ଧାରଣରତ ସଫେଇ କର୍ମଚାରୀଙ୍କୁ ହଟାଇବାକୁ ଯାଇ ପୁଲିସ ନାକେଦମ

ରାୟଗଡ଼ା: ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରତ ସଫେଇ କର୍ମଚାରୀଙ୍କୁ ହଟାଇବାକୁ ଯାଇ ପୁଲିସ ନାକେଦମ ହୋଇଛି। ପୁଲିସ-ସଫେଇ କର୍ମଚାରୀ ମୁହାଁମୁହିଁ ହେବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୌର କର୍ମଚାରୀ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ନାରାବାଜି କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବା ପରେ ପ୍ରଶାସନ ପୌର କର୍ମଚାରୀଙ୍କୁ ଆଲୋଚନାକୁ ଡାକି ୯ ଦଫା ଦାବିକୁ ମାନି ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସଫେଇ କର୍ମଚାରୀ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୌର ସଂସ୍ଥା ଅଧୀନରେ କାର୍ଯ୍ୟ କରି ଆସୁଛନ୍ତି। ଡିସେମ୍ବର ୧ ତାରିଖରୁ ସହରର ପରିମଳ ସଫେଇ ପାଇଁ ଠିକାଦାର ଟେଣ୍ଡର ହାତେଇବା ପରେ ୨୦ଟି ୱାର୍ଡର ସଫେଇ ଦାୟିତ୍ବରେ ଥିବା କର୍ମଚାରୀ ଠିକାଦାର ଅଧୀନରେ କାମ କରିବାକୁ ରୋକଠୋକ୍ ଭାବେ ମନା କରି ଦେଇଥିଲେ। ନିଜ ଜିଦରେ ଅଟଳ ରହି ସଫେଇ କାର୍ଯ୍ୟ ବନ୍ଦ ରଖି ପୌର କାର୍ଯ୍ୟାଳୟ ସମ୍ମୁଖରେ ୪ ଦିନ ହେଲା ଧାରଣାରେ ବସି ରହିଥିଲେ। ଫଳରେ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଧାରଣା ପ୍ରତ୍ୟାହୃତ କରିବା ପାଇଁ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପୌର ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ନ ହେଲେ ଧାରଣାରୁ ଓହରିବୁ ନାହିଁ ବୋଲି କର୍ମଚାରୀ ଜିଦରେ ଅଟଳ ରହିଥିଲେ। ଆଜି ସକାଳେ ଧାରଣାସ୍ଥଳରେ ରାୟଗଡ଼ା ପୁଲିସ ପହଞ୍ଚି ଧାରଣାରୁ ଓହରିଯିବା ସହ ଅନ୍ୟତ୍ର ଚାଲିଯିବା ପାଇଁ କହିଥିଲା। କିନ୍ତୁ ସଫେଇ କର୍ମଚାରୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ବନ୍ଦ ହେବନାହିଁ ବୋଲି କହିଥିଲେ।

ଫଳରେ ପୁଲିସ-ପୌର ସଫେଇ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥି‌ଲା। ରାୟଗଡ଼ା ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ପରିସ୍ଥିତି ଶାନ୍ତ ପଡିନଥିଲା। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଘଟଣାରେ ହସ୍ତକ୍ଷେପ କରି ପୌର ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିବା ପାଇଁ ନିର୍ଦେଶ ଦେଇଥିଲେ। କର୍ମଚାରୀଙ୍କ ୯ ଦଫା ଦାବି ପୁରଣ ନେଇ ପୌର ନିର୍ବାହୀ ଅଧିକାରୀ ୟାସିର୍ ବିଲାଲ ଅହମ୍ମଦ ଶ୍ରମିକ ନେତା ଓ ଠିକାଦାରଙ୍କ ଉପସ୍ଥିତିରେ ଆଲୋଚନା କରି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ, ସରକାରଙ୍କ ନିଷ୍ପତ୍ତିନୁଯାୟୀ ଦୈନିକ ମଜୁରୀ ପ୍ରଦାନ, ସମସ୍ତଙ୍କୁ ଇପିଏଫ୍, ଇଏସଆଇରେ ଅନ୍ତର୍ଭୁକ୍ତ, ବୁଟ୍, ଡ୍ରେସ୍, ଗ୍ଲୋବ୍, ଆଇ କାର୍ଡ ପ୍ରଦାନ, ଦୈନିକ ୮ ଘଣ୍ଟା କାର୍ଯ୍ୟ, କାର୍ଯ୍ୟ ସମୟରେ ମଦ୍ୟପାନ ନ କରିବା, କୋଭିଡ଼୍ ସମୟରେ ଘୋଷଣା ହେଉଥିବା ସରକାରୀ ସହାୟତା ପୌର ସଫେଇ କର୍ମଚାରୀଙ୍କୁ ପ୍ରଦାନ, କାର୍ଯ୍ୟ ସମୟରେ ସଫେଇ କର୍ମଚାରୀ ମୃତ୍ୟୁବରଣ କଲେ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ୯ ଦଫା ଦାବିକୁ ପୌର କର୍ତ୍ତୃପକ୍ଷ ମାନିନେବା ପରେ ଆସନ୍ତାକାଲି ଠୁ ସଫେଇ କାର୍ଯ୍ୟରେ ଯୋଗଦେବା ପାଇଁ କର୍ମଚାରୀ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର