ଯୋଡା:  ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ  ଜଲହରି ଠାରେ ଥିବା ଓଏମ୍‌ସିର  ବାଂଶପାଣି ଖଣିରେ ଶ୍ରମିକ ଅଶାନ୍ତି ଦେଖା ଦେଇଛି। ଶ୍ରମିକମାନେ ଛୁଟି ବାବଦ ଦେୟ ସହ ବିଭିନ୍ନ ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।
ପ୍ରାୟ ଏକ ବର୍ଷ ଧରି ଏହି ଖଣିରେ କାର୍ଯ୍ୟ କରୁଥିବା ଶତାଧିକ ଶ୍ରମିକ ସେମାନଙ୍କଛୁଟି ପଇସା ପାଇ ନ ଥିବାରୁ ଗୁରୁବାର ଦିନ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଶ୍ରମିକ ନେତା ଇନ୍ଦ୍ରମଣି ବେହେରାଙ୍କ   ସୂଚନା  ଅନୁଯାୟୀ ଗତ ୩ମାସ ହେବ ଶ୍ରମିକମାନେ ପ୍ରାୟ ୭ଦଫା ଦାବି ଓଡିଶା ଖଣି ନିଗମ କାର୍ଯ୍ୟଳୟରେ  ପ୍ରଦାନ କରିଥିଲେ। ତେବେ ଏହାର ସମାଧାନ କରାଯାଇ ନାହିଁ।  ଧାରଣାରତ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ଯେ,   ଖଣିରେ ଏନ୍‌ଏସ୍‌ପିଏଲ ଠିକା କଂପାନି  ଅଧୀନରେ ସେମାନେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ୧୦ ଦିନ ମଧ୍ୟରେ ଛୁଟି ପଇସା  ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଠକି ଚାଲିଛନ୍ତି।

Advertisment

ଉକ୍ତ ଠିକାସଂସ୍ଥା ଶ୍ରମିକମାନଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଶୋଷଣ କରି ଚାଲିଛି। ଶ୍ରମିକଙ୍କ ପାଇଁ ବାଇକ ପାର୍କିଂ ବ୍ୟବସ୍ଥା, ନିଯୁକ୍ତି କାର୍ଡ, ଶ୍ରମିକଙ୍କ ପାଇଁ ୱ।ର୍କସପ୍‌ ବ୍ୟବସ୍ଥା, ଛୁଟି ପଇସା ପ୍ରଦାନ, ରୁମ୍ ରେଣ୍ଟ, ଧୂଳି ପଇସା ପ୍ରଦାନ, କ୍ୟାଣ୍ଟିନ୍‌, ସ୍ବାସ୍ଥ୍ୟ ସେବା ଯୋଗାଇବା ପ୍ରଭୃତି ନେଇ ଦାବିପତ୍ର ଦିଆ ଯାଇଥିଲା। ଏହି ଦାବି ଗୁଡ଼ିକ ପୂରଣ କରି ନ ଥିବା ବେଳେ ରଜପର୍ବ ପୂର୍ବରୁ ଶ୍ରମିକମାନଙ୍କୁ ବାର୍ଷିକ ଛୁଟି ପଇସା ମଧ୍ୟ ପ୍ରଦାନ କରାଯାଇ ନାହିଁ। ଫଳରେ ଶ୍ରମିକ ମାନେ  ଖଣି ସମ୍ମୁଖରେ ଶାନ୍ତିପୂର୍ଣ୍ଣ କାର୍ଯ୍ୟବନ୍ଦ ଡାକରା ଦେଇ ବସି ରହିଛନ୍ତି। ଶ୍ରମିକ ହେମନ୍ତ ପାତ୍ର, ସନୋଜ୍ ଲୋହାର, ଜୟସିଂ ସର୍ଦ୍ଦାର,ରାଜେନ୍ଦ୍ର ପାତ୍ର,ଦୀପକ ବେହେରା,ବିଜୁ ପାତ୍ର, ସହଣୀ ନାଏକ ପ୍ରମୁଖ କହିଛନ୍ତି ଯେ, ଜୁରୁଡ଼ି, ଜଲହରି ଅଞ୍ଚଳରେ ଘରୋଇ ଖଣିଗୁଡ଼ିକୁ ଓଡ଼ିଶା ଖଣି ନିଗମ ନିଜ ଅକ୍ତିଆରକୁ ନେବା ପରେ ଶ୍ରମିକ ମହଲରେ ନିଯୁକ୍ତି ତଥା ଶ୍ରମ ମଜୁରି ଆଶାତୀତ ଭାବେ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ଖଣି କର୍ତ୍ତୃପକ୍ଷ ଏସବୁ ପ୍ରତି ଧ୍ୟାନ ଦେଉନଥିବାରୁ ଶ୍ରମିକ ଅଶାନ୍ତି ଦେଖାଦେଇଛି।