ରାଜଗାଙ୍ଗପୁର: ଭୁବନେଶ୍ବରର ପ୍ରତିଷ୍ଠିତ ଏକ ହସ୍ପିଟାଲ ତ୍ରୁଟିପୂର୍ଣ୍ଣ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟ ଦେଇ ସୁନ୍ଦରଗଡ଼ ଖାଉଟି ଅଦାଲତ ଦ୍ବାରା ଦଣ୍ଡିତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ‘ସମ୍ବାଦ’ର ରାଜଗାଙ୍ଗପୁର ସାମ୍ବାଦିକ ଜିତେନ୍ଦ୍ର ନାରାୟଣ ଦାସଙ୍କ ପତ୍ନୀ ସୁବେଦିତା ଦାସ ୨୦୧୮ ଜୁଲାଇ ୧୬‌ରେ ୭,୫୦୦ ଟଙ୍କା ଦେଇ ଭୁବନେଶ୍ବର ଆପୋଲୋରେ ପୂରା ଶରୀର ଚେକ୍ଅପ୍‌ କରିଥିଲେ। ହସ୍ପିଟାଲ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ସୁବେଦିତାଙ୍କର ସମସ୍ତ ଶରୀର ଠିକ୍ ଥିବା ଦର୍ଶାଯାଇଥି‌ଲା। ହସ୍ପିଟାଲ ରିପୋର୍ଟରେ ସେ ସୁସ୍ଥ ଥିବା ଦର୍ଶା ଯାଇଥିଲେ ମଧ୍ୟ ଅଧିକାଂଶ ସମୟରେ ଗ୍ୟାସ୍‌ ଓ ପେଟ କାଟିଲା ପରି ଯନ୍ତ୍ରଣା ହେଉଥିଲା। ଏଣୁ ସେ ରାଜଗାଙ୍ଗପୁର ସହରରେ ଥିବା ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଜୟଦେବ ଦାଶଙ୍କ ପରାମର୍ଶ ନେଇଥିଲେ। ଡା. ଦାଶ ସେହିବର୍ଷ ଅକ୍ଟୋବର ମାସ ୧୦ ତାରିଖରେ ତାଙ୍କ ପେଟକୁ ପୁଣିଥରେ ଅଲ୍‌ଟ୍ରାସାଉଣ୍ଡ କରିଥିଲେ ଏବଂ ତାଙ୍କ ପେଟରେ ପଥର ଥିବା ରିପୋର୍ଟ ପ୍ରଦାନ କରିଥିଲେ।

Advertisment

ଏହି ରିପୋର୍ଟ ଆସିବା ପରେ ସୁବେଦିତା ୨୦୧୮ ନଭେମ୍ବର ୨୧ରେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ଏହି ଘଟଣାରେ ସୁବେଦିତା ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଖାଉଟି ଅଦାଲତ କେସ୍ ନମ୍ବର ୩୨/୨୦୨୦ରେ ମାମଲା ରୁଜୁକରି ହସ୍ପିଟାଲର ପ୍ରଶାସନିକ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଥିଲେ। ସୁନ୍ଦରଗଡ଼ ଖାଉଟି ଅଦାଲତର ସଭାପତି ଡା. ରମାକାନ୍ତ ଶତପଥୀ ଓ ସଦସ୍ୟ ସଦାନନ୍ଦ ତ୍ରିପାଠୀ ମାମଲାକୁ ବିଚାରକରି ହସ୍ପିଟାଲକୁ ଦୋଷୀ ସାବ୍ୟସ୍ତକରି ଅର୍ଥଦଣ୍ଡ କରିଛନ୍ତି। ଖାଉଟି ଅଦାଲତ ଚେକ୍‌ଅପ୍‌ ବାବଦକୁ ପ୍ରଦାନ କରାଯାଇଥିବା ଅର୍ଥ ୭,୫୦୦ ଟଙ୍କା ସମେତ କ୍ଷତିପୂରଣ ବାବଦକୁ ୫୦,୦୦୦ ଟଙ୍କା ଏକମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ଠିକ୍‌ ସମୟରେ ପ୍ରଦାନ କରାନଗଲେ ଶତକଡ଼ା ୯ ହାରରେ ସୁଧଦେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଏହାସହିତ ଅଦାଲତ ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ପ୍ରଦାନ କରିବେ ବୋଲି ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସୁନ୍ଦରଗଡ଼ର ଓକିଲ ପ୍ରଦୀପ କୁମାର ପଟେଲ, ଦିଲୀପ କୁମାର ସାହୁ ପରିଚାଳନା କରିଥିଲେ।