ଆତ ତୋଳୁଥିବା ବେଳେ କାମୁଡ଼ି ଦେଲା ବିଷାକ୍ତ ପୋକ, ତଳେ ପଡ଼ି ଜୀବନ ହାରିଲେ ଯୁବତୀ

ପାଇକସାହି: ଗଛରେ ଚଢ଼ି ଆତ ତୋଳୁଥିବା ସମୟରେ ଜଣେ ଯୁବତୀଙ୍କୁ ଏକ ବିଷାକ୍ତ ପୋକ କାମୁଡି ଦେଇଛି । ଫଳରେ ଯୁବତୀ ଜଣକ ଗଛରୁ ପଡ଼ି ପ୍ରାଣ ହରାଇଛନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ଼ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ ଠାକୁରଗଡ଼ ଥାନା ଅନ୍ତର୍ଗତ ଅରଖକୁଦ ଗାଁର ପ୍ରମୋଦ ଭୋଇଙ୍କ ଝିଅ ଅଲିଭା ଭୋଇ (୧୯) ବୁଧବାର ନିଜ ଘର ପାଖରେ ଥିବା ବଢ଼ିଆଳ ଗଛକୁ ଚଢ଼ିଥିଲେ । ଆତ ତୋଳୁଥିବା ସମୟରେ ଅଲିଭାଙ୍କୁ ଏକ ବିଷାକ୍ତ ପୋକ କାମୁଡି ଦେଇଥିଲା । ଫଳରେ ଅଲିଭା ଜୋରରେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ଲାଗି ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଲିଭାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ପ୍ରମୋଦ ଭୋଇଙ୍କର ୨ଟି ଝିଅଙ୍କ ମଧ୍ୟରୁ ଅଲିଭା ସାନ ଥିଲେ । ସେ ସପ୍ତମ ଶ୍ରେଣୀ ପାସ ପରେ ଘର କାମ କରୁଥିଲେ । ବାପା ଗରିବ ଥିବାରୁ ଦିନ ମଜୁରିଆ ଭାବେ କାମ କରନ୍ତୁ । ତେବେ ଏକ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ଗାଁରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି ।

ସମ୍ବନ୍ଧିତ ଖବର