ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବ ବ୍ୟବସାୟୀ, ଉତ୍ତେଜିତ ଲୋକେ କଲେ ରାସ୍ତାରୋକ

ଝାରସୁଗୁଡା: ଲଖନପୁର ବ୍ଲକର ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କନକତୋରା ଫରେଷ୍ଟ ଗେଟ ନିକଟରେ ଶୁକ୍ରବାର ଜଣେ ଯୁବ ବ୍ୟବସାୟୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଧୁଲୁଣ୍ଡା ଗାଁର ଯୁବକ କୁବେର ମେହେର(୨୩)ଙ୍କ ମୃତ୍ୟୁ ଘଟିଛି। ମୃତଦେହକୁ ପୁଲିସ ନେଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଓଡ଼ିଶା-ଛତିଶଗଡ଼ ସୀମାଠାରୁ ୧୨ କିଲୋମିଟର ଦୂରରେ ଥିବା ପଞ୍ଚଗାଁ ପର୍ଯ୍ୟନ୍ତ ହଜାର ହଜାର ଗାଡ଼ି ଅଟକି ରହିଛି।

ଅଜଣା ଟ୍ରକ ସହିତ ନିଜ ମାରୁତି ଭେନ (ସଜି୧୩ସି ୨୯୬୮) ଧକ୍କା ହେବାରୁ ଘଟଣାସ୍ଥଳରେ କୁବେରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମାରୁତି ଭେନଟି ସମ୍ପୂର୍ଣ୍ଣ ରୂପେ କ୍ଷତି ହୋଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ପଡିଯାଇଛି। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକ (ଓଡ଼ି୨୩ଟି ୩୨୦୭) ୪ କିଲୋମିଟର ଦୂରରେ ଥିବା ଚିତ୍ତ ଢାବା ନିକଟରେ ଟ୍ରକକୁ ରଖିଦେଇ ଫେରାର ହୋଇଯାଇଛି। ପୁଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯୁବ ବ୍ୟବସାୟୀ ଜଣକ ସ୍ଥାନୀୟ ବଜାର ଓ ଗାଁ ଗାଁରେ ବୁଲି ବୁଲି ଭ୍ୟାନ୍‌ରେ କପଡ଼ା ବ୍ୟବସାୟ କରୁଥିଲେ। ବଜାରରେ କପଡ଼ା ବିକ୍ରି କରି ସେ ଟଙ୍କା ରୋଜଗାର କରୁଥିଲେ। ଏହି ଟଙ୍କାରେ କୁବେରଙ୍କ ପରିବାର ପାଳନ ହେଉଥିଲା କିନ୍ତୁ ତାଙ୍କର ମୃତ୍ୟୁ ପରେ ପରିବାର କେମିତି ଚଳିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର