ସୁନ୍ଦରଗଡ଼: ପ୍ରେମ ପାଇଁ ଯୁବତୀଙ୍କ ଅନଶନ। ପୁଲିସ ପ୍ରେମିକ ବିବାହ ପାଇଁ ଅରାଜି ହେଲେ ତାଙ୍କୁ ଗିରଫ ଓ ଚାକିରିରୁ ହଟାଇବା ଦାବିରେ ସୁନ୍ଦରଗଡ଼ ଏସପି ଅଫିସ ଆଗରେ ବସିଛନ୍ତି। ନ୍ୟାୟ ପାଇଁ ଥାନା ପୁଲିସ ଠାରୁ ଏସପିଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ଯୁବତୀ କାର୍ଯ୍ୟାନୁଷ୍ଠାନ ନହେବା ଯାଏ ଅନଶନ ଜାରି ରଖିବେ ବୋଲି କହିଛନ୍ତି। ପ୍ରେମ ପରେ ପ୍ରତାରଣା, ହତ୍ୟା ଧମକ ଓ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଫଟୋ ସହ ଅଶ୍ଲୀଳ, ଅରୁଚିକର ଟିପ୍ପଣୀ ଭାଇରାଲ କରିବାର ସମ୍ବେଦନଶୀଳ ଅଭିଯୋଗକ୍ରମେ ପ୍ରେମିକ ଲେଫ୍ରିପଡ଼ା ଥାନାରେ କାର୍ଯ୍ୟରତ ପୁଲିସ କନଷ୍ଟେବଳ ମୁକେଶ ବିରଗଣ୍ଠିଆଙ୍କ ନାମରେ ମାମଲା ରୁଜୁ କରି ପୁଲିସ ନିରବ। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବତୀ। ନିଜ ବିଭାଗର କର୍ମଚାରୀ ବୋଲି ପୁଲିସ ତାକୁ ସୁରକ୍ଷା ଦେଉଛି।

Advertisment

ମାମଲା ରୁଜୁ ପରେ ତାକୁ ଥାନାରୁ ଲମ୍ବା ଛୁଟି ନେଇ ଚମ୍ପଟ ମାରିବାକୁ ପୁଲିସ ସୁଯୋଗ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଗତ ନଭେମ୍ବର ୬ ତାରିଖରେ ଯୁବତୀ ଅନଶନ କରିଥିଲେ। ସେତେବେଳେ ଜିଲ୍ଲା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶ୍ରୁତି ଦେଇ ବୁଝାସୁଝା କରିବା ପରେ ସେ ଅନଶନରୁ ଉଠି ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ଦ୍ବିତୀୟ ଥର ପାଇଁ ଅନଶନ କରୁଥିବା ପ୍ରକାଶ କରିଛନ୍ତି। ଘଟଣାଟି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଲେଫ୍ରିପଡ଼ା ଥାନା କୁଲବିରା (ଜୋରପଡ଼ା)ର ପୁଲିସ କନଷ୍ଟେବଳ ମୁକେଶ ବୀରଗଣ୍ଠିଆଙ୍କ ୨୦୧୭ରେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇ ନେଇଥିଲା। ଏହା ମଧ୍ୟରେ ତାଙ୍କ ଠାରୁ ବିଭିନ୍ନ ବାହାନାରେ ବହୁ ଟଙ୍କା ନେଇଥିଲା। ୩ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଯୁବକ ତାଙ୍କୁ ଦୂରେଇ ଦେଇଥିଲା। ପ୍ରତାରଣା କରୁଥିବା ଜାଣି ସେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଆଉ ଧରାଛୁଆଁ ଦେଇ ନଥିଲା, ବରଂ ତାଙ୍କୁ ସର୍ବସାଧାରଣରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାର ଧମକ ଦେଇଥିଲା। ଏପରିକି ବଦନାମ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କ ଫଟୋ ସହ ବହୁ ଅରୁଚିକର ଅଶ୍ଲୀଳ ଟିପ୍ପଣୀ ଦେଇ ଭାଇରାଲ କରିଥିଲା।

କେବଳ ସେତିକି ନୁହେଁ, ସବଡେଗା ବାଙ୍କୋପରାର ଜଣେ ଯୁବତୀ (ଯୁବକଙ୍କ ନୂଆ ସମ୍ପର୍କରେ ଥିବା) ପୀଡ଼ିତାଙ୍କୁ ଫୋନ୍ କରି ମୁକେଶଙ୍କ ପାଖରୁ ହଟିଯିବାକୁ ତାଗିଦ କରିବା ସହ ଅଶ୍ଲୀଳ ଭାଷାରେ ଧମକ ଦେଇଥିବା ସେ ଦର୍ଶାଇଛନ୍ତି। ଏ ନେଇ ସଦରଥାନାରେ ପୀଡ଼ିତା ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ପୁଲିସ କନଷ୍ଟେବଳ ମୁକେଶଙ୍କ ନାମରେ ଭାରତୀୟ ଦଣ୍ଡବିଧି ଧାରା ୨୯୪, ୩୨୩, ୪୧୭, ୫୦୬, ୩୪ ଓ ଆରଡବ୍ଲ୍ୟୁ ସେକ୍ସସ ୬୬ (ସି), ୬୬(ଡି), ୬୭/୬୭(ଏ) ଆଇଟି ଆଇନରେ ମାମଲା ରୁଜୁ କରିଥିଲେ। କିନ୍ତୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଶିଥିଳ ହୋଇଯାଇଥିବାରୁ ଏହାର ସୁଯୋଗ ନେଇ ଅଭିଯୁକ୍ତ କନଷ୍ଟେବଳ ତାଙ୍କୁ ଧମକଚମକ ଦେଇ ଚାଲିଥିବା ସେ ଅଭିଯୋଗ କରିଛନ୍ତି।