ଏନ୍ଏସ୍ଏସ୍ ଦ୍ଵାରା ଯୋଗ କର୍ମଶାଳା: ସୁସ୍ଥ ଶରୀର ପାଇଁ ଯୋଗ ମହୋଷଧି

ଜୟପୁର: ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନ୍ ଏସ୍ ଏସ୍) ଆନୁକୁଲ୍ୟରେ ଏକ ଯୋଗ କର୍ମଶାଳା ଭାରଚୁଆଲରେ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଡ଼ ମନୋରମା ଦେବୀଙ୍କ ପ୍ରୋତ୍ସାହନରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ (ଏନ୍ଏସ୍ଏସ୍) କିଶୋର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ପତଞ୍ଜଳି ଯୋଗ ଶାଖାର ପ୍ରଶିକ୍ଷିକା ଜାନକୀ ପାଣିଗ୍ରାହୀ ମୁଖ୍ୟ ବକ୍ତା ତଥା ପ୍ରଶିକ୍ଷିକା ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କର୍ମଶାଳାର ଆବାହକ ତଥା ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ଼ ମନୋରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଶ୍ରୀବେହେରା ଯୋଗର ପ୍ରାସଙ୍ଗିକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପ୍ରଶିକ୍ଷିକା ଶ୍ରୀମତୀ ପାଣିଗ୍ରାହୀ ଯୋଗ ସାଧନା ଦ୍ବାରା ଶରୀର ସୁସ୍ଥ, ମନ ଶାନ୍ତ ରହିବା ସହ ବ୍ୟକ୍ତି ନିରୋଗୀ  ଓ ନିର୍ଭୀକ ହୋଇଥାଏ ବୋଲି କହିଥିଲେ। ଯୋଗ ଏକ ନିତ୍ୟ ସାଧନା ଏବଂ ଏହା ଦୈନନ୍ଦିନ ଜୀବନରେ ଅବିଚ୍ଛେଦ୍ୟ ଅଙ୍ଗ ହେବା ଗ୍ରହଣ କରିବା ଉଚିତ ବୋଲି କହିବା ସହ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ଆସନ, ମୁଦ୍ରା ଓ ପ୍ରାଣାୟାମ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।

ପ୍ରଥମେ ଗ୍ରୀବା, ହସ୍ତ, ପାଦ, ସ୍କନ୍ଦ ଓ ଚକ୍ଷୁ ସଞ୍ଚାଳନ ସମ୍ବନ୍ଧରେ ଶିଖେଇବା ସହ ସୂର୍ଯ୍ୟ ନମସ୍କାର, ବଜ୍ରାସନ, ଶଶାକାସନ, ଅର୍ଦ୍ଧ ଚକ୍ରାସନ, ଉତ୍ଥାନ ମଣ୍ଡୁକାସନ, ଆଦି ଆସନ ଓ ଭସ୍ତ୍ରୀକା, କପାଳଭାତି, ଅନଲୋମ ବିଲୋମ ଓ ଭ୍ରାମରୀ ପ୍ରାଣାୟମ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହା ଦ୍ଵାରା ପ୍ରତିଭାଗୀମାନେ ନିଜ ପ୍ରଶ୍ନ ମାଧ୍ୟମରେ ଶ୍ରୀମତୀ ପାଣିଗ୍ରାହୀ ଙ୍କ ଠାରୁ ସମସ୍ତ ସନ୍ଦେହ ମୋଚନ କରିଥିଲେ। କର୍ମଶାଳାରେ ପଚାଶରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ, ଅଧ୍ୟାପକ ଓ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ। ଶେଷରେ କଲେଜର ଅନ୍ୟତମ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ଼ ସିଦ୍ଧାନନ୍ଦ ପ୍ରଧାନ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର