ବିଶ୍ବ ପଖାଳ ଦିବସ: ଦହି ପଖାଳ ସାଙ୍ଗକୁ ମନଭରି ଖାଇଲେ ଭଳିକି ଭଳି ସୁସ୍ବାଦୁ ବ୍ୟଞ୍ଜନ

ବାଲେଶ୍ବର: ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହୋଇ ଆସୁଛି ବିଶ୍ବ ପଖାଳ ଦିବସ ଭାବେ । ପଖାଳ ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ। ବିଶେଷ କରି ଆମ ରାଜ୍ୟର ଗାଁ ଗହଳିରେ ପଖାଳର ଚାହିଦା ଖୁବ୍ ଅଧିକ। ବର୍ତ୍ତମାନ ଧୀରେ ଧୀରେ ସହରୀ ସଭ୍ୟତା ମଧ୍ୟରେ ବି ପଖାଳର ଆଦୃତି ବଢ଼ିଲାଣି। କେବଳ ସେତିକି ନୁହେଁ ପଖାଳର ପୋଷକ ତତ୍ତ୍ବ ସମ୍ପର୍କରେ ବୈଜ୍ଞାନିକମାନେ ବିଭିନ୍ନ ଗବେଷଣା କରି  ତାକୁ ଉଚ୍ଚମାନର ଖାଦ୍ୟ ବୋଲି ଅଭିହିତ କରିଛନ୍ତି। ଫଳରେ କେବଳ ଆମ ରାଜ୍ୟ କିମ୍ବା ଦେଶ ନୁହେଁ ବିଦେଶରେ ମଧ୍ୟ ପଖାଳର ଲୋକପ୍ରିୟତା ବୃଦ୍ଧି ପାଇଛି।

ଆମ ରାଜ୍ୟ ଭଳି ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଲୋକ ପଖାଳ ଖାଆନ୍ତି। ହେଲେ ଓଡ଼ିଆ ପଖାଳର ସ୍ବତନ୍ତ୍ରତା ରହିଛି। ଏହାର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରିବେଷଣ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପର୍ଯ୍ୟାୟ ରହିଥାଏ। ପ୍ରତିଦିନ ସକାଳୁ ଓଡ଼ିଆ ପୁଅ ପଖାଳ କଂସା ଛାଡ଼ି ଅନ୍ୟ ଖାଦ୍ୟ ଆଡ଼କୁ ଅନାଇ ନଥାଏ। କାରଣ ଦିନ ସାରା ପରିଶ୍ରମ ପାଇଁ ପଖାଳ ଯେଉଁ ଖୋରାକ୍ ଯୋଗାଏ ତାହା ଅନ୍ୟ ଖାଦ୍ୟ କରିପାରିନଥାଏ। ବିଶେଷ କରି ଖରାଦିନେ ପଖାଳର ଚାହିଦା ଖୁବ୍ ବଢ଼ିଥାଏ। ଏ ସମୟରେ ପ୍ରାୟ ସବୁବର୍ଗର ଲୋକେ ପଖାଳ ନିୟମିତ ଖାଇଥାନ୍ତି। ଖରାଦିନେ ଆମ ଦେହରୁ ଜଳୀୟ ଅଂଶର ଅଭାବ ଦୂର କରିଥାଏ ପଖାଳ। ପରିବର୍ତ୍ତିତ ପରିସ୍ଥିତିରେ ଖଟିଖିଆଙ୍କ ପ୍ରିୟ ଖାଦ୍ୟ ପଖାଳ ବିଶ୍ବସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ସହିତ ଲୋକପ୍ରିୟ ହେବାର ଲାଗିଛି। ପଖାଳର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ ପାଳନ ହେଉଛି ପଖାଳ ଦିବସ।

ଚଳିତ ବର୍ଷ ମଧ୍ୟ ପଖାଳ ଦିବସ ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହୋଛି। କୋଭିଡ୍ ଗାଇଡଲାଇନ ପାଳନ ପୂର୍ବକ ଆଜି ବାଲେଶ୍ବର ସହର ଉପକଣ୍ଠ ମେଣ୍ଢାଶୋଳ ସ୍ଥିତ ଏକ ଉଦ୍ୟାନ ପରିସରରେ ପାଳିତ ହୋଇଥିଲା ଏହି ଦିବସ। ସହରରେ ରହୁଥିବା କିଛି ଯୁବବର୍ଗ ଓ ସେମାନଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପରସ୍ପର ଭାବବିନିମୟର ସୁଯୋଗ ପାଇଥିବା ବେଳେ ପଖାଳ ଦିବସର ଭରପୂର ମଜା ଉଠାଇଥିଲେ। ଦହି ପଖାଳ ସାଙ୍ଗକୁ ଆମିଷ ନିରାମିଷର ବିଭିନ୍ନ ପ୍ରକାର ଦେଶୀ ବ୍ୟଞ୍ଜନକୁ ସମସ୍ତେ ମନଭରି ଖାଇଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବାଲେଶ୍ବର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁ ଯୋଗଦେଇ ଆୟୋଜକମାନଙ୍କୁ ଉତ୍ସାହିତ କରିବା ସହ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର