ରାଉରକେଲା: ହକି ଇଣ୍ଡିଆର ସୂଚନା ଅନୁସାରେ, ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ଶେଷ ହେଲାଣି। ରାଉରକେଲାରେ ହକିର ଚାହିଦା ସର୍ବକାଳୀନ ଶ୍ରେଷ୍ଠ ଥିବାରୁ ରବିବାରଠାରୁ ସବୁ ଟିକେଟ୍‌ ହୋଇସାରିଥିବା କୁହାଯାଇଛି। ବାସ୍ତବରେ କିନ୍ତୁ ଚିତ୍ର କିଛି ଅଲଗା କହୁଛି। ଟିକେଟ୍‌ ବିକ୍ରି ହେବାର ପ୍ରଥମ ଦିନଠାରୁ ଶେଷ ପର୍ଯ୍ୟନ୍ତ ଟିକେଟ୍‌ ପାଇଁ ଅଳ୍ପସଂଖ୍ୟକ ହକିପ୍ରେମୀଙ୍କ ଭିଡ଼ ଜମିଥିଲା। ପ୍ରଥମ ୩ ଦିନ ‌ଅଧିକ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ପରବର୍ତ୍ତୀ ୪ ଦିନ କିନ୍ତୁ ସଂଖ୍ୟା ଏକ ହଜାର ଭିତରେ ସୀମିତ ରହିଥିଲା। ଏଣୁ ରାଉରକେଲା ଷ୍ଟାଡିୟମରେ ଖେଳଯିବାକୁ ଥିବାର ଟିକେଟ୍‌ ନେଲା କିଏ? ଭାରତ ମ୍ୟାଚ୍‌ର ଟିକେଟ୍‌ ପାଇବାରୁ ହଜାର ହଜାର ହକିପ୍ରେମୀ ବଞ୍ଚିତ ହେଲେ କେମିତି? ଏଭଳି ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ।

Advertisment

ହକି ବିଶ୍ବକପ୍‌ ପାଇଁ ରାଉରକେଲା ଷ୍ଟାଡିୟମର ଗେଟ୍‌ ନଂ ୨ ଓ ୬ରେ ଦୁଇଟି ଟିକେଟ୍‌ କାଉଣ୍ଟର୍‌ କରାଯାଇଥିଲା। ଗତ ୧୯ ତାରିଖରେ ଉଭୟ କାଉଣ୍ଟର୍‌ରେ ଟିକେଟ୍‌ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ଦିନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଉରକେଲା ଗସ୍ତ ଆସି ୧୩ ତାରିଖରେ ହେବାକୁ ଥିବା ଭାରତର ପ୍ରଥମ ମ୍ୟାଚ୍‌ ପାଇଁ ଅନଲାଇନ୍‌ରେ ୧୧ ହଜାର ଟିକେଟ୍‌ ବିକ୍ରି ହୋଇଥିବାବେଳେ ଅବଶିଷ୍ଟ ୯ ହଜାର ଅଫ୍‌ଲାଇନ୍‌ରେ ବିକ୍ରି କରିବାକୁ ସୂଚନା ଦେଇଥିଲେ। କିନ୍ତୁ ପ୍ରଥମ ଦିନ ବେସରକାରୀ ତଥ୍ୟ ଅନୁସାରେ, ଟିକେଟ ବିକ୍ରି ମାତ୍ର ୩-୪ ହଜାର ଭିତରେ ସୀମିତ ରହିଥିଲା। ଭାରତର ମ୍ୟାଚ୍‌ ଦେଖିବାକୁ ସ୍ଥାନୀୟ ହକିପ୍ରେମୀଙ୍କ ଉତ୍ସାହ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା। ଏଣୁ ଉଭୟ କାଉଣ୍ଟର୍‌ରେ ହକିପ୍ରେମୀ ପ୍ରଥମ ମ୍ୟାଚ୍‌ର ଟିକେଟ୍‌ ଅପେକ୍ଷାରେ ରହିଥି‌ଲେ। କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଆନୁମାନିକ ମାତ୍ର ୧୦୦୦-୧୨୦୦ ହକିପ୍ରେମୀ ପ୍ରଥମ ଦିନର ଟିକେଟ୍‌ ପାଇଥିଲେ। ଏହାପରେ ପ୍ରଥମ ଦିନ ମ୍ୟାଚ୍‌ର ଟିକେଟ୍‌ ଶେଷ ହୋଇଯାଇଥିବା କୁହାଯାଇଥିଲା।

ତେବେ ଦର୍ଶକ ଏଭଳି ଚଞ୍ଚକତା ଉପରେ ପ୍ରଶ୍ନ କରିବାସହ ପ୍ରତିବାଦ କରିଥିଲେ। ସମ୍ଭବତଃ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାକରି ଦ୍ବିତୀୟ ମ୍ୟାଚ୍‌ (ଜାନୁଆରି ୧୫)ର ୨୦୦-୩୦୦ ଜଣଙ୍କୁ ଟିକେଟ୍‌ ଦିଆଯାଇଥିଲା। ମୋଟାମୋଟିଭାବେ ଉଭୟ ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍‌ ପାଇଁ ପାଖାପାଖି ୧୮୦୦-୨୦୦୦ ଲୋକ ହିଁ ଟିକେଟ୍‌ ପାଇଥିଲେ। ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା ଅବଶିଷ୍ଟ ପାଖାପାଖି ୬-୭ ହଜାର ଲୋକଙ୍କୁ ୧୪ ତାରିଖ ଓ ୧୬ ତାରିଖରେ ଟିକେଟ୍‌ ଦିଆଯାଇଥିଲା। ଏମିତିକି ବହୁ ଲୋକ ଟିକେଟ୍‌ ନ ପାଇ ଖାଲି ହାତରେ ଘରକୁ ଫେରିଥିଲେ। ଦ୍ବିତୀୟ ଦିନରେ କିନ୍ତୁ ଭିଡ଼ ଢ଼େର୍‌ କମିଯାଇଥିଲା। ଦ୍ବିତୀୟ ଦିନସାରା ପାଖାପାଖି ୨ ହଜାର ଭିତରେ ଦର୍ଶକ ଟିକେଟ୍‌ କାଉଣ୍ଟର୍‌ରେ ପହଞ୍ଚିଥିଲେ। ସେହିଭଳି ତୃତୀୟ ଦିନରେ ପାଖାପାଖି ହଜାରେ ଦର୍ଶକ ଟିକେଟ୍‌ ନେଇଥିଲେ। ଏହାପରେ ପରବର୍ତ୍ତୀ ୪ ଦିନରେ ଦର୍ଶକଙ୍କ ସଂଖ୍ୟା ଏକ ହଜାର ଭିତରେ ସୀମିତ ରହିଥିଲା। କାଉଣ୍ଟର୍‌ ସମ୍ମୁଖରେ ଦର୍ଶକଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଥିବାବେଳେ ହଠାତ୍‌ ଗତକାଲି ଟିକେଟ୍‌ ସରିଯାଇଥିବା ଘୋଷଣା କରିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ହକିପ୍ରେମୀ। ଟିକେଟ୍‌ କାଉଣ୍ଟର୍‌ରେ ହକି ଇଣ୍ଡିଆର ୧-୨ ଜଣ ପ୍ରତିନିଧି ଥିବାବେଳେ ଟିକେଟ୍‌ ବିକ୍ରି ଦାୟିତ୍ବରେ ରାଉରକେଲାର କିଛି ଯୁବକ ରହିଥିଲେ। ଟିକେଟ୍‌ର ଉପଲବ୍ଧତା ନେଇ ପଚାରିଲେ, ବର୍ତ୍ତମାନ ପାଇଁ ସରିଯାଇଛି, ପହଞ୍ଚିଲେ ପୁଣି ବିକ୍ରି ହେବବୋଲି କୁହାଯାଉଛି। ତେବେ ଦୈନିକ କେତୋଟି ଟିକେଟ୍‌ ବିକ୍ରି ହୋଇଛି? କେଉଁ ଦିନରେ କେଉଁ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ହେଲା? ଟିକେଟ୍‌ କିଛି ସଂରକ୍ଷିତ ଅଛି କି? ଏଭଳି ପ୍ରଶ୍ନକୁ କିନ୍ତୁ ସମସ୍ତେ ଯୋଜନାବଦ୍ଧଭାବେ ଏଡ଼ାଇ ଦେଉଛନ୍ତି। ଏମିତିକି ହକି ଇଣ୍ଡିଆ ମଧ୍ୟ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଉଚିତ ମଣୁନାହିଁ। ଟିକେଟ୍‌ ବିକ୍ରି ଦାୟିତ୍ବରେ ଥିବା ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରି ସୂଚନା ଦିଆଯିବବୋଲି ଏହାର ଅଧିକାରୀମାନେ କହୁଛନ୍ତି।

ଉଲ୍ଲେଖନୀୟ ଯେ ଦର୍ଶକମାନେ କେବଳ ନିଜ ମନପସନ୍ଦ ମ୍ୟାଚ୍‌ ପାଇଁ ଟିକେଟ ପାଇବାରୁ ବଞ୍ଚିତ ହୋଇନଥିଲେ, ଅପେକ୍ଷାକୃତ ଉନ୍ନତମାନର ସିଟ୍‌ ମଧ୍ୟ ପାଇପାରିନଥିଲେ। ପ୍ରଥମ ୨ ଦିନ ହାତଗଣତି କିଛି ଦର୍ଶକଙ୍କୁ ୱେଷ୍ଟ୍‌ ଷ୍ଟାଣ୍ଡ୍‌ ପାଇଁ ଉଦ୍ଦିଷ୍ଟ ୫୦୦ ଟଙ୍କିଆ ଟିକେଟ୍‌ ଓ ଇଷ୍ଟ୍‌ ଷ୍ଟାଣ୍ଡ୍‌ ପାଇଁ ଉଦ୍ଦିଷ୍ଟ ୪୦୦ ଟଙ୍କିଆ ଟିକେଟ୍‌ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କେବଳ ୧୦୦ ଓ ୨୦୦ ଟଙ୍କିଆ ଟିକେଟ୍‌ ହିଁ ବିକ୍ରି ହୋଇଥିଲା।