ରାୟଗଡ଼ା: ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ରାୟଗଡ଼ାରେ ଲଗାଣ ବର୍ଷା ଜାରି ରହିଛି। ଉତ୍ତର ତାମିଲନାଡ଼ୁ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ଲଘୁଚାପ ବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ରାୟଗଡ଼ାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୭୫ ମିମି ବର୍ଷା ରେକର୍ଡ କରାଯାଇଛି।
ଗୁରୁବାର ମଧ୍ୟ ରାତ୍ରିରୁ ରାୟଗଡ଼ାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବୁଧବାର ପର୍ଯ୍ୟନ୍ତ ପାଗ ଶୁଖିଲା ରହିଥିବା ବେଳେ ରାତିର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିଥିଲା। ଫଳରେ ଶୀତ ଅନୁଭୂତ ହେଉଥିଲା। ଲଘୁଚାପ ଯୋଗୁ ପୁଣି ରାତି ତାପମାତ୍ରା ୨୩ ଡିଗ୍ରିକୁ ବୃଦ୍ଧି ପାଇବା ସହିତ ବର୍ଷା ଲାଗି ରହିଛି। ବଡ଼ ଧରଣର ବର୍ଷା ହୋଇନଥିଲେ ମଧ୍ୟ ଝିପି ଝିପି ଓ ମଧ୍ୟମ ଧରଣର ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। କିଛି ଅଞ୍ଚଳରେ ଧାନ ଫସଲ ପାଣିରେ ପଡି ରହିଥିବା ବେଳେ କପା ଉତ୍ପାଦନ ସମୟ ହୋଇଥିବାରୁ ବହୁ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଦିନେ ଦୁଇ ଦିନ ମଧ୍ୟରେ ବର୍ଷା ନ ଛାଡ଼ିଲେ କପା ଓ ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୂଳ ଆତଙ୍କିତ ହୋଇ ପଡିଛନ୍ତି। ଜିଲ୍ଲାରେ ୪୭ ହଜାର ହେକ୍ଟର ଜମିରେ ଧାନ ଓ ୪୫ ହଜାର ହେକ୍ଟର ଜମିରେ କପା ଫସଲ ହୋଇଛି। ଚାଷ ହୋଇଥିବା ଅଧିକାଂଶ ଜମିରୁ କପା ଅମଳ ପାଇଁ ଚାଷୀ ପ୍ରସ୍ତୁତ ହେଉଥିବା ବେବଳେ ନଭେମ୍ବର ୧୫ରୁ ଆରମ୍ଭ ହେଉଛି କପା ମଣ୍ଡି। ଠିକ୍ ଉତ୍ପାଦନ ସମୟରେ ବର୍ଷା ଯୋଗୁ କିଛି ଜମିରେ ପାଣି ଜମି ରହିଛି। ଦିନେ ଦୁଇ ମଧ୍ୟରେ ପାଗ ଶୁଖିଲା ହୋଇଗଲେ କ୍ଷୟକ୍ଷତି ପରିମାଣ କମିଯିବ। ନଚେତ୍ କପା ଚାଷୀ କ୍ଷତିଗ୍ରସ୍ତ ହେବେ। ସେହିପରି ଧାନ ଚାଷକୁ ନେଇ ମଧ୍ୟ ଚାଷୀ ଚିନ୍ତିତ ହୋଇ ପଡିଛନ୍ତି।
ପାଖାପାଖି ୪୦ ପ୍ରତିଶତ ଜମିରେ ଧାନ ପାଚିବା ସହ ଅମଳକ୍ଷମ ହେବାକୁ ବସିଲାଣି। ଆଉ ଦୁଇରୁ ତିନି ସପ୍ତାହ ମଧ୍ୟରେ ଧାନ ଅମଳ ଆରମ୍ଭ ହେବାକୁ ଥିବାରୁ ମଣ୍ଡି ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି। ଏପରିସ୍ଥଳେ କାର୍ତ୍ତିକ ମାସରେ ଲଘୁଚାପ ବର୍ଷା ଲାଗି ରହିବା ଚାଷୀକୂଳଙ୍କ ପାଇଁ ବିପଦ ସଦୃଶ୍ୟ ହୋଇଛି। ପାଣିପାଗ ବିଭାଗ ସୂଚନାନୁଯାୟୀ, ରାୟଗଡ଼ା ବ୍ଲକରେ ୧୭.୬ ମିମି, କୋଲନରାରେ ୨୦.୮ ମିମି, କଲ୍ୟାଣସିଂହପୁରରେ ୮.୯ ମିମି, କାଶୀପୁରରେ ୯.୪ ମିମି, ଗୁଣପୁରରେ ୨୮ ମିମି, ପଦ୍ମପୁରରେ ୧୩.୪ ମିମି, ଗୁଡାରିରେ ୧୫.୬ ମିମି, ରାମନାଗୁଡ଼ାରେ ୧୧.୬ ମିମି, ବିଷମକଟକରେ ୨୧.୨ ମିମି, ମୁନିଗୁଡ଼ାରେ ୧୭.୨ ମିମି, ଚନ୍ଦ୍ରପୁରରେ ୧୧.୪ ମିମି ବର୍ଷା ହୋଇଛି। ଜିଲ୍ଲାରେ ହାରାହାରି ୧୫.୯୨ ହାରରେ ବର୍ଷା ହୋଇଛି।