ଜିଲ୍ଲାପାଳଙ୍କୁ ରୋଗାଗ୍ରସ୍ତ ଅବସରପ୍ରାପ୍ତ ଶ୍ରମିକଙ୍କ ଆକୁଳ ନିବେଦନ; କହିଲେ- ଆମ ଦୁଃଖ ଦୂର କରନ୍ତୁ

ଜୟପୁର: ସ୍ଥାନୀୟ କାଗଜ କଳ ଅବସରପ୍ରାପ୍ତ ଶ୍ରମିକ ଜୟରାମ ପ୍ରସାଦ ଗତ କିଛିଦିନ ତଳେ ଅସୁସ୍ଥ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହୋଇ ଫେରିଛନ୍ତି। ଆଜି ସେ ଜିଲ୍ଲାପାଳଙ୍କୁ ନିବେଦନ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେ ତାଙ୍କ ଗୁହାରୀ ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଜଣାଇଥିଲେ। ସେ ଗୁରୁତର ଥିବା ସମୟରେ ବର୍ତ୍ତମାନ କାଗଜକଳକୁ ପରିଚାଳନା କରୁଥିବା ସଂସ୍ଥାକୁ ସେ ପାଇବାକୁ ଥିବା ପ୍ରୋଭିଡେଣ୍ଟ ଫଣ୍ଡ ଛଅ ଲକ୍ଷ ଟଙ୍କା ଏବଂ ଗ୍ରାଚ୍ୟୁଇଟି ପ୍ରାପ୍ୟ ୪ ଲକ୍ଷରୁ ଅନ୍ତତଃ ଔଷଧ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ଦେବା ପାଇଁ ନିବେଦନ କରିଥିଲେ। କିନ୍ତୁ ନୂଆ କର୍ତ୍ତୃପକ୍ଷ ତାଙ୍କ ଅନୁରୋଧକୁ ଶୁଣି ନଥିବା ଜୟରାମ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ସେ ପାଇବାକୁ ଥିବା ପିଏଫ୍ ଓ ଗ୍ରାଚ୍ୟୁଇଟି କିଭଳି ମିଳି ପାରିବ ସେ ଦିଗରେ ପ୍ରଶାସନିକ ସହଯୋଗ କରିବାକୁ ଜୟରାମ ନିବେଦନ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।

Sambad

ସ୍ମାରକ ପତ୍ର ପ୍ରଦାନ ବେଳେ ଅସୁସ୍ଥତା ଖବର ପାଇ ବିହାରରୁ ଆସିଥିବା ଜୟରାମଙ୍କ ପୁଅ, ବୋହୁ, ନାତୀ ଓ ପ୍ରକାଶ ଚୌଧୁରୀ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଆବହକ ପ୍ରମୋଦ କୁମାର ମହାନ୍ତିଙ୍କ ସହ ଯାଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଜୟରାମ ଅନୁରୋଧ କରିଛନ୍ତି ଯେ ଗ୍ରାଚ୍ୟୁଇଟି ଓ ପେନସନ ହେଇଗଲେ ସେ ନିଜ ରାଜ୍ୟ ବିହାର ତଥା ଗାଁକୁ ଚାଲି ଯିବେ। ସେ ଏଠାରେ ଏକା ଆଉ କେତେ ଦିନ ଏଭଳି ଭୋକ ଉପବାସରେ ଦିନ କାଟିବେ ବୋଲି କହିଛନ୍ତି ଜୟରାମ।

ସେହିପରି ଆଉ ଜଣେ ଅବସରପ୍ରାପ୍ତ ଶ୍ରମିକ ଯୁଧିଷ୍ଠିର ସ୍ୱାଇଁ ଗୁରୁତର ହୋଇ ନିଜ ଘର ଓ ସୁନା ଅଳଙ୍କାର ଆଦି ବନ୍ଧକ କରି ଭୁବନେଶ୍ବର ଯାଇ ଚିକିତ୍ସିତ ହୋଇ ଫେରିଛନ୍ତି। ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି। ବୟସାଧିକ ଯୋଗୁ ରୋଗଗ୍ରସ୍ତ ହୋଇ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ମାଗି ଡହଳ ବିକଳ ହେଉଛନ୍ତି। କାରଖାନା ଚାଲୁଛି, ଏହା ବାଦେ ବି ପ୍ରୋଭିଡେଣ୍ଟ ଫଣ୍ଡ ପାଇଁ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ପଦକ୍ଷେପ ମ୍ୟାନେଜମେଣ୍ଟ ନେଉନାହିଁ। ଜମା ଟଙ୍କା ଥାଇ ମଧ୍ୟ କାମରେ ଆସୁନି। ଏଥିରେ ହସ୍ତକ୍ଷେପ କରି ଶ୍ରମିକ ମାନଙ୍କୁ ନ୍ୟାୟ ଦେବା ପାଇଁ ଶ୍ରମିକ ନେତା ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର