ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଶକ୍ତିପୀଠରେ ଆଜିଠୁ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଗତ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଏବଂ ମାନସିକଧାରୀଙ୍କ ସୁଅ ଗତ ରାତିରୁ ଛୁଟିଥିଲା। ମା’ଙ୍କୁ ଦର୍ଶନ କରି ସମେସ୍ତ ଶୁଭ ମନାସିଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଛୋଟ ପିଲାମାନଙ୍କ ମୁଣ୍ଡନ କରା ଯାଇଥିଲା। ଜିଲ୍ଲା ପ୍ରଶାସନ, ମନ୍ଦିର ଟ୍ରଷ୍ଟ୍ ବୋର୍ଡ଼ ଓ ପୁଲିସର ବ୍ୟାପକ ପ୍ରସ୍ତୁତି ଯୋଗୁଁ ପ୍ରଥମ ପାଳି ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଥିବା ଜଣାପଡ଼ିଛି। ଏହାସହ ମନ୍ଦିରର ସେବାୟତମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଛନ୍ତି।
ଯାତ୍ରା ଲାଗି ମା’ଙ୍କ ମଙ୍ଗଳ ଆଳତି, ଅବକାଶ ନୀତି, ମାଜଣା, ଅଭିଷେକ ଓ ଶୃଙ୍ଗାର ନୀତି ସମେତ ସମସ୍ତ ରୀତିନୀତି ଶୀଘ୍ର ସଂପନ୍ନ ହୋଇଥିଲା। ଭୋର୍ ୫ଟା ୨୦ରେ ସାହାଣ ମେଲା ହୋଇଥିଲା। ବିଳମ୍ବିତ ରାତି ୨ଟାରୁ ମାନସିକଧାରୀ ପିଲାଙ୍କ ମୁଣ୍ଡନ ସାରି ଅମୃତ କୁଡ଼ୁଆ ସହ ଦର୍ଶନ ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ। ସାହାଣ ମେଲା ପରେ ସମସ୍ତେ ମା’ଙ୍କ ଦର୍ଶନ କରିଥିଲେ। ପ୍ରଥମ ପାଳିରେ ମା’ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହାସହ ପାହାଡ଼ ପାଦଦେଶରେ ଭୋଜିଭାତର ଆସର ଜମିଥିଲା। ଭିଡ଼କୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2023/03/WhatsApp-Image-2023-03-14-at-8.39.53-PM.jpeg)
ତେବେ ଆଜି ପ୍ରଥମ ପାଳିରେ କିଛି ଅବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପିଲାଙ୍କ ମୁଣ୍ଡନ ପାଇଁ ୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ମୁଣ୍ଡନ ପରେ ବାରିକ ମାନେ ଜଣକ ପିଛା ୧୫୦ରୁ ୨୦୦ ଟଙ୍କା ପାଉଣା ଦାବି କରୁଥିବା ଅଭିଯୋଗ ହୋଇଛି। ସେହିପରି ହିଲ୍ଟପ୍କୁ ଭକ୍ତମାନେ ୯୯୯ ପାହାଚରେ ଚଢ଼ି ଓ ରାସ୍ତାରେ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସ୍ବତନ୍ତ୍ର ବସରେ ଯାଇ ମା’ଙ୍କ ଦର୍ଶନ କରିଥିଲେ। କିନ୍ତୁ ୨ କିଲୋମିଟର ୪୦୦ ମିଟର ରାସ୍ତା ପାଇଁ ବସ ଭଡ଼ା ଜଣକ ପିଛା ୬୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ତନ୍ମଧ୍ୟରୁ ୩୦ ଟଙ୍କା ବସ ନେଉଥିବା ବେଳେ ଆଉ ୩୦ ଟଙ୍କା ମନ୍ଦିର ପାଇଁ ଆଦାୟ ହୋଇଥିବା ଜଣାପଡ଼ିଛି। ଶ୍ରଦ୍ଧାଳୁମାନେ ଏଥର ଦେୟମୁକ୍ତ ଦର୍ଶନ କରିବେ ବୋଲି ଜିଲ୍ଲାପାଳ ଆଗରୁ ଘୋଷଣା କରିଥିବା ବେଳେ ସ୍ବତନ୍ତ୍ର ବସ ଆଳରେ ଅଧିକ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଛି। ଏହାସହ ରୋପ୍ୱେରେ ୨ଗୁଣା ଦର ଧାର୍ଯ୍ୟ ହୋଇଥିଲା। ସେହିପରି ଋଷିକୁଲ୍ୟା ନଦୀତଟରେ ଆଲୋକ ବ୍ୟବସ୍ଥା ହୋଇ ନଥିବାରୁ ରାତିରେ ଶ୍ରଦ୍ଧାଳୁମାନେ ଅସୁବିଧା ଭୋଗିଥିଲେ। ଦ୍ବିତୀୟ ପାଳିରେ ଆଲୋକ ବ୍ୟବସ୍ଥା ସହ ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ଦାବି ହୋଇଛି। ଏହାସହ ପୀଠକୁ ସଂଯୋଗ କରୁଥିବା ନରସିଂହପୁର ଠାରୁ ସହଦେବ ଛକଯାଏ ଆଲୁଅ ଓ ଟେଣ୍ଟ୍ ବ୍ୟବସ୍ଥା ଦାବି ହୋଇଛି।