ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଯୁବକ ଓ ଯୁବତୀ

ମାଲକାନଗିରି: ଜିଲ୍ଲାରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଏହାକୁ ପୂରଣ କରିବାକୁ ଆଗକୁ ଆସିଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର ଯୁବକଯୁବତୀମାନେ। ପିତାଗାଟା ଗ୍ରାମର ଶ୍ରଦ୍ଧା ମଜୁମଦାର ମ୍ୟାଲେରିଆ ରୋଗରେ ପୀଡିତ ହୋଇ ମାଲକାନଗିରି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତୁରନ୍ତ ତାଂକୁ ଏ-ପୋଜିଟିଭ ରକ୍ତ ଦରକାର ପଡୁଥିବା ଡାକ୍ତର କହିଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ବୁଲି ରକ୍ତ ପାଇଁ ନେହୁରା ହୋଇଥିବା ବେଳେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତାପ ମୁଦୁଲି ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ପ୍ରତାପ ରକ୍ତଦାନ କରି ଶ୍ରଦ୍ଧାଙ୍କ ଜୀବନ ବଂଚାଇଛନ୍ତି।

ସେହିପରି ଅନ୍ୟ ଏକ ଘଟଣାରେ ଇନ୍ଦିରା କଲୋନୀର ଲକ୍ଷ୍ମୀ ମାଝି ଆନିମିଆ ରୋଗରେ ପଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଂକୁ ମଧ୍ୟ ଏ-ପୋଜିଟିଭ ରକ୍ତ ଦରକାର ପଡିଲା। ଡାକ୍ତର ତୁରନ୍ତ ରକ୍ତ ଯୋଗାଡ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ କିଛି ଯୁବକଙ୍କୁ ସାକ୍ଷାତ କରି ରକ୍ତ ଯୋଗାଡ କରିଦେବା ପାଇଁ ନେହୁରା ହୋଇଥିଲେ।

ତେବେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ କରିଆସୁଛନ୍ତି। ବିଜୁ ଯୁବ ଓ ଛାତ୍ର ଜନତା ଦଳର କେ.ରାହୁଲ ରାଓ,ସତ୍ୟଜିତ ଗୌଡ,ସି.ଏଚ ପ୍ରକାଶ କୁମାର, ଉଦୟ ବାଗ, ପ୍ରତାପ ମୁଦୁଲି ପ୍ରମୁଖ ରକ୍ତଦାତାଙ୍କୁ ବୁଝାଇ ରକ୍ତ ଯୋଗାଡ କରିଥିଲେ। ଲକ୍ଷ୍ମୀଙ୍କୁ ରକ୍ତ ଦେବା ପାଇଁ ଇତିଶ୍ରୀ ବେହେରା ଆଗକୁ ଆସିଥିଲେ। ଇତିଶ୍ରୀ ରକ୍ତ ଦେଇ ଲକ୍ଷ୍ମୀଙ୍କ ଜୀବନ ବଞ୍ଚାଇବା ସହ ଅନ୍ୟ ଯୁବତୀମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର