ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ବସଷ୍ଟାଣ୍ଡ ନିକଟରେ ଏକ ଯୁବ ବ୍ୟବସାୟୀକୁ ଗତକାଲି ରବିବାର ରାତ୍ର ପ୍ରାୟ ୯ ଘଣ୍ଟ ସମୟରେ ଜଣେ ଦୁର୍ବୃତ୍ତ ଛୁରାମାଡ଼ କରିଛି। ଜୀବନରେ ମାରିଦେବା ନେଇ ମଧ୍ୟ ଧମକ ଦେଇଥିବା ପ୍ରେମ କୁମାର ଗୁପ୍ତା ପ୍ରକାଶ କରିଛନ୍ତି। ଏଥିରେ ଯୁବ ବ୍ୟବସାୟୀ ଗୁରୁତର ଆହତ ହେବା ପରେ ପରିବାର ଲୋକେ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ପରେ କୋରାପୁଟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯୁବ ବ୍ୟବସାୟୀ ଜଣକ ଡାବୁଗାଁ ବସ୍ଷ୍ଟାଣ୍ଡ ନିକଟର ପ୍ରେମ କୁମାର ଗୁପ୍ତା (୪୦)। ଖବର ପାଇ ଡାବୁଗାଁ ପୁଲିସ ଜଣେ ଦୁର୍ବୃତ୍ତକୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରୁଛି।
ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ୯ ଘଣ୍ଟ ସମୟରେ ଡାବୁଗାଁ ବସଷ୍ଟାଣ୍ଡ ନିକଟରେ କିରାନା ଦୋକାନ ଦେଇଥିବା ପ୍ରେମ କୁମାର ଗୁପ୍ତା (୪୦) ଦୋକାନ ମଧ୍ୟରେ ଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ନ ଦେଇ ଦୋକାନ ସାମଗ୍ରୀ ନେବାକୁ ଉଦ୍ୟତ ହେଉଥିବା ସମୟରେ ପ୍ରେମ ଗୁପ୍ତା ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିଲା। ଏହି ସମୟରେ ଜଣେ ଦୁର୍ବୃତ୍ତ ପ୍ରେମର ପାଖ ପେଟରେ ଛୁରା ମାଡ଼ କରିଥିଲା। ପ୍ରେମ ଛୁରାମାଡ଼ ପରେ ଚିତ୍କାର କରିବାରୁ ଦୁହେଁ ସେଠାରୁ ଚାଲି ଯାଇଥିଲେ। ତୁରନ୍ତ ପରିବାର ଲୋକେ ପ୍ରେମ କୁମାର ଗୁପ୍ତାକୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ପ୍ରେମକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ପରେ ପ୍ରେମ ଗୁପ୍ତାକୁ ସେଠାରୁ କୋରାପୁଟ ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଖବର ଲେଖା ହେବା ସୁଦ୍ଧା ପରିବାର ଲୋକେ ଏ ନେଇ ଥାନା ରେ କୌଣସି ଏତଲା ଦେଇ ନାହାନ୍ତି।