ସମାଜ ସଂସ୍କାରରେ ଯୁବବର୍ଗର ଭୂମିକା ଗୁରୁତ୍ବପୂର୍ଣ୍ଣ: ଏସପି 

ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଶିବିର

ସୁନ୍ଦରଗଡ଼: ‘ସମାଜ ସଂସ୍କାରରେ ଯୁବବର୍ଗର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏଥିପାଇଁ ପ୍ରଥମେ ସେମାନେ ନିଶାମୁକ୍ତ ଉତ୍ତମ ନାଗରିକ ହେବାକୁ ପଡ଼ିବ’। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୩ ଦିନିଆ ଯୁବ ରେଡକ୍ରସ ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏସପି ସାଗରିକା ନାଥ ଶିବିରାର୍ଥୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଅଧ୍ୟକ୍ଷ ଡ. ଲଳିତରଞ୍ଜନ ସାହୁ ସ୍ବେଚ୍ଛାସେବୀମାନଙ୍କୁ ଶିବିରରୁ ଶିକ୍ଷା ଲାଭ କରି ସମାଜ ସେବା କରିବା ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବାକୁ ଆହ୍ବାନ କରିଥିଲେ।

ଭାରତୀୟ ରେଡକ୍ରସ ସମିତି ସୁନ୍ଦରଗଡ଼ ଶାଖାର ପ୍ରଦୀପ କୁମାର ସାହୁ, ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ଦ୍ବିବେଦୀ ରେଡକ୍ରସର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ରେଡକ୍ରସ ଆବାହକ ପୀତାମ୍ବର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୩ ଦିନ ଧରି ଚାଲିଥିବା ଏହି ଶିବିରରେ ପ୍ରାଥମିକ ଚିକିତ୍ସା, ଅଗ୍ନି ନିର୍ବାପନ ପ୍ରଣାଳୀ, ରକ୍ତଦାନ ଓ ରକ୍ତ ବିଜ୍ଞାନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ସଡ଼କ ସୁରକ୍ଷା ସମ୍ପର୍କରେ ସୁମନ୍ତ ଦ୍ବିବେଦୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ ରବିନାରାୟଣ ସାମଲ, ପ୍ରଦୋଷ ରଞ୍ଜନ ଜେନା, ପ୍ରବାସିନୀ ଚକ୍ର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶିବିରରେ ସର୍ଗିପାଲି, ଉଜ୍ବଳପୁର, ମହିଳା ମହାବିଦ୍ୟାଳୟ ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ। ରେଡକ୍ରସ କାଉନସେଲର ପ୍ରଭାକର ସେଟୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର