ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବ କ୍ରୀଡ଼ାବିତ ଅଜୟ କୁମାର

ହରିଚନ୍ଦନପୁର/ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଭଗାମୁଣ୍ଡା ରାସ୍ତାର ଆଳୁଘାଟିରେ ଗତକାଲି ରାତିରେ ବାଇକ୍ରୁ ଖସିପଡ଼ି ଘସିପୁରା ଥାନା ବରିପାଳ ଗ୍ରାମର ଅଜୟ କୁମାର ପାତ୍ର (୩୫)ଙ୍କ ମୃତ୍ୟୁ ଘଟିଛି। ଅଜୟ ଏକ ବାଇକ୍‌ (ଓଆର୍‌-୦୪-ଏଲ୍‌-୭୧୬୫)ରେ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ବେଳେ ଆଳୁଘାଟିରେ ଭାରସାମ୍ୟ ହରାଇ ବାଇକ୍‌ରୁ ଖସି ପଡ଼ିଥିଲେ। ଆଜି ସକାଳେ ତାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ।

ଏଏସ୍‌ଆଇ ରମେଶ ଚନ୍ଦ୍ର ଜେନା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ। ଖବରପାଇ ଘସିପୁରା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଯୁବନେତା ଦେବପ୍ରିୟ ପାତ୍ର, ପ୍ରଦୀପ ସାହୁ, ହିମାଂଶୁ ପାଣିଗ୍ରାହୀ, ଯୁବ ବିଜେଡି ବ୍ଲକ୍‌ ସଭାପତି ଦେବଦତ୍ତ ନାୟକ, ପୂର୍ବତନ ସରପଞ୍ଚ ପରେଶ କୁଅଁର ପ୍ରମୁଖ ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସ୍ୱର୍ଗତ ଅଜୟ ବିଜେଡିର ଜଣେ ସକ୍ରିୟ ସଂଗଠକ ଥିଲେ। ସ୍ଥାନୀୟ ଅଞ୍ଚଳରେ ଜଣେ ଭଲ କ୍ରିକେଟ୍‌ ଖେଳାଳି ଭାବେ ପରିଚିତ ଥିଲେ। ତାଙ୍କର ବିଧବା ପତ୍ନୀ ଓ ଚାରିବର୍ଷର ଝିଅ ଅଛି। ଅଜୟଙ୍କ ଅକାଳ ବିୟୋଗରେ ବରିପାଳ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର