ବିଶ୍ବ ଏଡ଼ସ୍‌ ଦିବସ: ବ୍ୟାପକ ସଚେତନତା ସତ୍ତ୍ବେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା

ଭଞ୍ଜନଗର: ଭୟାବହ ଏଡ଼ସ୍‌ ସଂକ୍ରମଣ ସର୍ମ୍ପକରେ ଜନସାଧାରଣଙ୍କୁ ‌ସଚେତନ କରିବା ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ। କିନ୍ତୁ ତାହା ସଭାସମିତି ଶୋଭାଯାତ୍ରାରେ ସଚେତନତା ସୀମିତ ରହିଥିବା ବେଳେ ତୃଣମୂଳ ସ୍ତରରେ ଏହି ବାର୍ତ୍ତା ଆଜି ମଧ୍ୟ ପହଞ୍ଚି ପାରିନି। ଫଳରେ ପ୍ରତିବର୍ଷ ହାରାହାରି ୨ ଶହ ନୂଆଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଶେଷ କରି ନୂଆଁ ପିଢୀ ଏହି ଦିଗରେ ସଚେତନ ଥାଇ ମଧ୍ୟ ହେୟ ମନେ କରୁଥିବାରୁ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭଞ୍ଜନଗର ଏଆର୍‌ଟି କେନ୍ଦ୍ରରେ ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି। ଗତ ୨୦୧୪ ମସିହାରେ ଲିଙ୍କ ଏଆର୍‌ଟିରୁ ଏଆର୍‌ଟିରେ ପରିଣତ ହୋଇଥିଲା। ସେହି ସମୟରେ ଏଠାରେ ମାତ୍ର ୪୪ ଜଣ ସଂକ୍ରମିତ ରହିଥିଲେ।

ଚଳିତବର୍ଷ ସୁଦ୍ଧା ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଁ ୧୪୬୦ରେ ପହଞ୍ଚିଛି। ବିଶେଷ କରି ନୂଆଁ ପିଢି ଅଧିକାଂଶରେ ଆକ୍ରାନ୍ତ ହେଉଥିବାରୁ ଏହି ଦିଗରେ ଦୃଢ ପ‌ଦକ୍ଷେପ ନ‌େବା ଜରୁରୀ ହୋଇ ପଡିଛି। ଅନ୍ୟପକ୍ଷରେ ଚଳିତବର୍ଷ କରୋନା ମହାମାରୀ ଦ୍ବିତୀୟ ଲହରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିଥିବା ବ‌େଳେ ନିୟମିତ ଔଷଧ ଗ୍ରହଣ କରୁଥିବା ସଂକ୍ରମିତଙ୍କ ନିକଟରେ ଔଷଧ ପହଞ୍ଚାଇବା ଏଆର୍‌ଟି କର୍ମଚାରୀ ମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏଚ୍‌ଆଇଭି ଏଡ଼ସ୍ ସର୍ମ୍ପକରେ ସଚେତନତାର ଅଭାବ, ଅସୁରକ୍ଷିତ ଯୌନ ସର୍ମ୍ପକ ସହ ଦାଦନ ଶ୍ରମିକ ଯ‌ୋଗୁ ଆକ୍ରାନ୍ତଙ୍କ ସଂଖ୍ୟ ପ୍ରତିବ‌ର୍ଷ ବୃଦ୍ଧି ପାଉଥିବା ଦେଖାଦେଇଛି।

ବହୁ ସଂକ୍ରମିତ ଲୋକ ଲଜ୍ୟା ଭୟରେ ଔଷଧ ଗ୍ରହଣ କରୁନଥିବା ବେଳେ ଅନେକ ସମୟରେ ରକ୍ତ ପରୀକ୍ଷା ନକରି ବିବାହ ହେଉଥିବାରୁ ଏଡ଼ସ୍‌ ରୋକିବା ଅଭିଯାନ ସଫଳ ରୂପ ନେଇ ପାରୁନାହିଁ। ଆକ୍ରାନ୍ତ ହୋଇ ସାରିବା ପରେ ପୃଷ୍ଟିକର ଖାଦ୍ୟ ଗ୍ରହଣ କରିବା ଜରୁରୀ ହୋଇପଡିଥିବା ବେଳେ ସଂକ୍ରମିତ ବ୍ୟକ୍ତି କାମଧନ୍ଦା କରିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ। ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କରିବା ଏବଂ ନିଜ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଡ କରିବା ଅସମ୍ଭବ ହୋଇପଡିଛି। ‌ସେହିପରି ସଂକ୍ରମିତ ଚିହ୍ନଟ ହେବା ପରଠାରୁ ନିୟମିତ ଏହି ଔଷଧ ଖାଇବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିବା ବେଳେ କରୋନା ମହାମାରୀ ପାଇଁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଏହି ଔଷଧ ପାଇବାରେ ଘୋର ସମସ୍ୟା ସୃଷ୍ଟି ହୋଇଥିଲା। ଯାନ ବାହାନ ବନ୍ଦ ଯୋଗୁ ନା ଏଆର୍‌ଟି କେନ୍ଦ୍ରକୁ ଆସି ପାରୁଥିଲେ ନା କାହା ସାହାର୍ଯ୍ୟରେ ଔଷଧ ଆଣିପାରୁଥିଲେ। ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ସାହା ହୋଇଥିଲେ ଏଆର୍‌ଟି କର୍ମଚାରୀ। ସଂକ୍ରମିତଙ୍କ ପରିଚୟ ଗୋପନ ରଖିବା ସହ ନିରାପଦରେ ସେମାନଙ୍କ ନିକଟରେ ଔଷଧ ପହଞ୍ଚାଯିବା ଦିଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିଲା। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏଆର୍‌ଟି କେନ୍ଦ୍ରରେ ଗତ ୨୦୧୪ ମସିହାରେ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୫ ମସିହାରେ ୯୪ଜଣ,୨୦୧୬ ମସିହାରେ ୧୦୨ ଜଣ,୨୦୧୭ ମସିହାରେ ୧୦୧ଜଣ, ୨୦୧୮ ମସିହାରେ ୧୦୩ ଜଣ ଏବଂ ୨୦୧୯ ମସିହାରେ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି କେନ୍ଦ୍ରରେ ଚିହ୍ନଟ ହୋଇଥିବା ସଂକ୍ରମିତ ଏବଂ ଅନ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇ ଏଠାକୁ ସ୍ଥାନାନ୍ତର ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗତ ୨୦୧୮ ମସିହାରେ ୯୬୨ ଜଣ ଔଷଧ ନେଉଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୧୦୭ ରହିଥିଲା। ଗତବର୍ଷ ତାହା ବୃଦ୍ଧି ପାଇଁ ୧୩୦୦ରେ ପହଞ୍ଚିଥିବା ଥିବା ବେଳେ ଚଳିତବର୍ଷ ୧୪୬୦ ଛୁଇଁଛି। ହାରାହାରି ପ୍ରତିବର୍ଷ ଏହି କେନ୍ଦ୍ର ଅଧୀନରେ ପ୍ରାୟ ଦେଢ ଶହରୁ ୨ଶହ ସଂକ୍ରମିତ ଚିହ୍ନଟ ହେଉଥିବା ଏହି ଚିତ୍ରରୁ ଜଣାପଡିଛି। ଏହି କେନ୍ଦ୍ରରେ ବର୍ତ୍ତମାନ ୧୪୨୯ ଜଣ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ‌ଔଷଧ ଦିଆଯାଉଛି। ଏମାନଙ୍କ ମଧ୍ୟରେ ଭଞ୍ଜନଗର ୨୯୦, ବେଲଗୁଣ୍ଠାର ୩୭୨, ଜଗନ୍ନାଥପ୍ରସାଦର ୧୬୩, ବୁଗୁଡ଼ାର ୧୦୯, ଧରାକ‌ୋଟର ୨୮,‌ ସୋରଡ଼ାର ୧୪୪, ଫୁଲବାଣୀର ୧୬୬, ପୋଲସରାର ୧୧, ଶେରଗଡର ୧୪, ନୟାଗଡର ୫, ଛତ୍ରପୁର, ରଙ୍ଗ‌େଇଲୁଣ୍ଡା ଏବଂ ପୁରୁଷୋତ୍ତମପୁରର ୩ ଜଣ ଲେଖାଏଁ ଔଷଧ ଗ୍ରହଣ କରୁଥିବା ଏଆର୍‌ଟି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି କେନ୍ଦ୍ର ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ୧୯୮ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏହି କେନ୍ଦ୍ରରେ ଜଣେ ‌ଡାକ୍ତର, କେୟାର କୋଡିନେଟର ଏବଂ ଷ୍ଟାଫ ନର୍ସର ଆବଶ୍ୟକତା ରହିଥିବା ‌ବେଳେ ୭ଜଣ କର୍ମଚାରୀ ମାନଙ୍କ ମଧ୍ୟରୁ ୪ ଜଣ ଏହି କେନ୍ଦ୍ର ପରିଚାଳନା କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର