ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କୁ ଅବହେଳାର ସୀମା ଟପିଲାଣି। ମନ୍ଦିରର ପାରିପାର୍ଶ୍ବିକ ଅବସ୍ଥା ସାଂଘାତିକ ଭାବେ ବିଗିଡ଼ି ଗଲାଣି। ଜିଲ୍ଲା ପ୍ରଶାସନ ଏ ଦିଗରେ ମୁଣ୍ଡ କାମ ହଲାଉନଥିବା ବେଳେ ମନ୍ଦିର ଦାୟିତ୍ବରେ ଥିବା ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନି। ଫଳରେ ଧୀରେ ଧୀରେ ମନ୍ଦିର ଅବସ୍ଥା ଅତ୍ୟନ୍ତ ସଙ୍ଗିନ ହୋଇପଡ଼ିଲାଣି। ସିଂହଦ୍ବାରଠାରୁ ଆରମ୍ଭ କରି ଦୀପ ଓ ଭୋଗ ଦୋକାନ ପର୍ଯ୍ୟନ୍ତ ସବୁ ଛାତ ଫାଟି ଆଁ ହୋଇଗଲାଣି। ସେଥିରୁ ପୁଳା ପୁଳା ସିମେଣ୍ଟ ଶ୍ରଦ୍ଧାଳୁଙ୍କ ଉପରେ ଖସୁଥିବା ଜଣାପଡ଼ିଛି।
ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ତତକାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ୧କୋଟି ଟଙ୍କାର ସହାୟତା ମିଳିଥିଲା। ପୂର୍ବତନ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ତାଙ୍କ ସମୟରେ ଆସିଥିବା ଏହି ଟଙ୍କା କେମିତି ଓ କେଉଁଠି ଖର୍ଚ୍ଚ ହେଲା ଏହା ଜଣାପଡ଼ୁ ନାହିଁ। ମନ୍ଦିର ସାମ୍ନାରେ ଗୋଟିଏ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ପାଚେରିକୁ ଭାଙ୍ଗି ନୂଆ ପାଚେରି ନିର୍ମାଣ କରାଯାଇଛି।

Advertisment

ଉକ୍ତ ପାଚେରି କାହିଁକି ଭଙ୍ଗାଗଲା ଏହାକୁ ନେଇ ମଧ୍ୟ ମନ୍ଦିର ପୂଜକମାନଙ୍କୁ ଆଜି ପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ମିଳୁ ନାହିଁ। ବର୍ତ୍ତମାନ ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ଜିଲ୍ଲାରେ‌ ଯୋଗଦେବାର କିଛିଦିନ ପରେ ମନ୍ଦିର ପରିଦର୍ଶନରେ ଯାଇ ସମସ୍ତ ସମସ୍ୟ‌ାର ସମାଧାନ କରିବା ପାଇଁ ଦାବି କରିଥିଲେ। ମାତ୍ର ଦ୍ବିତୀୟ ଥର ଜିଲ୍ଲାପାଳଙ୍କୁ ଏଠାରେ ଦେଖିବାକୁ ମିଳି ନାହିଁ କିମ୍ବା ମନ୍ଦିରର ଉନ୍ନତି ଦିଗରେ ଗୋଟିଏ ହେଲେ ବି ବୈଠକ ଡକାଯାଇ ନାହିଁ। କେବଳ ସେତିକି ନୁହେଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁ ନାହିଁ। ଏପଟେ ମନ୍ଦିରର ଅବସ୍ଥା ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଲାଣି। ସିଂହଦ୍ବାର, ଦୀପ ଓ ଭୋଗ ଦୋକାନ, ମନ୍ଦିର କାର୍ଯ୍ୟାଳୟ ଛାତରୁ ପୁଳା ପୁଳା ସିମେଣ୍ଟ ଖସିବା ଆରମ୍ଭ କଲାଣି। ଶ୍ରଦ୍ଧାଳୁଙ୍କ ଉପରେ ଏହା ଖସି ପଡ଼ୁଥିବାରୁ ମନ୍ଦିରକୁ ଆସିବାକୁ ସେମାନେ ଭୟ ‌କଲେଣି। ଏହାସହ ମନ୍ଦିର ଯାହା ବି ନିର୍ମାଣ କାମ ଆରମ୍ଭ ହୋଇଥିଲା, ଏହା ସେମିତି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ମନ୍ଦିରର ଏମିତି ଅବସ୍ଥାକୁ ଦେଖିଲେ, ଏହା ରାଜ୍ୟର ଏକ ପ୍ରମୁଖ ପୀଠ ବୋଲି ଆଦୌ ବିଶ୍ବାସ ହେବ ନାହିଁ। ତୁରନ୍ତ ଏ ଦି‌ଗରେ ପଦକ୍ଷେପ ନିଆ ନଗଲେ, ମନ୍ଦିର ଅବସ୍ଥା ଦିନକୁ ଦିନ ଆହୁରି ଦୟନୀୟ ସ୍ଥିତିରେ ପହଞ୍ଚିବ। ବର୍ତ୍ତମାନ କାହାରି କାହା ସହ ତାଳ ପଡ଼ୁ ନଥିବାରୁ ମନ୍ଦିର ପାଇଁ ଉତ୍ତରଦାୟୀ କିଏ ରହିବ ବୋଲି ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପରିଜା ଏମିତି ଅଭିଯୋଗକୁ ସ୍ବୀକାର କରିଥିଲା ବେଳେ ଏଥିପାଇଁ ସେ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ବୈଠକ ଡକାଯାଉ ନାହିଁ କି କୌଣସି ଅର୍ଥ ମଧ୍ୟ ଦିଆଯାଉ ନାହିଁ। ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାର ଦେଇଥିବା ଅନୁଦାନ କେମିତି ଖର୍ଚ୍ଚ ହେଲା, ସେ ବି ଜାଣନ୍ତି ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି।