ଜିଲ୍ଲାସ୍ତରୀୟ ବିଶ୍ବ ବାଳିକା ଦିବସ ପାଳିତ

ଖୋର୍ଦ୍ଧା: ବୁଧବାର ବିଶ୍ବ ବାଳିକା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଯୋଗ ଦେଇଥିଲେ। ଜିଲ୍ଲା ସମାଜ ଅଧିକାରୀ ନିରୂପମା ପାଣି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅତିଥି ମାନେ ବାଳିକା ଶିକ୍ଷା ଉପରେ ଗୁରୁତ୍ବ ଦେବା ସହ ବାଲ୍ୟ ବିବାହ ବନ୍ଦ କରିବା, ଅଧାରୁ ପାଠ ଛାଡ଼ୁଥିବା ବାଳିକାଙ୍କୁ ପୁଣି ପାଠପଢ଼ା ସ୍ରୋତକୁ ଫେରାଇ ଆଣିବା, ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲାର ୨୬ ଜଣ ଚୟନ ହୋଇଥିବା ସଖୀ ଓ ସହେଲୀ ଯୋଗ ଦେଇଥିଲେ।

ବାଳିକା ଶିକ୍ଷାର ଗୁରୁତ୍ବ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରୁ କୃତୀ ତିନିଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାର ବିଚାରକ ଭାବେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ (ମମତା) ସୁରଥ ବିଶ୍ବାଳ, ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଯୋଗ ଦେଇଥିଲେ। କାର୍ଯ୍ୟ ନିର୍ବାହୀ ସୁରକ୍ଷା ଅଧିକାରୀ ମଉଜମଣି ନାୟକ, ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଅଧିକାରୀ ସୁଜାତା ତ୍ରିପାଠୀ, ମୀନାକ୍ଷୀ ପଟ୍ଟନାୟକ, ଶୁଭସ୍ମିତା ବେହେରା, କଳ୍ପନା ପରିଡ଼ା, ଆକ୍ସନ୍‌-ଏଡ୍‌ର ଜିଲ୍ଲା ସଂଯୋଜିକା ସ୍ବାତୀ ତନ୍ମୟା ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପୋଷଣ ସଂଯେଜିକା ଅଭିଲିପ୍ସା ବେହେରା ଶପଥ ପାଠ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର