ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ତରଫରୁ ଗତ ସେପ୍ଟେମ୍ବରରେ ଯୋଗାଇ ଦିଆଯାଇଥିବା ନୂଆ ଏକ୍ସ-ରେ ମେସିନ ରୋଗୀଙ୍କ ସେବାରେ ଲାଗି ନପାରି ଏହା ପଡ଼ିରହିଛି। ଏହି ମେସିନକୁ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିଲା। ଏକ୍ସରେ ମେସିନ୍କୁ ରଖାଯିବା ସକାଶେ ଏକ ସ୍ୱତନ୍ତ୍ର ଗୃହ ମଧ୍ୟ ନିର୍ମାଣ କରାଯାଇଛି। ଦୁର୍ଭାଗ୍ୟର ବିଷୟ ଯେ ଏକ୍ସ-ରେ ମେସିନ୍କୁ ପରିଚାଳନା କରିବା ପାଇଁ ଟେକନିସିଆନ୍ ନାହାନ୍ତି ଏବଂ ଏହି କାରଣରୁ ବ୍ୟୟ ବହୁଳ ମେସିନ ରୋଗୀ ସେବାରେ ଲାଗିପାରୁ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ ରତ୍ନାକର ନାଥ ଶର୍ମା ନାମକ ଜଣେ ଟେକ୍ନିସିଆନ୍ଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବା ଶୁଣିବାକୁ ମିଳୁଥିବା ବେଳେ ସେ ମଧ୍ୟ କୌଣସି କାରଣ ଯୋଗୁଁ ଛୁଟିରେ ରହିଥିବା ଜଣାପଡିଛିା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଲକ୍ଷ୍ମୀପୁର ବ୍ଲକର ସଦର ମହକୁମାର ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବା ବେଳେ ଅନେକ ସମୟରେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ରୋଗୀମାନେ ମଧ୍ୟ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତିା
ବର୍ତ୍ତମାନ ରାୟଗଡାଠାରୁ କୋରାପୁଟ ଜାତୀୟ ରାଜପଥ ୩୨୬ର ମାନ୍ୟତା ପାଇଥିବା ବେଳେ ପ୍ରାୟ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଦୁର୍ଘଟଣାରେ ଶିକାର ହୋଇ ହାତ ଗୋଡ ଭାଙ୍ଗି ରୋଗୀ ଡାକ୍ତରଖାନାରେ ପହଞ୍ଚୁଥିବା ବେଳେ ସେମାନଙ୍କର ଏକ୍ସ-ରେ ହୋଇପାରୁ ନାହିଁ। ତେଣୁ ଲୋକଙ୍କୁ ବାଧ୍ୟ ହୋଇ କୋରାପୁଟ ଅଥବା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ଏକ୍ସ-ରେ ମେସିନ୍କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ସାଧାରଣରେ ଦାବି ହେଉଛି।