ମାଞ୍ଜା ସୂତାରେ କଟି ଗୁରୁତର ଆହତ ହେଲେ ଯୁବ ଅଧ୍ୟାପକ, କ’ଣ ଜୀବନ ଗଲେ ଚେତିବ ପ୍ରଶାସନ?

ଜୋରଦାର୍‌ ଚାଲିଛି ଜରିମାନା ଆଦାୟ, ଅମାନିଆ ଗୁଡ଼ି ଉଡ଼ାଳିଙ୍କୁ କିନ୍ତୁ ଲଗାମ ନାହିଁ

ବାରିପଦା: ବାରିପଦାରେ ଚାଲିଛି ଜୋର୍‌ଦାର ଜରିମାନା ଆଦାୟ। ଅଣମାସ୍କଧାରୀଙ୍କ ସହିତ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଲାଗୁଛି ଲଗାମ୍‌। ଏହା ସ୍ବାଗତଯୋଗ୍ୟ। କିନ୍ତୁ ଏହା ମଧ୍ୟରେ ପ୍ରାଣଘାତୀ ‌ଅମାନିଆ ଗୁଡ଼ି ଉଡ଼ାଳୀ କିନ୍ତୁ ମାତିଛନ୍ତି ଜୋର୍‌ଦାର। ଏମାନଙ୍କ ଉପରେ ନା ପୁଲିସ୍‌ ନା ପ୍ରଶାସନ କାହାର ମଧ୍ୟ ଲଗାମ୍‌ ନାହିଁ। ଗୁଡ଼ିରେ ବ୍ୟବହୃତ ବେଆଇନ୍‌ ମାଞ୍ଜା ସୂତା କାରଣରୁ ପୂର୍ବରୁ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏନେଇ ପ୍ରଥମେ ‘ସମ୍ବାଦ’ରେ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶିତ ହୋଇଥିଲା। ମାତ୍ର ହୁଗୁଳା ପୁଲିସ୍‌ କାର୍ଯ୍ୟାନୁଷ୍ଠାନ କାରଣରୁ କିନ୍ତୁ ଗୁଡ଼ି ଉଡ଼ାଳିମାନେ ନିୟନ୍ତ୍ରଣକୁ ଆସିନାହାନ୍ତି।

ପୁଣି ଏକ ବଡ଼ଧରଣର ଅଘଟଣ ଘଟିବାରୁ ଅଳ୍ପକେ ରକ୍ଷା ପାଇଗଲା। ୱାର୍ଡ ନଂ-୧୯, ମନ୍ତ୍ରୀ ଛକ ବାସିନ୍ଦା ସୁମନ ସାହୁ ନାମକ ଜଣେ ଯୁବ ଅଧ୍ୟାପକ ଏହି ମାଞ୍ଜା ସୂତା କାରଣରୁ ଗୁରୁତର ଆହତ ହୋଇଛନ୍ତି। ସତ୍ୟସାଇ ଛକ ନିକଟରେ ହେଉଥିବ ଚେକିଂ କାରଣୁ ସେ ଧୀରେ ଧୀରେ ନିଜ ମୋଟରସାଇକେଲ୍‌ରେ ଜଣେ ବନ୍ଧୁଙ୍କ ସହିତ ଆସୁଥିଲେ। ‌ମାତ୍ର କିଛି ସମୟ ପରେ ତାଙ୍କ ବେକ ପୋଡ଼ିବା ସହିତ ଭୀଷଣ ଯନ୍ତ୍ରଣା ହୋଇଥିଲା। ହେଲ୍‌ମେଟ ଓ ମାସ୍କ୍ ଖୋଲି ଦେଖିବାବେଳକୁ ତାଙ୍କ ବେକ ସୂତାରେ କଟିଯାଇଛି। ଗାଡ଼ି ଧୀରେ ଚଳାଉଥିବା ଓ ହେଲ୍‌ମେଟ ପିନ୍ଧିଥିବାରୁ ସେ ଏକପ୍ରକାର ବଞ୍ଚିଯାଇଥିବା ପ୍ରକାଶ।

ସ୍ଥାନୀୟ ପିଆରଏମ୍‌ ହସ୍‌ପିଟାଲରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ିଦିଆଯାଇଛି। ମାତ୍ର ତାଙ୍କର ବେକ କଟିଯାଇଛି। ପୂର୍ବରୁ ମଧ୍ୟ ସହରରେ ଏପରି ବହୁ ଘଟଣା ଘଟିବାର ନଜିର ରହିଛି। ବାରିପଦା ପୌରପରିଷଦର ବ୍ୟସ୍ତ ବହୁଳ ତଥା ମୁଖ୍ୟ ରାସ୍ତା ବଡ଼ଦାଣ୍ଡରେ ଏପରିକି ବାରିପଦା ଟାଉନ ଥାନା ପାଶ୍ୱର୍ରେ କେତେକ ଯୁବକ ଗୁଡ଼ି ଉଡ଼ାଉଥିବା ବେଳେ ଗୁଡ଼ିର ମାଞ୍ଜା ସୂତା ପଥଚାରୀ, ବାଇକ ଚାଳକମାନଙ୍କ ନିମନ୍ତେ ବିପଦର କାରଣ ପାଲଟି ଯାଇଛି ।

ଗତ ୨୫ ତାରିଖରେ ସୁଶାନ୍ତ ମହାନ୍ତି ବାରିପଦା ଟାଉନ ଥାନା ନିକଟରୁ ପ୍ରାୟ ୫୦ ଫୁଟ ଦୂର ବଡ଼ଦାଣ୍ଡ ପାଶ୍ୱର୍ରେ ଥିବା ଏକ ଗ୍ରୋସରୀ ଦୋକାନରୁ ସାମଗ୍ରୀ କିଣି ଫେରୁଥିବା ବେଳେ ମାଞ୍ଜା ଗୁଡ଼ିର ସୂତା ବେକରେ ଲାଗିବାରୁ ଆହତ ହୋଇଥିଲେ। ସେହିପରି ରାଣୀ ସତୀ ମନ୍ଦିରର ପୂଜକ ବ୍ରିଜେସ ପଣ୍ଡିତଙ୍କର ବେକ କଟି କ୍ଷତ ସୃଷ୍ଟି ହୋଇଥିଲା । ପୁଣି ମୟୂରଭଞ୍ଜ ବାର ଆସୋସିଏସନର ସଦସ୍ୟ ତଥା ମାନବିକ ଅଧିକାର କର୍ମୀ ଆଇନଜୀବୀ ଅରବିନ୍ଦ ଦାସଙ୍କ ଅଭିଯୋଗ ଆଧାରରେ ଗତ ୨୮ ତାରିଖରେ ବାଇକରେ ଯାଉଥିବା ବେଳେ ସେହି ବଡ଼ଦାଣ୍ଡର ଟାଉନ ଥାନା ପାଶ୍ୱର୍ରେ ମାଞ୍ଜ ଗୁଡ଼ିର ସୂତାରେ ତାଙ୍କ ଡ଼ାହାଣ ହାତ ବିଶି ଅଙ୍ଗୁଠି କଟି ଯାଇଥିଲା। ଏନେଇ ସମସ୍ତେ ପୁଲିସ୍‌କୁ ଜଣାଇଛନ୍ତି ମଧ୍ୟ।

ତେବେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନନେବା କାରଣରୁ ଏପରି ଘଟଣା ବଢ଼ିଚାଲିଛି। ଏ ବିଷୟରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତିଯେ ଆମେ ପିଲାମାନଙ୍କୁ ରାସ୍ତାଘାଟରେ ଗୁଡ଼ି ନ ଉଡ଼ାଇବା ନିମନ୍ତେ ବାରମ୍ବାର ତାଗିଦ କରି ଆସୁଛୁ । ଆଜି ୫ଟି ଗୁଡ଼ି ଜବତ କରାଯାଇଛି। ଆସନ୍ତାକାଲି ଏନେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ।  ପ୍ରକାଶ ଥାଉକି, ଆକାଶରେ ଉଡ଼ୁଥିବା ଗୁଡ଼ିକୁ କଠାଇ ବା ନିମନ୍ତେ ମାଞ୍ଜ ସୂତାକୁ ବ୍ୟବହାର କରାଯାଇ ଥାଏ । ସୂତାରେ ଅଠା ସହିତ କାଚଗୁଣ୍ଡକୁ ମାଞ୍ଜ ଦିଆଯାଇ ଥାଏ । କେତେକ୍ନ ସହରରେ ଏହି ପ୍ରକାରର ମାଞ୍ଜା ସୂତାକୁ ବେଆଇନ ଘୋଷଣା କରାଯାଇଥିବାର କୁହାଯାଇଛି ।

 

ସମ୍ବନ୍ଧିତ ଖବର