ବୋଲଗଡ଼: ମାସେ ନୁହେଁ କି’ ଦୁଇ ମାସ ନୁହେଁ। ପ୍ରାୟ ବର୍ଷକ ତଳର ଗହମ ଷ୍ଟକ୍ ଖୋଲିଛି ଯୋଗାଣ ବିଭାଗ। ବର୍ଷେ ହେଲା ପୋକ ଖାଇ ଗୁଣ୍ଡ କରି ଦେଇଥିବା ଗହମକୁ ଖାଉଟିଙ୍କ ଉପରେ ଲଦି ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଗୋପାଳପୁର ପଞ୍ଚାୟତରେ ଏମିତି ପ୍ରକାର ଗହମ ବଣ୍ଟାକୁ ନେଇ ତୀବ୍ର ଅସନ୍ତୋଷ ଖେଳିଯାଇଛି। ଗରିବ ଖାଉଟିଙ୍କୁ କେବଳ ପୋକରା ଗହମ ବଣ୍ଟା ଯାଇନାହିଁ, ବରଂ ଯିଏ ପ୍ରତିବାଦ କଲା ତାକୁ ଯୋଗାଣ ବିଭାଗ ନାଲି ଆଖି ଦେଖାଇଛି। ଗହମ ନ ନେଲେ ଚାଉଳ ଦିଆଯିବ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦିଆଯାଇଛି। ଯାହା ଖାଉଟି ମହଲକୁ ଆହୁରି ଗରମ କରି ଦେଇଛି।
ଖାଉଟିଙ୍କ ଅଭିଯୋଗ ମୁତାବକ, ଜାନୁଆରି ମାସରୁ ରାସନ ସାମଗ୍ରୀ ଦେବାକୁ ବିଭାଗୀୟ ପ୍ରସ୍ତୁତି ଆରମ୍ଭ କରିଥିଲା। ଏନେଇ ଗାଁରେ ଧେଣ୍ଡୁରା ପିଟା ହୋଇଥିଲା। ଏଥର ଫେବ୍ରୁଆରି ମାସର ଗହମ ଦିଆଯିବ। ତେଣୁ, ନିଜ ନିଜର ଗହମ କୋଟା ନେଇ ଯିବାକୁ କୁହାଯାଇଥିଲା। ଗଲା ପ୍ରାୟ ବର୍ଷେରୁ ଅଧିକ ଦିନ ହେଲା ସରକାର ଗହମ ଯୋଗାଣ ବନ୍ଦ କରି ଦେଇଥିବା ବେଳେ ହଠାତ୍ ପୁଣି ଗହମ କେମିତି ଆସିଲା? ତାହା ପୁଣି ଗୋଟିଏ ମାସର କାହିଁକି ଦିଆଯିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଆସିଥିଲା। ତଥାପି ଗହମ ମିଳିବା ଆଶାରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଧାଇଁ ଯାଇଥିଲେ। କିନ୍ତୁ, ସେଠି ଯାଇ ଦେଖିଲା ବେଳକୁ ପାଉଡ଼ର ଗୁଣ୍ଡ ସହ ଗହମ ସବୁ ଓଜନ କରି ଦିଆଗଲା। ଗହମର ଅଧିକାଂଶ ଅଂଶ ପୋକ ଖାଇ ନଷ୍ଟ କରି ଦେଇଥିଲା। ପୋକରା ଗହମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଆମେ ପୋକରା ଗହମ କାହିଁକି ନେବୁ ବୋଲି ପ୍ରତିବାଦ କରିଥିଲେ। କିନ୍ତୁ, ଗହମ ନ ନେଲେ ଚାଉଳ ଦିଆଯିବ ନାହିଁ ବୋଲି ଆମକୁ ଚେତାବନୀ ଦିଆଗଲା ବୋଲି ଖାଉଟିମାନେ ଅଭିଯୋଗ ଆଣିଛନ୍ତି। କିନ୍ତୁ, ଖାଇବାକୁ ଘରେ ଚାଉଳ ନ ଥିବାରୁ ପୋକଡ଼ା ଗହମ ନେବାକୁ ଖାଉଟି ବାଧ୍ୟ ହୋଇଛନ୍ତି। ସୂଚନା ୱାର୍ଡସଭ୍ୟ ଶିବପ୍ରସାଦ ରଥ ଏବଂ ଶ୍ରମିକ ନେତା ଅକ୍ଷୟ ରାଉତରାୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କୁ ଏମିତି ପୋକଡ଼ା ଚାଉଳ ବଣ୍ଟାଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଶ୍ରୀ ରାଉତରାୟ ଚେତାବନୀ ଦେଇଥିଲେ।
ଏ ଗହମ ପୁରୁଣା ଷ୍ଟକ୍ରେ ଥିଲା। ଷ୍ଟକ୍ ସଫା କରିବା ପାଇଁ ଆମକୁ କୁହାଯାଇଥିଲା। ଯେଉଁମାନଙ୍କର ଗହମ ପାଇନଥିଲେ, ତାଙ୍କୁ ଦେବା ପାଇଁ କୁହାଯାଇଥିଲା। ଆମେ ସେହି ହିତାଧିକାରୀଙ୍କୁ ଦେଇଛୁ। ଲୋକେ ଗହମ ନେବାକୁ ବାରଣ କରିବାରୁ ଗହମ ବଣ୍ଟନ ବନ୍ଦ କରିଛୁ।
-ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ବାରିକ
ଏ ସମ୍ପର୍କରେ ପଞ୍ଚାୟତର ଯୋଗାଣ ସହାୟତ ଅମୂଲ୍ୟ ସାହୁଙ୍କଠାରୁ ଆରମ୍ଭ କରି ବ୍ଲକ୍ ଯୋଗାଣ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ଯୋଗାଯୋଗ ଉଦ୍ୟମ ହୋଇଥିଲା। କିନ୍ତୁ, ଏ ଘଟଣା କେହି ମୁହଁ ଖୋଲୁ ନାହାନ୍ତି। ବର୍ଷକ ତଳୁ ସାରା ଓଡ଼ିଶାରେ କେଉଁଠି ବି ଗହମ ବଣ୍ଟା ହେଉନଥିବା ବେଳେ ହଠାତ୍ ଗୋଟାଏ ମାସର ଗହମ ଆସିଲା କେଉଁଠୁ? କାହା ଦୋଷରୁ ଗହମ ଅବଣ୍ଟା ହୋଇ ରହିଥିଲା? ପୋକଡ଼ା ଗହମ ନେବାକୁ ଲୋକଙ୍କୁ କାହିଁକି ବାଧ୍ୟ କରାଯାଉଛି? ସବୁରି ମୁହଁରେ ଏ ପ୍ରଶ୍ନ ଉଙ୍କି ମାରୁଛି।