ୱାର୍ଲଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଏଭରେଷ୍ଟ୍ ବିଜେତା ଯୋଗବ୍ୟାସ, ଛୁଟିଲା ଶୁଭେଚ୍ଛା ବାର୍ତ୍ତା

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ରୁପ୍ରା ଗ୍ରାମର ଆନ୍ତର୍ଜାତିକ ପର୍ବତାରୋହୀ ତଥା ଏଭରେଷ୍ଟ୍ ବିଜେତା ଯୋଗବ୍ୟାସ ଭୋଇ ଆଉ ଏକ କୃତିତ୍ବ ତଥା ସଫଳତା  ଅର୍ଜନ କରିପାରିବା ସହିତ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି, ଯାହାକି ସେ ୱାର୍ଲଡ ବୁକ୍ ଅଫ୍ ରେକର୍ଡସ୍, ୟୁନାଇଟେଡ କିଙ୍ଗଡମ୍ରେ ସ୍ଥାନ ପାଇଛନ୍ତି।  ସେଥିପାଇଁ ତାଙ୍କୁ ଉକ୍ତ ଅନୁଷ୍ଠାନ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି, ଗତ ୧୩ ଡିସେମ୍ବର ରୁ ୨୦ ଡିସେମ୍ବର ୨୦୨୦ ରେ ରାଜସ୍ଥାନର ଜୟପୁର ସହରରେ “କାଏରାନ୍ ପିଙ୍କ ସିଟି  ହାଫ ମାରାଥନ” ଅନଲାଇନ୍ ଆପ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା। ଯେଉଁଠାରେ ସାରା ବିଶ୍ବର ୨୩ ଟି ଦେଶର ପ୍ରାୟ ୪୦,୧୭୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ୧୦ କିମି ମାରାଥନ୍ରେ ଏଭେରେଷ୍ଟ୍ ବିଜେତା ଯୋଗବ୍ୟାସ ଭାଗନେଇ ୧୨ କିମି ୨୭୦ ମିଟର ଦୂରତାକୁ ୧ ଘଣ୍ଟା ୫୨ ମିନିଟ ୩୩ସେକେଣ୍ଡରେ ସଫଳତାର ସହିତ ଅତିକ୍ରମ କରି କୃତିତ୍ୱ ଅର୍ଜନ କରିଥିଲେ।

ଏହି ସଫଳତା ପାଇଁ ତାଙ୍କୁ ମେଡାଲ, ଇ ସାର୍ଟିଫିକେଟ୍ ଓ ଟି ସାର୍ଟ ଆୟୋଜକଙ୍କ ପକ୍ଷରୁ ଦିଆଯାଇଥିଲା। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଏହି କାଏରାନ୍ ପିଙ୍କ୍ ସିଟି ହାଫ୍ ମାରାଥନ୍ ଦେଶର ସବୁଠାରୁ ବୃହତ୍ତର ଭରଚୁଆଲ୍ ମାରାଥନ୍ ଅଟେ । ତେଣୁ ଏହି ମାରାଥନକୁ ୱାର୍ଳଡ୍ ବୁକ୍ ଅଫ୍ ରେକର୍ଡସ୍, ୟୁନାଇଟେଡ୍ କିଙ୍ଗଡମରେ ସାମିଲ କରାଯିବା ସହିତ ଭାଗନେଇଥିବା  ପ୍ରତିଯୋଗୀମାନଙ୍କୁ ରେକର୍ଡ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଯେଉଁଠାରେ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ଯାସ ଭୋଇ ମଧ୍ୟ ଅନ୍ତର୍ଭୁକ୍ତ ଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି  ଶ୍ରୀ ଭୋଇ ଆଗରୁ ଗିନିଜ୍ ୱାର୍ଳଡ୍ ରେକର୍ଡସ୍  ସାର୍ଟିଫିକେଟ୍ ମଧ୍ୟ  ପାଇଛନ୍ତି। ଏହି ସଫଳତାର ଶ୍ରେୟ ଶ୍ରୀ ଭୋଇ ନିଜ ଗାଁ ରୁପ୍ରା, କଳାହାଣ୍ଡି ତଥା ଓଡିଶାବାସୀଙ୍କର ବୋଲି ପ୍ରକାଶ କରିଛନ୍ତି । ସେଥିପାଇଁ ଶ୍ରୀ ଭୋଇଙ୍କୁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର