ଆତ୍ମହତ୍ୟା ପାଇଁ ଟ୍ରେନ୍‌ ଆଗକୁ ଡେଇଁପଡ଼ିଲେ ଯୁବତୀ, ଗୋଡ଼ କଟିଯିବା ପରେ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ସ୍ଥାନୀୟ ରେଳ ଷ୍ଟେସନ୍‌ର ୩ ନଂ ପ୍ଲାଟଫର୍ମରୁ ଆଜି ସନ୍ଧ୍ୟାରେ ଜଣେ ଯୁବତୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ଠାରୁ ହାଓଡା ଅଭିମୁଖେ ଯାଉଥିବା ଟ୍ରେନ ‘ହମସଫର ଏକ୍ସପ୍ରେସ’ ଆଗକୁ ଡେଇଁ ପଡ଼ିଥିବା ଯୁବତୀଙ୍କ ବାମ ଗୋଡ଼ କଟିଯାଇଛି। ଘଟଣା ପରେ ଜିଆରପି ସଂପୃକ୍ତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ଯୁବତୀ ଜଣକଙ୍କର ପରିଚୟ ମିଳିପାରି ନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ‘ହମସଫର’ ଟ୍ରେନ ଆଜି ସନ୍ଧ୍ୟା ପ୍ରାୟ ୫ଟା ପୂର୍ବରୁ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍‌ଟି ଷ୍ଟେସନରେ ପହଞ୍ଚିବା ସମୟରେ ୩ ନଂ ପ୍ଲାଟଫର୍ମରେ ବୁଲୁଥିବା ଜଣେ ଯୁବତୀ ହଠାତ ଟ୍ରେନ୍‌ ଆଗକୁ କୁଦା ମାରିଥିଲେ। ଟ୍ରେନ ଦ୍ରୁତ ଗତିରେ ଯାଉଥିବାରୁ ଯୁବତୀ ଜଣକ ଟ୍ରେନ୍‌ ସହ ଧକ୍କା ଖାଇ ରେଳଧାରଣା କଡ଼କୁ ଛିଟିକି ପଡ଼ିଥିଲେ। ତାଙ୍କର ବାମ ଗୋଡ଼ କଟିଯାଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଆରପି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ତେବେ ଯୁବତୀଙ୍କ ପାଖରେ କୌଣସି ପରିଚୟ ପତ୍ର ନ ଥିବାରୁ ସେ କେଉଁଠିକାର ତାହା ଜଣାପଡ଼ି ନାହିଁ। କିନ୍ତୁ କୌଣସି କାର୍ଯ୍ୟରେ ସେ ବିଫଳ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଟ୍ରେନ୍‌ ଆଗକୁ ଡେଇଁଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟରେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦରକାର ପଡ଼ିଲେ ଗୋଡ଼ କାଟିବାକୁ ପଡ଼ିବ। ଯୁବତୀ ଜଣକ ଏକ ଟପ୍ସ ଓ ଟ୍ରାଉଜର ପିନ୍ଧିଥିବା ଜିଆରପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର