ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଶନିବାର ଦିନ ବ୍ଲକସ୍ତରୀୟ ମାନସିକ ସ୍ଵାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବେସିକ୍ ନିଡସ୍ ଇଣ୍ଡିଆ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ ରେଆର ସୋନପୁର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଯୋଗ ଦେଇ ଉଦଘାଟନ କରିଥିଲେ। ବୀରମହାରାଜପୁର ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ ରୂପାୟନ ବିଷୟରେ ଆଲୋଚନା କରାଯାଇ ମାନସିକ ଅସୁସ୍ଥ ବ୍ୟକ୍ତି ଚିହ୍ନଟ, ସେମାନଙ୍କ ଚିକିତ୍ସା ଓ ଜୀବନ ଜୀବିକା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

Advertisment

ସୁବର୍ଣ୍ଣପୁର ଜିଲ୍ଲା ୬ଟି ବ୍ଳକ ମଧ୍ୟରୁ ବୀରମହାରାଜପୁର ବ୍ଳକରେ ସର୍ବାଧିକ ମାନସିକ ରୋଗୀ ଚିହ୍ନଟ ହୋଇଛନ୍ତି। ବ୍ଳକର ୧୫ ପଞ୍ଚାୟତ ମଧ୍ୟରୁ ଦୁର୍ଜନ ତଏଲା, ବହଲପଦର, ସଂଗ୍ରାମପୁର ଓ ପିତାମହୁଲ ପଞ୍ଚାୟତକୁ ଏପର୍ଯ୍ୟନ୍ତ ସାମିଲ କରାଯାଇ ନାହିଁ। ଯଦି ଏହି ୪ ପଞ୍ଚାୟତକୁ ସାମିଲ କଲେ ହୁଏତ ମାନସିକ ରୋଗୀ ୧୦୦୦କୁ ଛୁଇଁପାରେ ବୋଲି ଆଲୋଚନା ହୋଇଥିଲା। ଏବେ ୧୧ ପଞ୍ଚାୟତରେ ୭୫୦ ମାନସିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାରୁ ୪୪ ଭଲ ହେଲେଣି। ଯଦି ସଫଳତା ହାର ଦେଖାଯାଏ ତା'ହେଲ ଶତକଡ଼ା ୫-୬ ହେବ ବୋଲି ଆକଳନ କରାଯାଇଛି। ରୋଗୀ ଚିହ୍ନଟ କରିବାରେ ସବୁଠାରୁ ଅସୁବିଧା ହେଉଛି ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ମାନସିକ ବିଶେଷଜ୍ଞ ଡାକ୍ତର ନଥିବାରୁ ବଲାଙ୍ଗୀରରୁ ଜଣେ ମାନସିକ ବିଶେଷଜ୍ଞ ସପ୍ତାହକୁ ତିନିଦିନ ସୁବର୍ଣ୍ଣପୁର ଜିଲ୍ଲାକୁ ଆସୁଛନ୍ତି ଡେପୁଟେସନରେ।

ତିନିଦିନ ମଧ୍ୟରୁ ଗୋଟିଏ ଦିନ ଆଉଟ୍ ଡୋରରେ ବସିଥିବାବେଳେ ଗୋଟିଏ ଦିନ ଜେଲ ପରିଦର୍ଶନ କରୁଥିବା ବେଳେ କେବଳ ଗୋଟିଏ ଦିନ କ୍ଷେତ୍ର ପରିଦର୍ଶନ କରି ରୋଗୀ ଚିହ୍ନଟ କରୁଛନ୍ତି। ଯଦି ସ୍ଥାୟୀ ଡାକ୍ତର ରହିବେ ତାହେଲେ ରୋଗୀ ଚିହ୍ନଟ ହେବା ସହିତ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କଲେ ମାନସିକ ରୋଗୀ ମାନେ ଭର୍ତ୍ତି ପାଇବାରେ ସୁବିଧା ହୋଇପାରିବ ବୋଲି ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ, ବେସିକ୍ ନିଡସ୍ ଇଣ୍ଟିଆର ରାଜ୍ୟ ସଂଯାଜକ ରାଜୀବ କର୍ମୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜ୍ୟୋସ୍ନାମୟୀ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ମିଶ୍ର, ବ୍ଲକ୍ ସରପଞ୍ଚ ସଂଘ ସମ୍ପାଦକ ସୂର୍ଯ୍ୟ କୁମାର ନନ୍ଦ, ଉପଖଣ୍ଡ ଚିକିତ୍ସା ଅଧିକାରୀ ରବିନ୍ଦ୍ର ବଡ଼ପଣ୍ଡା, ଓଡ଼ିଆ ଜୀବିକା ମିଶନର ମନୋଜ କୁମାର ସାହୁ, ଆଶା ସଭାପତି ଜୟନ୍ତୀ ପଣ୍ଡା, ନିଶା ନିବାରଣ କେନ୍ଦ୍ର ମାଟୁପାଲିର ସଯୋଜକ ବିନୋଦ ବିହାରୀ ବେହେରା, ଶମ୍ଭୁନାଥ କର୍ଣ୍ଣ, ସିୟା ପରିବାର ପକ୍ଷରୁ ଦୁର୍ଯ୍ୟୋଧନ ମେହେର, ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଓ କିଶୋର ହୋତା, ମାନସିକ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର ଜ୍ଞାନଜିତ ଶତପଥୀ, ଶିବ କର୍ମୀ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ରେଆର ସାଧାରଣ ସମ୍ପାଦକ ଅନନ୍ତ ନେଗୀ ସଭା ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜକ ବିଶ୍ଵମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ରେଆର ପ୍ରତିନିଧି ମିତ୍ରଭାନୁ ମଲ୍ଲିକ, ସୁଦାମ ଗାଇଗରିଆ ସହଯୋଗ କରିଥିଲେ।