ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଚାଁଛିପଦା ଗ୍ରାମର ଜନୈକ ଯୁବକ ପାଖ ଜଙ୍ଗଲ ଭିତରେ ଗଛରେ ଫାଶୀଦେଇ ଆତ୍ମହତ୍ୟା କରିବା ଘଟଣାରେ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ବୈଶିଙ୍ଗା ପୁଲିସ। ମୃତ ଯୁବକ ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ଭୁଣ୍ଡା ଟୁଡୁର ପୁଅ ଦୁର୍ଗା (୪୫)।
ସୂଚନା ମୁତାବକ ଦୁର୍ଗାଙ୍କର ୨ପୁଅ ମଧ୍ୟରୁ ଜଣେ ପୁଅ ବାହାରେ ରହି କାମ କରୁଥିବାବେଳେ ସେ ତାଙ୍କ ସ୍ତ୍ରୀ ଓ ବଡ଼ପୁଅ କାହ୍ନୁ ସହିତ ଗାଁରେ ରହୁଥିଲେ। ଅଳ୍ପ କିଛି ଦିନ ହେବ କାହ୍ନୁ ଘରେ ନଜଣେଇ ନିଜ ଇଛାରେ ବିବାହ କରି ନିଜ ସ୍ତ୍ରୀକୁ ନେଇ ଉକ୍ତ ଘରେ ରହୁଥିଲା, ଯେଉଁଥିପାଇଁ ପାରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଗତକାଲି ରାତିରେ ମଧ୍ୟ ଦୁର୍ଗା ସହିତ ତାଙ୍କ ପୁଅର ବଚସା ହୋଇଥିବା ସାହିପଡିଶାଙ୍କ ଠାରୁ ସୂଚନା ମିଳିଛି। ହେଲେ ଆଜି ପୂର୍ବାହ୍ନରେ ଦୁର୍ଗା ନିଜ ଗ୍ରାମର ଜଣେ ପଡୋଶୀଙ୍କ ଘର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯାଇ ଆଉ ଘରକୁ ଫେରିନଥିଲେ।
ଘରଲୋକ ଚାରିଆଡେ ଖୋଜାଖୋଜି କରିବା ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇଥିଲେ କି ଦୁର୍ଗାଙ୍କର ମୃତଦେହ ପାଖ ଜଙ୍ଗଲର ଏକ ଗଛରେ ଝୁଲୁଛି। ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ କି ଦୁର୍ଗା ଏକ ରଶି ସାହାଯ୍ୟରେ ଆକାଶିଆ ଗଛ ଡାଳରେ ନିଜକୁ ଫାଶୀ ଲଗେଇ ଦେଇଛନ୍ତି। ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ଝୁଲନ୍ତା ଶରୀରକୁ ଗଛରୁ ତଳକୁ ଓହ୍ଲାଇଥିଲେ। ପରେ ପୁଲିସ ୧୩/୨୪ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ଶବ ଉଦ୍ଧାର କାର୍ଯ୍ୟ ସରୁସରୁ ସନ୍ଧ୍ୟା ହୋଇଯିବାରୁ ଶନିବାର ଶବବ୍ୟବଚ୍ଛେଦ ହେବାନେଇ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।