷ୍ଟିତ ଥିବା ବେଳେ ଏହି ବିଭାଗର କର୍ମଚାରୀ ମାନେ ରାତାରାତି ଧନୀ ହେବା ପାଇଁ ନିଜ କର୍ତ୍ତବ୍ୟକୁ ମଧ୍ୟ ପଛରେ ପକାଇ ବର୍ଦିରେ କଳା ଦାଗ ଲଗାଇବାରେ ପଛାଉ ନାହାନ୍ତି। ପୁଲିସ ବିଭାଗରେ ଏଭଳି ଗୁଇନ୍ଦା ରହିଛନ୍ତି ଯେଉଁମାନେ ପ୍ରତ୍ୟେକ ମୁହର୍ତ୍ତରେ ପୁଲିସକୁ ଗଞ୍ଜେଇ ଚାଲାଣର ଟିକିନିଖି ରିପୋର୍ଟ ପ୍ରଦାନ କରୁଛନ୍ତି।ତେବେ ଏହି ପୁଲିସ ଅଧିକାରୀମାନେ କିପରି ବର୍ତ୍ତିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ଆଜି ହିଁ ପୁଲିସ ବର୍ଦିରେ କଳା ଦାଗ ଲାଗି ନାହିଁ, ଏହା ପୂର୍ବରୁ ବହୁ ଥର ଗଞ୍ଜେଇ ଚାଲାଣକାରୀଙ୍କୁ ଆହେତୁକ ଅନୁକମ୍ପା ଦେଖାଇ ଫସିଛନ୍ତି ପୁରିସ କର୍ମଚାରୀ। ଯାହାପରେ ସେମାନେ ନିଳମ୍ବିତ ହୋଇ ବଦନାମ ହୋଇଛନ୍ତି।

ଗଞ୍ଜେଇ ଧରିବା ପାଇଁ ସରକାରଙ୍କ ଠାରୁ ମାସିକା ଟଙ୍କା ପାଉଥିବା ବେଳେ ଗଞ୍ଜେଇ ଛାଡିବା ପାଇଁ ମଧ୍ୟ ମାଫିଆ ମାନଙ୍କ ଠାରୁ ମାସିକିଆ ଟଙ୍କା ଆଦାୟ କରାଯାଉଛି। ଯାହାକୁ ପୁଲିସ କିପରି ରୋକ ଲଗାଇବ ଦେଖିବାକୁ ବାକି ରହିଲା। ଗତକାଲିର ଘଟଣା ସାରା ଜିଲ୍ଲାକୁ ସ୍ତବ୍ଧ କରିଛି। ଲୋକଙ୍କୁ ଆଲୋଚନାର ଖୁରାକ ଯୋଗାଇଛି। ଗୋଟିଏ ଥାନାର କିମ୍ବା ଫାଣ୍ଡିର ଜଣେ କିମ୍ବା ଦୁଇ ଜଣ ପୁଲିସ କର୍ମଚାରୀ ଗଞ୍ଜେଇ ଚାଲାଣରେ ସାମିଲ ରହିପାରନ୍ତି କିନ୍ତୁ ଫାଣ୍ଡିରେ କିମ୍ବା ଥାନାରେ ଯେତେ କର୍ମଚାରୀ ରହିଛନ୍ତି ସମସ୍ତେ ଏକାକାର ହେବା ଆଶ୍ଚର୍ଯ୍ୟ କରିଛି। ବାଧ୍ୟ ହୋଇ ଗଣମାଧ୍ୟମରେ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଥିବା ଉଚ୍ଚ ପଦାଧିକାରୀ ମାନେ କହିବାକୁ ପଚାଉନାହାନ୍ତି। କିନ୍ତୁ ଭିତିରିଆ କଥାକୁ ମୁରୁକି ହସି ସବୁ କହିଦେଉଛନ୍ତି। ଆଗକୁ ଏସପି ଏଭଳି ଭିତିରିଆ କାରବାରରେ ଲିପ୍ତ ଥିବା ପୁଲିସ ଅଧିକାରୀଙ୍କୁ କି ପ୍ରକାର ଶାସ୍ତି ଦେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର