ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ତଥା ଏସିଆ ମହାଦେଶର ପ୍ରଥମ ଲୌହଖଣି ହେଉଛି ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ଠାରେ ଥିବା ଲୌହଖଣି। ଉକ୍ତ ଖଣିଟି ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ ମେସର୍ସ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ପ୍ରା.ଲି ମାଲିକାନାରେ ଥିଲା। ୩୧ ମାର୍ଚ୍ଚ ୨୦୨୦ରେ ଖଣିର ଲିଜ୍ ସରିଥିଲା। ଲିଜ୍ ସରିବା ପରେ ଇ-ନିଲାମ ଜରିଆରେ ନିଲାମ ହୋଇଥିଲା ଏବଂ ପୁନଃବାର ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ପ୍ରା.ଲି ମାଲିକାନାକୁ ଯାଇଛି। ତେବେ ପରବର୍ତୀ ସମୟରେ ଖଣିର ଅଧିକାଂଶ ଶ୍ରମିକ ଓ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଯାହାଫଳରେ ବହୁ ପରିବାର ବେରୋଜଗାର ହୋଇଥିଲେ। ପରେ ପରେ ମିଶ୍ରା କମ୍ପାନି କିଛି ଠିକା ସଂସ୍ଥା ସହାୟତାରେ ଅଳ୍ପ କିଛି ଶ୍ରମିକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯାହାଫଳରେ ଶ୍ରମିକ ନିଯୁକ୍ତି ଦାବି କରି ବାରମ୍ବାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ତେବେ ଉକ୍ତ ଲୌହଖଣିର ଶ୍ରମିକ ପୂର୍ବରୁ ଯେମିତି ଅଶାନ୍ତ ଥିଲେ ବର୍ତ୍ତମାନ ଲୌହଖଣି ଶ୍ରମିକ ଓ କର୍ମଚାରୀ ଅଶାନ୍ତ ହେଉଥିବା ଦେଖିବାକୁ ମିଳିଛି। ଶ୍ରମିକଙ୍କ ସମସ୍ୟା ନେଇ ପୂର୍ବରୁ ଖଣି ଶ୍ରମିକ ଓ ଖଣି ମାଲିକଙ୍କୁ ନେଇ ବାରମ୍ବାର ବୈଠକ ମଧ୍ୟ ବସିଥିଲା, ହେଲେ ଶ୍ରମିକଙ୍କ ସମସ୍ୟା ଦୂର ହେଲା ନାହିଁ। ତେବେ ଏନେଇ ଆଜି ପୁଣିଥରେ ଶ୍ରମିକମାନେ ଖଣି ମୁଖ୍ୟ ଫାଟକ ଓ ଖଣି ଭିତରର ସମସ୍ତ କାର୍ଯ୍ୟ ୭ ଦଫା ଦାବି ନେଇ ବନ୍ଦ କରିଛନ୍ତି।
ଉକ୍ତ ୭ ଦଫା ଦାବି ଗୁଡିକ ହେଲା- ଖଣିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଲାଗୁ କରିଥିବା ସର୍ବନିମ୍ନ ମଜୁରୀ ଲାଗୁ କରନ୍ତୁ, ମାଇନ୍ସରେ ୱାଗନ ଲୋଡିଂ ସମସୟରେ ମେସିନ ବଦଳରେ ଶ୍ରମିକ ମାନେ କରନ୍ତୁ, ବାଜୁଆ ଗ୍ରୁପର ସମସ୍ତ କର୍ମଚାରୀଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଉ, ସମସ୍ତ ଶ୍ରମିକ ଓ କର୍ମଚାରୀ ମାନଙ୍କର ନାମ “ଏ” ଖାତାରେ ପଞ୍ଜୀକରଣ କରନ୍ତୁ, ସମସ୍ତ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ଓ ଦରମାର ରସିଦ ପ୍ରଦାନ କରାଯାଉ, ସମସ୍ତ କର୍ମଚାରୀଙ୍କ ପି.ଏଫ୍ କଟାଯାଇ ପି.ଏଫ୍ ଖାତାରେ ଜମା କରାଯାଉ, ଖଣିରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଛୁଟି, ପର୍ବ ଛୁଟି ଓ ବୋନସ୍ ପ୍ରଦାନ କରାଯାଉ ପ୍ରଭୃତି। ଉକ୍ତ ଦାବି ଗୁଡିକ କମ୍ପାନି, ଉପଜିଲ୍ଲାପାଳ, ଆରଏଲସି, ଏଲଇଓଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ। ୭ ଦିନ ମଧ୍ୟରେ ଉକ୍ତ ଦାବି ପୂରଣ ନକଲେ ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନ ଦାୟି ରହିବେ ବୋଲି ଗୋରୁମହିଷାଣୀ ଲୁହାଖଣି, ଗୋରୁମହିଷାଣୀ ଥାନା ଅଧିକାରୀ, ବାମନଘାଟୀ ଉପଜିଲ୍ଲାପାଳ, ବଡବିଲ ଏଲଇଓ, ରାଉଲକେଲା ଆରଏଲସି, ବାମନଘାଟୀ ଏସଡିପିଓଙ୍କ ନିକଟରେ ଦାବି କରିଥିବା ବୋଲି ସୂଚନା ମିଳିଛି। ତେବେ ଉକ୍ତ ଦାବି ଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଖଣିର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଗୋରୁମହିଷାଣୀ ଏଣ୍ଡ ବାଦାମପାହାଡ ମାଇନ୍ସ ମଜଦୂର ସଂଘ ଓ ମୟୂରଭଞ୍ଜ ମାଇନ୍ସ ଲେବର ୟୁନିୟନ ପକ୍ଷରୁ ଚେତାବନୀ ଦେଇଛନ୍ତି। ତେବେ ଏନେଇ ଆଜି ଖଣି କର୍ତ୍ତୃପକ୍ଷ, ଶ୍ରମିକ ସଂଘ ଓ ଶ୍ରମିକ ମାନଙ୍କୁ ନେଇ ଏକ ସମାଧାନ ବୈଠକ ବସିବାର ସୂଚନା ରହିଛି।