ସୁନ୍ଦରଗଡର ୭ ବ୍ଳକକୁ ଛୁଇଁଲା ବାତ୍ୟା ‘ୟାସ୍’, ୯୫ ଆଶ୍ରୟସ୍ଥଳୀରେ ରହିଲେ ୨,୬୬୫ ଲୋକ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସମେତ ୭ ବ୍ଲକକୁ ଛୁଇଁଛି ବାତ୍ୟା ‘ୟାସ୍’। ପ୍ରଭାବରେ ଗତକାଲି ରାତିରୁ ଜାରି ହାଲ୍କା ପବନ ସହ ଲଗାଣ ବର୍ଷା। ପବନ ବେଗ କମ୍ ଥିବାରୁ ଜିଲ୍ଲାର କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଜିଲ୍ଲାର ନୂଆଗାଁ, କୁଆରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଓ ବଣାଇଁଗଡ ବ୍ଲକର ଲଗାଣ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ମାଟିଘରେ, ବିପଦ ସଙ୍କୁଳ ଘର, ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଗତକାଲି ରାତି ୮ଟାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତଭ୍କୁ ବ୍ଲକର ସ୍କୁଲ, ପଞ୍ଚାୟତ ଅଫିସ, କମ୍ୟୁନିଟି ହଲ୍ ଆଦିରେ ସୁରକ୍ଷିତ ଭାବେ ରଖାଯାଇଛି। ଆଜି ଅପରାହ୍ନ ୪ଟା ସୁଦ୍ଧା ବଣାଇଁଗଡକୁ ଛାଡି ମୋଟ ୬ଟି ବ୍ଲକରୁ ୨ ହଜାର ୬୬୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ୭୫ ପଞ୍ଚାୟତରେ ମୋଟ ୯୫ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। କୋଭିଡ ନିୟମ ପାଳନ କରି ସେମାନଙ୍କୁ ରଖାଯିବା ସହ ରନ୍ଧା ଖାଦ୍ୟ ଦିଆଯାଉଛି। ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର, ରାଜସ୍ବ ଅଧିକାରୀ, ପିଓ ଏବଂ ଜେଇ ଆଦି ଅଧିକାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। କୁଆରମୁଣ୍ଡା ବ୍ଲକର ୭ଟି ପଞ୍ଚାୟତର ୨୩ଟି ଆଶ୍ରୟସ୍ଥଳୀରେ ୫୦୪ ଜଣଙ୍କୁ ରଖାଯାଇଛି। ବିଶ୍ରା ବ୍ଲକର ୧୪ଟି ପଞ୍ଚାୟତର ୧୪ଟି ଆଶ୍ରୟସ୍ଥଳୀରେ ୪୮୭, ଲାଠିକଟା ବ୍ଲକର ୨ଟି ପଞ୍ଚାୟତ ୩ଟି କେନ୍ଦ୍ରରେ ୪୫୫, ଲହୁଣୀପଡା ବ୍ଲକର ୪ଟି ପଞ୍ଚାୟତର ୪ଟି କେନ୍ଦ୍ରରେ ୬୪ ଜଣଙ୍କୁ ରଖାଯାଇଛି। ଅନୁରୂପ ଭାବେ ନୂଆଗାଁ ବ୍ଲକର ୨୦ଟି ପଞ୍ଚାୟତର ୨୩ଟି କେନ୍ଦ୍ରରେ ୯୮୬, କୋଇଡା ବ୍ଲକର ୧୫ଟି ପଞ୍ଚାୟତର ୧୫ଟି କେନ୍ଦ୍ରରେ ୧୬୯ ଜଣଙ୍କୁ ରଖାଯାଇଛି। ସ୍ଥିତି ସ୍ବାଭାବିକ ହେବା ପରେ ଆସନ୍ତାକାଲି (ଗୁରୁବାର) ସମସ୍ତଙ୍କୁ ନିଜ ନିଜ ଘରକୁ ଛାଡି ଦିଆଯିବ ବୋଲି ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାର କହିଛନ୍ତି। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ କହିଛନ୍ତି, ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ରାଉରକେଲାରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସୁରକ୍ଷିତ ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯାଉଛି। ଆବଶ୍ୟକ ସ୍ଥାନରେ ଶୁଖିଲା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ ବୋଲି ଶ୍ରୀ କଲ୍ୟାଣ କହିଛନ୍ତି।

ସମ୍ବନ୍ଧିତ ଖବର