କାର୍ତ୍ତିକ ମାସରେ ଧର୍ମ ! ଶେଷ ଦିନରେ ଭିକାରିଙ୍କୁ ପୋକରା ଚାଉଳ ଦାନ

ଜୟପୁର: ମାସ ତମାମ କାର୍ତ୍ତିକ ବ୍ରତ ପାଳନ ହେଲା।  ଅମିଷକୁ ବାରଣ କରାଗଲା। ପୂଜାର୍ଚ୍ଚନାରେ ଅଧିକ ସମୟ ବିତିଲା। ଶେଷରେ ପୂର୍ଣ୍ଣିମା ଦିନରେ ଭିକ୍ଷା ବୃତ୍ତି କରୁଥିବା ଭିକାରିଙ୍କୁ ପୋକରା ଚାଉଳ ଦେବା କେତେ ଦୂର ଯୁକ୍ତିଯୁକ୍ତ। ଏଭଳି ଚାଉଳ ଦେଇଥିବା ଲୋକଙ୍କର କିଭଳି ମାନସିକତା ରହିଥିବ ତାହା ସହଜରେ ଅନୁମେୟ। ଯେଉଁ ଚାଉଳକୁ ମଣିଷ ଖାଇବେ ନି ସେଭଳି ଚାଉଳକୁ ଅନ୍ୟ ଜଣେ ମଣିଷକୁ ଖାଇବାକୁ ଦେବା କେତେ ଯଥାର୍ଥ। ଏହି ପୋକରା ଚାଉଳ ମଧ୍ୟରୁ ଭିକାରୁଣୀ ବୁଢ଼ୀ ଭଲ ଚାଉଳ ବାଛିବାର ଏକ ଚିତ୍ର ବାରିଣୀପୁଟ ଶିବ ମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଛି।

ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମାସ ଯାକ ବ୍ରତ କରିଥିବା ଏବଂ ଅନ୍ୟମାନେ ଶିବଙ୍କ ଦର୍ଶନ ପାଇଁ ଯାଇଥିଲେ। ଯଦିଓ କୋଭିଡ୍‌ କଟକଣା ଜାରି ରହିଛି, ତଥାପି ଶ୍ରଦ୍ଧାଳୁମାନେ ମନ୍ଦିରକୁ ସେତେଟା ଯାଇ ନଥିଲେ ହେଁ ସହର ପାର୍ଶ୍ଵରେ ଥିବା ମନ୍ଦିରରେ ଭିଡ଼ ଜମାଇଥିଲେ। ମନ୍ଦିରକୁ ଆସୁଥିବା ଭକ୍ତମାନେ ମନ୍ଦିର ସମ୍ମୁଖରେ ବସୁଥିବା ଭିକାରି ଓ ଭିକାରୁଣୀଙ୍କୁ ମୁଠାଏ ଲେଖାଏଁ ଚାଉଳ ଏବଂ କିଛି ପଇସା ଦେଉଥିଲେ।

ତେବେ କିଛି ଭକ୍ତ ଏଭଳି ଚାଉଳ କିଛି ଭିକାରିଙ୍କୁ ଦେଇଥିଲେ, ଯାହାକି ରୋଷେଇ ପାଇଁ ଉଦ୍ଦିଷ୍ଟ ନୁହେଁ। ଜଣେ ଭିକାରୁଣୀ ବୁଢ଼ୀ ଏହି ପୋକରା ଚାଉଳ ମଧ୍ୟରୁ ଭଲ ଚାଉଳକୁ ବାଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ ଦେଖି ମାସ ତମାମ ଧର୍ମ କରି, ଏଭଳି କରିବା କେତେ ଦୂର ଯୁକ୍ତିସଂଗତ ବୋଲି ଲୋକେ ଦେଖି କୁହାକୁହି ହେଉଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ସେହିଭଳି ବୁଢ଼ୀ ଭିକାରୁଣୀ ଏଭଳି ଚାଉଳକୁ ବାଛିବା ପଛରେ ନିଶ୍ଚିତ ଭାବେ ସେ କେତେ ଅଭାବୀ ଏବଂ ତାଙ୍କ ପାଇଁ ଏହି ଚାଉଳ କେତେ ଆବଶ୍ୟକ ତାହା ସ୍ପଷ୍ଟରୂପେ ଅନୁମେୟ।

ସମ୍ବନ୍ଧିତ ଖବର