ବିଲକୁ ମୁଗ ଆଣିବାକୁ ଯାଇଥିଲେ ଯୁବତୀ, ବଜ୍ରପାତରେ ମୃତ୍ୟୁ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ରଘୁଆଗୋରଡା (କୋଇଲିପଡା) ଗ୍ରାମରେ ଜଣେ ଯୁବତୀଙ୍କ ବଜ୍ରପାତରେ  ଶୁକ୍ରବାର ପୂର୍ବାହ୍‌ଣରେ ମୃତ୍ୟୁ ହୋଇଛି। ମୃତକ ହେଲେ ସନ୍ତୋଷ ବେହେରାଙ୍କ ଝିଅ ରଶ୍ମିତା ବେହେରା( ୨୬ )।

ସୂଚନା ଅନୁସାରେ, ଗୁଆପୁର ପଞ୍ଚାୟତ କୋଇଲି ପଡାର ରଶ୍ମିତା ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ବିଲକୁ ମୁଗ ଆଣିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ବିଲରେ ଟଳି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବତୀଙ୍କ ମୃତ୍ୟୁ ନେଇ ରଘୁଆଗୋରଡା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର