ବଡ଼ଦିନ ପାଇଁ କନ୍ଧମାଳ ଚଳଚଞ୍ଚଳ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ: ବଡଦିନକୁ ନେଇ କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟଧର୍ମାବଲମ୍ବୀ ବେଶ ଉତ୍ସାହିତ ଦେଖାଯାଇଛନ୍ତି। କାରଣ ସେମାନେ ଆଉ କିଛି ଘଣ୍ଟା ପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରିବେ। ଜିଲ୍ଲାରେ ଥିବା ଚର୍ଚ୍ଚଗୁଡ଼ିକ ଚଳଚଞ୍ଚଳ ଦେଖାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ସୁରକ୍ଷା ଉପର ନଜର ରଖିଛି। ସେଥିପାଇଁ ଚର୍ଚ୍ଚଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ବଡଦିନ ପାଇଁ ସୁରକ୍ଷା ଦୃଷ୍ଟିରୁ ସମଗ୍ର କନ୍ଧମାଳରେ ପୁଲିସ ଛାଉଣି କରାଯାଇଛି। ପ୍ରତି ଚର୍ଚ୍ଚରେ ଜଣେ ଅଧିକାରୀ ଓ ଫୋର୍ସ ମୁତୟନ ଅଛନ୍ତି। ସେହିଭଳି ପ୍ରତି ଥାନାକୁ ନିଜ ଏରିଆର ଚର୍ଚ୍ଚଗୁଡ଼ିକ ପ୍ରତି କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦିନ ଅବସରରେ କନ୍ଧମାଳରେ ସମୁଦାୟ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଏସପି ପ୍ରତୀକ ଗୀତା ସିଂ ସୂଚନା ଦେଇଛନ୍ତି। ସୁରକ୍ଷା ତଦାରଖ କରିବାକୁ ସମୁଦାୟ ୭୨ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ଦାରିଙ୍ଗବାଡ଼ି, ଘୁ.ଉଦୟଗିରି, କୋଟଗଡ଼, ରାଇକିଆ, କେ.ନୂଅଗାଁ, ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଅଞ୍ଚଳରେ ଅଧିକ ଖ୍ରୀଷ୍ଟ ସମ୍ପ୍ରଦାୟ ରହୁଥିବାରୁ ସେସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ ୨୦୦୮ରେ କନ୍ଧମାଳ ହିଂସା ହୋଇଥିଲା। ଏଥିରେ ବହୁ ଧନଜୀବନ ନଷ୍ଟ ହୋଇଥିଲା। ତା’ପରଠୁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କୁଇ ସମାଜ ସମନ୍ଵୟ ସମିତି ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆଯାଉଥିଲା। ଏଥି ଯୋଗୁଁ ଖ୍ରୀଷ୍ଟ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଏଥି ସହ ପ୍ରଶାସନ ଓ ପୁଲିସ ପାଇଁ ବି ଚିନ୍ତା ବଢାଉଥିଲା। ଗତ ୩ ବର୍ଷ ହେଲା ବନ୍ଦ ଡାକରା ଦିଆଯାଉ ନାହିଁ। ଚଳିତ ବର୍ଷ ମଧ୍ୟ ବନ୍ଦ ଡାକରାର ସମ୍ଭାବନା ନାହିଁ। ତେଣୁ ବିଗତ ବର୍ଷ ଭଳି ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ କନ୍ଧମାଳରେ ବଡ଼ଦିନ ପାଳନ ସମାପନ ହେବ ବୋଲି ଆଶା କରାଯାଉଛି। ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛି ପ୍ରଶାସନ ଓ ପୁଲିସ।

ଖ୍ରୀଷ୍ଟଧର୍ମାବଲମ୍ବୀର ସାନରୁ ବଡ ସମସ୍ତଙ୍କ ମନରେ ବଡ଼ଦିନ ଉତ୍ସବର ମାହୋଲ ଦେଖାଯାଇଛି। ସେହିଭଳି ପ୍ରତି ଘରେ ପାର୍ବଣର ମାହୋଲ। ଆଜିଠାରୁ ଘରେ ପିଠା ଓ ମିଠାର ଆସର ଜମିଛି। ସବୁ ଚର୍ଚ୍ଚଗୁଡ଼ିକରେ ସାଜସଜା ସାଙ୍ଗକୁ ଆଲୋକମାଳା ଝଲସିବା ଆରମ୍ଭ ହୋଇ ଯାଇଛି। ନାଚ ଓ ଗୀତର ଆସର ଜମିବାର ଥିବାରୁ ଏ ନେଇ ପ୍ରସ୍ତୁତି ଶେଷ ହୋଇ ଯାଇଛି।

ସମ୍ବନ୍ଧିତ ଖବର