କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଉପାନ୍ତ ଅଞ୍ଚଳ ଗଏରବାହାଲ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଫାର୍ମାସିଷ୍ଟଙ୍କ ଭୁଲ ଚିକିତ୍ସା ପାଇଁ ଜଣକ ଜୀବନ ଯିବା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟବିଭାଗ ନିର୍ଦେଶକ୍ରମେ ପୂର୍କାପାଲି ଉପ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସତୀଶ ନିଷାଦ ଓ ଅନ୍ୟ କର୍ମଚାରୀ ଗଏରବାହାଲ ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ କରିଥିଲେ। ମାତ୍ର ଏହି ତଦନ୍ତକୁ ବିଜେପି ଜିଲ୍ଲା ସଂଖ୍ୟାଲଘୁ ସଭାପତି ଜୁନାସ ଲୁଗୁନ ଓ ଗ୍ରାମବାସୀ ନାପସନ୍ଦ କରିବା ସହିତ ଆଗାମୀଦିନରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଜଣାଇବେ ବୋଲି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ କାଦୋପାନି ଗ୍ରାମର ବଳରାମ ସିଂ(୫୫) ତାଙ୍କ ଶ୍ବଶୁରଘର ନୂଆଗାଁରେ ଗତ ୩ ବର୍ଷ ଧରି ରହିଆସୁଥିଲେ। ତାଙ୍କୁ ୫ ଦିନ ତଳେ ଜ୍ଵର ହୋଇଥିଲା। ପରିବାରଲୋକେ ତାଙ୍କୁ ବୁଧବାର ଗଏରବାହାଲ ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଜଣେ ଫାର୍ମାସିଷ୍ଟ ତାଙ୍କୁ ଦେଖିବା ପରେ ସାଲାଇନ୍ ଓ ଅନ୍ୟାନ୍ୟ ଔଷଧ ଦେଇ ଚିକିତ୍ସା କରିଥିଲେ ଓ ପରଦିନ ପୁଣି ଆସିବା ପାଇଁ କହିଥିଲେ। ତେଣୁ ଗୁରୁବାର ତାଙ୍କୁ ପୁଣି ଡାକ୍ତରଖାନାକୁ ଆଣିଥିଲେ। ସେଦିନ ମଧ୍ୟ ଫାର୍ମାସିଷ୍ଟଜଣକ ରୋଗୀଙ୍କ ସମ୍ପର୍କୀୟଙ୍କ ପାଖରୁ ୮୨୦ ଟଙ୍କା ନେଇ ତାଙ୍କ ଘରୁ ଇଞ୍ଜେକ୍ସନ୍ ଆଣି ଦେଇଥିଲେ। ଇଞ୍ଜେକ୍ସନ୍ ଦେବାର କିଛି ସମୟ ଭିତରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ପୁଣି ସାଲାଇନ୍ ଦିଆଯାଇଥିଲା। କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ତାଙ୍କୁ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ପୃକ୍ତ ଫାର୍ମାସିଷ୍ଟ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରଲୋକେ ଫାର୍ମାସିଷ୍ଟଙ୍କ ଭୁଲ ଚିକିତ୍ସାରେ ବଳରାମଙ୍କ ଜୀବନଗଲା ବୋଲି ଅଭିଯୋଗ ଆଣିବା ସହିତ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ଷ୍ଟେସନ ଡାଏରି କରି ଘଟଣାର ଛାନ୍ଭିନ୍ କରୁଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।